OnaKhabar

ନିରଞ୍ଜନ ଦେଲେ ଆଶା, ମହାନଦୀ ବିବାଦ ହେବ ସମାଧାନ

59

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଛତିଶଗଡରେ ଦଳର ସରକାର ଗଠନ ପାଇଁ ମଙ୍ଗଳବାର ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ଭାଗ ନେଇ ଫେରିବା ପରେ ମହାନଦୀ ସମସ୍ୟାର ସମାଧାନ ନେଇ ଓଡିଶାବାସୀଙ୍କୁ ଆଶା ଓ ଭରସା ଦେଇଛନ୍ତି । ଏଥିସହ କଂଗ୍ରେସ ଯାହା କହେ ତାହା କରେ ବୋଲି ସେ କହିଛନ୍ତି । ଯେଉଁଦିନ କ୍ଷମତାକୁ ଆସିବୁ ସେହିଦିନ ହିଁ ଋଣଛାଡ କରିବୁ । ଅନ୍ୟରାଜ୍ୟରେ କଂଗ୍ରେସ ଯାହା କରିଛି ଓଡିଶାରେ ବି ତାହା ହେବ ବୋଲି ନିରଞ୍ଜନ କହିଛନ୍ତି ।
ମଙ୍ଗଳବାର ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିଛି । ଏଥିନେଇ ଏହି ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଭାଗ ନେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯାଇଥିଲେ । ଛତିଶଗଡରୁ ଫେରିବା ପରେ ନିରଞ୍ଜନ କହିଛନ୍ତି, ମହାନଦୀ ପ୍ରସଙ୍ଗ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ । ଏହି ପ୍ରସଙ୍ଗକୁ ଛତିଶଗଡ ସରକାର ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି । ମହାନଦୀକୁ ନେଇ ଅକାରଣରେ ବିଜେପି ଓ ବିଜେଡି ଦ୍ୱନ୍ଦ ସୃଷ୍ଟି କରୁଛନ୍ତି । କଂଗ୍ରେସର ଏକ ଟିମ୍ ଏପ୍ରସଙ୍ଗରେ ଛତିଶଗଡ ଯାଇ ଆଲୋଚନା କରିବ ବୋଲି ନିରଞ୍ଜନ କହିଛନ୍ତି । ଉଲ୍ଲେଖେଯାଗ୍ୟ ଯେ, ବିରୋଧୀଦଳ ନେତା ନରସିଂହ ମିଶ୍ର ମହାନଦୀ ପ୍ରସଙ୍ଗରେ ଅନେକ ପଦକ୍ଷେପ ନେଇଥିଲେ । ପ୍ରଥମେ ସେ ବିଧାୟକ ଦଳର ଏକ ଟିମ୍ ଧରି ଛତିଶଗଡ ଯାଇ ମହାନଦୀ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ସର୍ବ ଦଳୀୟ ବୈଠକର ଡାକରା ସେ ଦେଇଥିଲେ । ତାଙ୍କ ଅଧ୍ୟ କ୍ଷତାରେ ବିଜେଡିକୁ ଛାଡି ଦେଲେ ପ୍ରାୟ ଅଧିକାଂଶ ରାଜନୈତିକ ଦଳକୁ ଏକାଠି କରିପାରିଥିଲେ । ଏପରିକି ବିଜେପି ମଧ୍ୟ ତାଙ୍କ ନେତୃତ୍ୱରେ ଆନ୍ଦୋଳନ ପାଇଁ ଆସିଥିଲା । କଂଗ୍ରେସ ବିଧାୟକ ମାନେ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଏଣୁ ଛତିଶଗଡ ଯେତେବେଳେ ସେ ଯାଇଛନ୍ତି ମହାନଦୀ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ଚାଷୀଋଣ ଛାଡ ସଂପର୍କରେ ସେ କହିଛନ୍ତି, କେବଳ କୃଷିଋଣ ଛାଡ ନୁହେଁ ଆମେ କ୍ଷମତାକୁ ଆସିଲେ ଚାଷୀଙ୍କୁ ସୋଲାର ପମ୍ପସେଟ ଦେବୁ, ୫ ବର୍ଷ ପାଇଁ ଚାଷ କାର୍ଯ୍ୟର ବିକାଶ ଲାଗି ଆର୍ଥିକ ସହାୟତା ଦେବୁ । ଆମେ ସେହି କଂଗ୍ରେସ ଲୋକ । ବିଜେପି ବିଜେଡି ପରି ନୁହେଁ । ଯେଉଁ ଦିନ ସରକାରକୁ ଆସିବୁ ସେହି ଦିନ ଋଣଛାଡ କରିବୁ । ସେ ବିଜେପି ହୁଅନ୍ତୁ କି ବିଜେଡି ହୁଅନ୍ତୁ ତାଙ୍କର ଏବେ ଚାଷୀଙ୍କ କଥା ମନେ ପଡୁଛି । ଯେଉଁଦିନ ଠାରୁ ପିସିସି ଦାୟିିତ୍ୱ ନେଇଛି ସେହି ଦିନ ଏ କଥା କହିଛି । ଏଣୁ ଚାଷୀ ପାଇଁ କାହାର ଆନ୍ତରିକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେମାନେ ଭୋଟ ଲାଗି ଏକଥା କହୁଛନ୍ତି ବୋଲି ନିରଞ୍ଜନ ଆକ୍ଷେପ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି । ଏହାକୁ ଲକ୍ଷ କରି ନିରଞ୍ଜନ କଟାକ୍ଷ କରି କହିଛନ୍ତି, ମୋଦୀ ପ୍ରଚାରକୁ ଆସିବା ଲାଭ । ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ନିର୍ବାଚନରେ ଯେଉଁ ସବୁ ରାଜ୍ୟରେ ମୋଦୀ ପ୍ରଚାର କରିଛନ୍ତି ସେଥିରେ ୭୦ ପ୍ରତିଶତ ଆସନରେ ବିଜେପି ହାରିଛି । ଏଣୁ ମୋଦୀ ପ୍ରଚାରକୁ ଆସନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।

https://www.onakhabar.com/agriculture-loan-rahul-target-to-modi/