OnaKhabar

ଏବେ ବି କଣ ବିଜେଡି ଡରୁଛି, ନାଁ ଅନ୍ୟ କିଛି

54

ଭୁବନେଶ୍ୱର: ରାଫେଲ ବନ୍ଧୁକ କିଣା ଘଟଣାକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି । ବିଶେଷ କରି ସୁପ୍ରିମକୋର୍ଟଙ୍କ ରାୟ ଏ ସମ୍ପର୍କରେ ଆସିବା ପରେ ରାଜନୀତି ଅଧିକ ହୋଇଛି । ବିଜେପି ଏ ଘଟଣାରେ କଂଗ୍ରେସଠାରୁ କ୍ଷମା ପ୍ରାର୍ଥାନ ଦାବି କରୁଛି । କିନ୍ତୁ କଂଗ୍ରେସ ଏ ଘଟଣାରେ ପାଲଟା ଆକ୍ରମଣ କରିବାରେ ଲାଗିଛି । ଲୋକସଭାରେ ଥିବା ପବ୍ଲିକ ଆକାଉଣ୍ଟସ କମିଟି (ପିଏସସି) ମାଧ୍ୟମରେ ଏଥିରେ ହସ୍ତକ୍ଷେପ କରିବା ପାଇଁ କଂଗ୍ରେସ ଚାହୁଁଛି । ପିଏସସି ଅଧ୍ୟକ୍ଷ ହେଉଛନ୍ତି କଂଗ୍ରେସ ସଂସଦୀୟ ଦଳର ନେତା ମଲିକାର୍ଜୁନ ଖାର୍ଗେ । ସେ ଉଭୟ ଆଟର୍ଣ୍ଣି ଜେନେରାଲ (ଏଜି) ଓ କମ୍ପ୍ରଟ୍ରୋଲ ଆଣ୍ଡ ଅଡିଟର ଜେନେରାଲ ସିଏଜିଙ୍କୁ ସମନ କରିବା ପାଇଁ ପିଏସି ଅଧ୍ୟକ୍ଷ ଖାର୍ଗେ ଚାହୁଁଛନ୍ତି । ଏ ନେଇ ସେ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏହି ପ୍ରସ୍ତାବକୁ ପିଏସସିରେ ସଦସ୍ୟ ଥିବା ବରିଷ୍ଠ ବିଜେଡି ନେତା ସାଂସଦ ଭର୍ତ୍ତୃହରି ମହତାବ ବିରୋଧ କରିଛନ୍ତି । ଖାର୍ଗେଙ୍କ ପ୍ରସ୍ତାବକୁ ସେ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ବିଜେପିକୁ ଅଡୁଆରେ ପକାଇବାକୁ ଥିବା ଏହି ପ୍ରସ୍ତାବରେ ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ଆଲୋଚନା ହେଉଛି । କୁହାଯାଉଛି ବିଜେଡି କଣ ଏବେବି ବିଜେପିକୁ ଭୟ କରୁଛି? ନାଁ ବର୍ତ୍ତମାନ କଂଗ୍ରେସ ସହ ଭିତିରି ସମ୍ପର୍କ ଥିବା ନେଇ ବିଜେପି ଯେଉଁ ଅଭିଯୋଗ କରିଆସୁଛି ତାକୁ ଭୁଲ ପ୍ରମାଣିତ କରିବା ପାଇଁ ବିଜେଡି କଂଗ୍ରେସ ସହ ନାହିଁ ବୋଲି ଜଣେଇବା ପାଇଁ ତାର ପ୍ରସ୍ତାବରେ ରାଜି ହୋଇନଥିବା କଥା କୁହାଯାଉଛି ।
ଏବେ ଶେଷ ହୋଇଥିବା ୫ଟି ରାଜ୍ୟର ଫଳାଫଳ ମଧ୍ୟରୁ ୩ ପ୍ରମୁଖ ରାଜ୍ୟରେ ବିଜେପି ପରାୟଜବରଣ କରିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ସରକାର ଥାଇ ଆଉ ଫେରିପାରିନାହିଁ । ଏହି ନିର୍ବାଚନ ଫଳାଫଳକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଏହା ହେଉଛି ‘ମୁଡ ଅଫ ନେସନ’ ଅର୍ଥାତ ଦେଶର ଲୋକଙ୍କ ମନଭାବର ଏହା ହେଉଛି ପ୍ରତିଫଳନ । ଏଣୁ ବିଜେପିକୁ ଲୋକେ କ୍ରମେ ଦୂରେଇବା ଆରମ୍ଭ କରିଛନ୍ତି ବୋଲି ନବୀନ କହୁଛନ୍ତି । ଏ କ୍ଷେତ୍ରରେ ବିଜେପିକୁ ଆଉ ବିଜେଡିର ଭୟ କରିବାର କିଛି ନାହିଁ । କାରଣ ଆଗାମୀ ଦିନରେ ପୁଣି କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବ ଏ କଥା ମଧ୍ୟ ଭରଷା ଦେଇ କେହି କହିପାରୁନାହାଁନ୍ତି । ପୂର୍ବରୁ ବିଜେପିକୁ ପ୍ରତ୍ୟେକ୍ଷ ଭାବରେ ହେଉ ବା ପରୋକ୍ଷ ଭାବରେ ହେଉ ଯେଉଁ ସମର୍ଥନ ଦେଇ ଆସୁଥିଲା ସେ ବାଧ୍ୟବାଧକତା ଆଉ ଏବେ ବିଜେଡି ପାଖରେ ନାହିଁ ବୋଲି କୁହାଯାଉଛି । ସେଥିପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଖୋଲା ଆହ୍ୱାନ ଦେବାରେ ଲାଗିଛନ୍ତି ବିଜେଡି ନେତାମାନେ । ଏଣୁ କଂଗ୍ରେସ ସଂସଦୀୟ ଦଳର ନେତା ତଥା ପିଏସସି ଅଧ୍ୟକ୍ଷ ଶ୍ରୀ ଖର୍ଗେ ବିଜେପିକୁ ଘେରିବା ପାଇଁ ଆଣିଥିବା ପ୍ରସ୍ତାବରେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ରାଜି ନ ହେବା କାରଣ କଣ । ଏଭଳି ନିଷ୍ପତ୍ତି ଭର୍ତ୍ତୃହରି ନିଜେ ନେଇ ନ ଥିବେ ନିଶ୍ଚେ ଏହା ପଛରେ ଦଳର ମତାମତ ଥିବ । ଭର୍ତ୍ତୃହରି ଅବଶ୍ୟ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହାର ମଧ୍ୟ ଯଥାର୍ଥ ଅଛି । ସେ କହିଛନ୍ତି ରାଫେଲ ରାଜିନାମା ରିପୋର୍ଟ କମିଟିକୁ ମିଳିନାହିଁ । ବ୍ୟକ୍ତିଗତ କ୍ଷମତା ଆଧାରରେ ପିଏସସି ଅଧ୍ୟକ୍ଷ ଏଜି ଓ ସିଏଜିଙ୍କୁ ସମନ କରିପାରନ୍ତି । କିନ୍ତୁ ପୁରା କମିଟି ନିକଟରେ ସେମାନଙ୍କୁ ହାଜର ହେବାକୁ ସମନ ଜାରି କରିପାରିବେ ନାହିଁ । କାରଣ ୨୦୧୮-୧୯ ଏଜେଣ୍ଡାରେ ରାଫେଲ ରାଜିନାମା ପ୍ରସଙ୍ଗ ନାହିଁ । କିନ୍ତୁ କଥା ଉଠୁଛି ବିଜେପିକୁ ଅଡୁଆରେ ପକାଇବା ପାଇଁ କଂଗ୍ରେସ ଏଭଳି ଏକ ପ୍ରସ୍ତାବ ପିଏସି ମାଧ୍ୟମରେ ଆଣିବାକୁ ଚାହୁଁଛି । ଏ କ୍ଷେତ୍ରରେ ବିଜେଡି ସହଯୋଗ କରିବା କଥା । କିନ୍ତୁ ସହଯୋଗ ନ କରିବା ନେଇ ଅନ୍ୟ କଣ ଭିନ୍ନ କାରଣ ଅଛି କି ବୋଲି କଥା ଉଠୁଛି ।
ଏକଥା କୁହାଯାଉଛି ଯେ, ଯଦି କଂଗ୍ରେସ ପ୍ରସ୍ତାବରେ ବିଜେଡି ରାଜି ହୁଏ ତେବେ ବିଜେପି ଆହୁରି ବୁଲି ବୁଲି ପ୍ରଚାର କରିବ ଉଭୟଙ୍କ ଭିତିରି ସମ୍ପର୍କ ନେଇ । କଂଗ୍ରେସ ଓ ବିଜେଡିର ପରସ୍ପର ମଧ୍ୟରେ ଭିତିରି ସମ୍ପର୍କ ଥିବା ଯୋଗୁ ଶ୍ରୀ ଖର୍ଗେ ଆଣିଥିବା ପ୍ରସ୍ତାବରେ ବିଜେଡି ରାଜି ହୋଇଛି । ରାଜ୍ୟରେ ମଧ୍ୟ ଦୀର୍ଘଦିନ ହେଲା ବିଜେପି କହିଆସୁଛି ଯେ, କଂଗ୍ରେସ ଓ ବିଜେଡି ମଧ୍ୟରେ ଭିତିରି ଡିଲ ହୋଇଛି । ଏ କଥା ଦର୍ଶାଇ ବିଧାନସଭାରେ ବିଜେପି ପ୍ରତିବାଦ କରିଥିଲା । ରାଜଭବନ ମଧ୍ୟ ଯାଇଥିଲା । ବିଭିନ୍ନ ଘଟଣାକୁ ନେଇ ବିଜେପି ସମାଲୋଚନା କରିବାରେ ଲାଗିଛି । ଏପରି କି ବିକ୍ଷୋଭ ପାଇଁ ରାଜରାସ୍ତାକୁ ମଧ୍ୟ କଂଗ୍ରେସ ବିରୋଧରେ ଏହି ସମ୍ପର୍କକୁ ନେଇ ଓହ୍ଲାଇଛି । ଏଣୁ ବିଜେପିକୁ ଅଧିକ କହିବା ପାଇଁ ସୂଯୋଗ ନଦେବା ଓ ବାସ୍ତବରେ କଂଗ୍ରେସ ସହ ବିଜେଡିର କୌଣସି ଭିତିରି ସମ୍ପର୍କ ନ ଥିବା ବିଷୟରେ ଲୋକଙ୍କୁ ବିଶ୍ୱାସ ଦେବା ପାଇଁ ଏବଂ ବିଜେପି କେବଳ ମିଥ୍ୟା ଅପପ୍ରଚାର କରୁଛି ବୋଲି ପ୍ରମାଣିତ କରିବାକୁ କଂଗ୍ରେସ ପ୍ରସ୍ତାବରେ ବିଜେଡି ରାଜି ହୋଇ ନ ଥିବା କଥା ଚର୍ଚ୍ଚା ହେଉଛି ।

https://www.onakhabar.com/bjd-is-threatning-to-dr-rout/