OnaKhabar

କେନ୍ଦ୍ରାପଡାରେ କିଏ ? ଅନୁଭବଙ୍କ ଆଶା ମରିଚିକା ହେବନି ତ

58

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟ ରାଜନୀତିର ଦୃଶ୍ୟ ପଟ ସେତିକି ଜଟିଳ ହେବାରେ ଲାଗିଛି । ଦୀର୍ଘଦିନ ହେଲା ଚର୍ଚ୍ଚା ହେଉଛି ଯେ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପି ଛାଡିଲା ପରେ ବିଜେଡିକୁ ଯିବେ । ଅବଶ୍ୟ ସେ ବିଜେପି ଛାଡିବା ପୂର୍ବରୁ ଯେଉଁଭଳି କାର୍ଯ୍ୟକ୍ରମ ଗ୍ରହଣ କରୁଥିଲେ ତାଙ୍କୁ ନେଇ ଏହି ଆଲୋଚନା ହେଉଥିଲା । ବିଜୟ ବିଜେଡିକୁ ଆସିଲେ କେନ୍ଦ୍ରାପଡା ଲୋକସଭା ଆସନରୁ ପାର୍ଥୀ ହେବେ ବୋଲି ଜୋରଦାର ଆଲୋଚନା ଚାଲିଛି । କିନ୍ତୁ ଗତ ଅକ୍ଟୋବର ମାସରୁ କେନ୍ଦ୍ରାପଡାରେ ବିଜେଡିର ଲୋକସଭା ପାର୍ଥୀ ହେବେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । କାରଣ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ତାଙ୍କ ଫଟୋଥିବା ବ୍ୟାନର ଲଗାଯାଇଛି । ଏହି ବ୍ୟାନର ଲାଗିବା ପରଠାରୁ ଏହି ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ବିଜୟଙ୍କ ନାଁ ଆସିଲା ପରେ ଅନୁଭବ ଯିବେ କୁଆଡେ ? ଯଦି ପ୍ରକୃତରେ ବିଜୟ ବିଜେଡିକୁ ଯାଆନ୍ତି ତେବେ କିଏ ହେବେ କେନ୍ଦ୍ରପଡା ଲୋକସଭା ପାର୍ଥୀ ବିଜୟ ନା ଅନୁଭବ । ତାକୁ ନେଇ ଚାଲିଛି ରାଜନୀତି ।
ବିଜେଡିର କେନ୍ଦ୍ରପଡା ସାଂସଦ ଥିବା ବୈଜୟନ୍ତ ପଣ୍ଡା ଦଳ ଛାଡିଲା ପରେ କିଏ ତାଙ୍କ ସ୍ଥାନରେ ଆସନ୍ତା ନିର୍ବାଚନରେ ପାର୍ଥୀ ହେବେ ତାକୁ ନେଇ ଦଳୀୟ ରାଜନୀତିରେ ଦେଖାଦେଇଛି ଦ୍ୱନ୍ଦ । ବୈଜୟନ୍ତଙ୍କ ବିଜେଡି ଛାଡିଥିଲେ ମଧ୍ୟ କେନ୍ଦ୍ରପଡା ପ୍ରତି ତାଙ୍କର ମୋହ ରହିଛି । ସେ କେନ୍ଦ୍ରାପଡାରୁ ପୁଣି ଲଢିପାରନ୍ତି ବୋଲି ଜଣାପଡୁଛି । କାରଣ ସାଂସଦ ପଦ ଛାଡିଲା ପରେ କେନ୍ଦ୍ରାପଡାର ବିଭିନ୍ନ କାର୍ଯ୍ୟକ୍ରମରେ ଯାଇ ସାମିଲ ହେଉଛନ୍ତି । ପର୍ବପର୍ବାଣୀ ଠାରୁ ଆରମ୍ଭ କରି ବିବାହ, ମୃତ୍ୟୁ ଭଳି ଘରୋଇ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି । ସେ ଯେଉଁ ହେଇଯାଉ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସେଥିରେ ମଧ୍ୟ ଅନେକ ସମୟରେ କେନ୍ଦ୍ରାପଡାକୁ ଯାଉଥିବା ଦେଖାଯାଉଛି ।
ବୈଜୟନ୍ତ ବିଜେଡି ଛାଡିଲା ପରେ ସେଠାରେ ଦଳ ପାର୍ଥୀ କିଏ ହେବ ତାକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଛି । କୁହାଗଲା ରାଜ୍ୟସବା ସାଂସଦ ପ୍ରତାପ କେଶୋରୀ ଦେବ କେନ୍ଦ୍ରପଡା ଲୋକସବାରୁ ଦଳୀୟ ପାର୍ଥୀ ହେବେ । ସେ ଛାଡା ହେଲେ ଅନ୍ୟମାନଙ୍କୁ ଟକ୍କର ଦେଇପାରିବେ ଓ ବିଜୟ ସମ୍ଭାବନା ଅଧିକ ରହିବ । ଏହି ଆଲୋଚନା ଚାଲିଥିବା ଭିତରେ ହଠାତ୍ ଦେଖାଗଲା କେନ୍ଦ୍ର୍ରାପଡା ସହରର କେତେକ ସ୍ଥାନରେ ଅନୁଭବ ମହାନ୍ତିଙ୍କ ଫଟୋ । ଏଭଳି ବ୍ୟାନର ଆସିଲା ପରେ ସମସ୍ତେ ଭାବିଲେ ପ୍ରତାପ ନୁହଁନ୍ତି ଅନୁଭବ ହେବେ ପାର୍ଥୀ । ଏହା ନ ହୋଇଥିଲେ କୌଣସି ଉଦ୍ଦେଶ୍ୟ ନଥିଲେ ଅନୁଭବଙ୍କ ବ୍ୟାନର କାହିଁକି ଲାଗିଥାନ୍ତା । ତାଙ୍କୁ ସ୍ୱାଗତ କଲା ଭଳି ହୋଡିଙ୍ଗମାନ ଲଗାଯାଇଛି । ଏଥିରେ କୁହାଯାଉଛି ଅନୁଭବଙ୍କ ପ୍ରଶଂସକମାନେ ଏହି ବ୍ୟାନର ଓ ହୋଡିଙ୍ଗ ଲଗାଇଛନ୍ତି । ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । କିନ୍ତୁ ଯେଉଁ ବ୍ୟାନର ଲାଗିଛି ଏବଂ ଯାହା ଉଠାଇଦିଆଯାଇଛି ସେଥିରେ ଅନୁବବଙ୍କ ସହ ବିଜେଡି ସ୍ଥାନୀୟ ନେତାମାନଙ୍କର ଫଟୋ ରହିଛି । ନିକଟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ଅଂଚଳକୁ ପାନୀୟ ପ୍ରକଳ୍ପର ଶୁଭ ଦେବା ଯାଇଥିବା ଅବସରରେ ତାଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇଥିବା ବ୍ୟାନର ଓ ହୋଡିଙ୍ଗ ଅନୁଭବଙ୍କ ଗୋଟିଏ ଦୁଇଟି ବ୍ୟାନରକୁ ହଟାଇ ଲଗାଯାଇଛି । ଅବଶ୍ୟ ଅନୁଭବଙ୍କ ଗୋଟିଏ ଲେଖାଏଁ ବ୍ୟାନର ରହିଛି । ସମ୍ପୂଣ୍ଣ ର୍ ହଟାଇ ଦିଆଯାଇନାହିଁ । ଅନୁଭବଙ୍କ ପାଖରେ ହିଁ ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତାଙ୍କ ବ୍ୟାନର ରହିଛି । ବିଜେଡି ନେତାମାନେ ଚାହିଁଥିିଲେ ଅନୁଭବଙ୍କ ବ୍ୟାନର ପୂରା ହଟାଇ ଦେଇଥାନ୍ତେ । କିନ୍ତୁ ତାହା ସେମାନେ କଲେ ନାହିଁ । ଏଥରୁ ଜଣା ପଡୁଛି ଏହା ପଛରେ ଦଳୀୟ ସର୍ମଥନ ରହିଛି ।
ଏବେ ବିଜୟଙ୍କ ଯୋଗଦାନ ନେଇ ବହୁ ଆଲୋଚନା ଓ ପ ର୍ଯ୍ୟାଲୋଚନା ଚାଲିଛି । ବିଜୟ ଯେଉଁ କହିଛନ୍ତି ଓଡିଶାବାସୀ ଆଗକୁ ଐତିହାସିକ ପରିବର୍ତ୍ତନ ଦେଖିବେ ଏବଂ ଫେସବୁକରେ ବିଜୟ ଯାହା ପୋଷ୍ଟ କରିଛନ୍ତି ସେଥିରେ ସେ କହିଛନ୍ତି ବିଶ୍ୱାସଘାତକତା କରିଥିବା ଲୋକଙ୍କୁ ସେ କ୍ଷମା କରିଦେଇଥାନ୍ତି । ଆଗକୁ ଯିବାକୁ ହେଲେ ଏ ସବୁକୁ ଭୁଲିବାକୁ ହେବ । ଏଥିରୁ ରାଜନୈତିକ ମହଲରେ ଚର୍ଚ୍ଚା ହେବା ସ୍ୱାଭାବିକ ଯେ ବିଜୟ ଯାଉଛନ୍ତି ବିଜେଡିକୁ । ଏପରିକି ବିଜେପିରେ ଥିଲା ବେଳେ ବି ସେ ଯେଉଁ ବକ୍ତବ୍ୟ ରଖୁଥିଲେ ତାହା ବିଜେଡିକୁ ସୁହାଇଲା ଭଳି ଓ ବିଜେପିକୁ ମାଡ ଦେଲା ଭଳି ହେଉଥିଲା । ବିଜେପିର ପ୍ରତ୍ୟେକ କାର୍ଯ୍ୟଧାରାକୁ ସମାଲୋଚନା କରୁଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରୁଥିଲେ । ଏପରିକି ଓଡିଶା ପୁରୁଷ ହକି ବିଶ୍ୱକପ୍ ଆୟୋଜନକୁ ନେଇ ବିରୋଧୀ ଦଳ ସମାଲୋଚନା କରୁଥିଲା ବେଳେ ବିଜୟ ଏକମାତ୍ର ନେତା ଯେ କି ନବୀନଙ୍କୁ ପ୍ରଶଂସା କରି ଭିଡିଓ ଜାରୀ କରିଥିଲେ । ଏଥିରୁ ତାଙ୍କୁ ନେଇ ଆଲୋଚନା ହେବା ସ୍ୱାଭାବିକ । ଏକ୍ଷେତ୍ରରେ ବିଜୟ ଯଦି ପ୍ରକୃତରେ ଯୋଗ ଦିଅନ୍ତି ତେବେ କେନ୍ଦ୍ର୍ରାପଡାରେ ଲଢିବା ପାଇଁ ବ୍ୟାନର ଲଗାଇ ଅନାଇ ରହିଥିବା ଅନୁଭବ ଆଶା ମରିଚିକା ପାଲଟିବ ନାହିଁ ତ.. ବୋଲି ପ୍ରଶ୍ନ ଉଠୁଛି । ହେଲେ ବିଜୟ କେଉଁ ଦଳକୁ ଯାଉଛନ୍ତି ତାହା ଜଣା ପଡିଲା ପରେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

https://www.onakhabar.com/bijaya-may-join-bjd-verysoon/