OnaKhabar

ଶ୍ରୀକାନ୍ତଙ୍କୁ ଦଳୀୟ ଝଟକା

0 1

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ଲାଗିଛି ଦଳୀୟ ଝଟକା । ଶ୍ରୀକାନ୍ତଙ୍କ ମତ ଦଳର ମତ ନୁହେଁ ବୋଲି ସିଧାସଳଖ କୁହାଯାଇଛି । ଚାଷୀଙ୍କ ପ୍ରସଙ୍ଗରେ ଶ୍ରୀକାନ୍ତ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ମତ ଦେଇଛନ୍ତି ଓ ଯେଉଁ ଦାବି କରିଛନ୍ତି ତାହା ସହ ଦଳର କିଛି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ବିଜେଡି ଆସନ୍ତା ୮ ତାରିଖରେ ଦିଲ୍ଲୀ ଯାଇ ସଂସଦ ଭବନ ଘେରାଉ କରିବା ନେଇ ଦେଇଥିବା ଡାକରା ପରିପ୍ରେକ୍ଷୀରେ ଶ୍ରୀକାନ୍ତ ସାମ୍ବାଦିକ ସମ୍ମିଳନୀ କରି ଅନେକ ସମାଲୋଚନା କରିଥିଲେ । କିନ୍ତୁ ଶ୍ରୀକାନ୍ତଙ୍କ ପୂର୍ବରୁ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖପାତ୍ରମାନେ ଦଳର ଆଭିମୁଖ୍ୟ ସମ୍ପର୍କରେ ମତ ରଖିସାରିଥିଲେ । ଦଳ ମୁଖପାତ୍ରମାନଙ୍କ ମତ ଓ ଶ୍ରୀକାନ୍ତଙ୍କ ମତ ଭିତରେ କୌଣସି ତାଳମେଳ ରହିଲାନାହିଁ । ଫଳରେ ଦଳକୁ ଏଥିନେଇ ଅଡୁଆ ପରିସ୍ଥିତିର ମୁକାବିଲା କରିବାକୁ ହେଲା । ଏଣୁ ଦଳର ଉପସଭାପତି ତଥା ମିଡିଆ ସେଲର ଉପଦେଷ୍ଠା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିବୃତି ଜାରି କରି ଶ୍ରୀକାନ୍ତଙ୍କ କଥାକୁ ଦଳର ମତ ବୋଲି ଗ୍ରହଣ ନ କରିବାକୁ କହିଛନ୍ତି । ଏହି ଘଟଣା ଶ୍ରୀକାନ୍ତଙ୍କ ପାଇଁ ବେଶ ଅଡୁଆ ପରିସ୍ଥିତି ଆଣି ଦେଇଛି । ବାରମ୍ବାର ଶ୍ରୀକାନ୍ତ ଦଳ ଭିତରେ ଏକ ଘରିକିଆ ହେବାରେ ଲାଗିଛନ୍ତି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ସୁପାରିଶ କରାଯାଇ ସାରିଛି । ଏ କ୍ଷେତ୍ରରେ ଶ୍ରୀକାନ୍ତ ଦଳର କାର୍ଯ୍ୟାଧାରା ବାହାରକୁ ଯାଇ ବାରମ୍ବାର ମତ ରଖୁଥିବା କଥା କ୍ରମେ ସ୍ପଷ୍ଟ ହେବାରେ ଲାଗିଛି ।
ବିଜେଡିର ସଂସଦଭବନ ଘେରାଉ ପରିପ୍ରେକ୍ଷୀରେ ଦଳ ପକ୍ଷରୁ ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରି ପାର୍ଲାମେଣ୍ଟରେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ନ କରି ପଳାୟନ କରିଥିବା ବେଳେ ଏବେ ସାମ୍ବାଦିକ ସମ୍ମିଳନୀରେ ଗର୍ଜନ କରୁଛନ୍ତି କାହିଁକି ବୋଲି ବିଜେଡିକୁ ପ୍ରଶ୍ନ କରାଯାଇଥିଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାତ କଥା ହେଉ କି ଅନ୍ୟ ଯେଉଁ ପ୍ରସଙ୍ଗ ହେଉ ବିଜେଡି କେବଳ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କୁହାଯାଇଥିଲା । କିନ୍ତୁ ଶ୍ରୀ ଜେନା ସାମ୍ବାଦିକ ସମ୍ମିଳନୀ କରି ତୁରନ୍ତ କୃଷି ଋଣ ଛାଡ଼ କରିବା ପାଇଁ କ୍ୟାବିନେଟ ଡାକି ନିଷ୍ପତ୍ତି ନ ନେଲେ ସେମାନଙ୍କୁ ଗାଁରେ ଆଉ ଲୋକେ ପୁରାଇ ଦେବେନାହିଁ । ସରକାରଙ୍କୁ ବୟକଟ କରାଯିବ । ମନ୍ତ୍ରୀ ବିଧାୟକଙ୍କୁ ଅସହଯୋଗ କରାଯିବ । ଯଦି କରି ନ ପାରୁଛନ୍ତି ତେବେ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ଜେନା କହିଥିଲେ । ଏହି ଘଟଣା ପରେ ଦଳର ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ଚାଷୀ ପ୍ରସଙ୍ଗ ଉପରେ ବିଜେଡି ଦଳର କାର୍ଯ୍ୟକୁ କଂଗ୍ରେସ ଦଳ ପକ୍ଷରୁ ଅଧିକୃତ ପ୍ରବକ୍ତାମାନେ ତାଙ୍କର ବକ୍ତବ୍ୟ ସାମ୍ବାଦିକ ସମ୍ମିଳନୀରେ ଦେଇ ସାରିଛନ୍ତି । ଏହା ଗଣମାଧ୍ୟମରେ ପ୍ରସାରିତ ଓ ପ୍ରକାଶିତ ହୋଇସାରିଛି । ଏ କ୍ଷେତ୍ରରେ ଶ୍ରୀକାନ୍ତ ଜେନା ବ୍ୟକ୍ତିଗତ ଭାବେ ଯେଉଁ ସାମ୍ବାଦିକ ସମ୍ମିଳନୀ କରି ଚାଷୀ ପ୍ରସଙ୍ଗରେ ଯାହା କିଛି କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତମତ । କଂଗ୍ରେସଦଳ ତାଙ୍କୁ ଏ ସମ୍ପର୍କରେ ବିବୃତି ରଖିବାକୁ କହିନାହିଁ କିମ୍ବା ସେ ଅଧିକୃତ ନୁହଁନ୍ତି ବୋଲି ସ୍ପଷ୍ଟ କରାଯାଇଛି । ଏକ୍ଷେତ୍ରରେ ଶ୍ରୀ ଜେନା ବର୍ତମାନ ଦଳ ଭିତରେ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା କୁହାଯାଉଛି ।

https://www.onakhabar.com/conflicts-in-congrss-srikant-demand-govt-resgined/

Leave A Reply

Your email address will not be published.