OnaKhabar

କେନ୍ଦ୍ର ଉପରେ ମିଳିମିଶି ବର୍ଷିଲେ ବିଜେଡି ମନ୍ତ୍ରୀ, ବିଧାୟକ ଓ ସାଂସଦ

53

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ବିଜେଡି ପକ୍ଷରୁ ଉଦ୍ୟମ କରାଯାଇଛି । ଏଥିନେଇ ଦଳ ଚାଷୀମାନଙ୍କୁ ଦିଲ୍ଲୀ ଚାଲୋ ଡାକରା ଦେଇଛି ଏବଂ ସଂସଦ ଘେରାଉ ପାଇଁ ଘୋଷଣା କରିଛି । ଏଥିପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ବିଜେଡି ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ମିଶି ମନଭରି ଗାଳି ଦେବାକୁ ପଛାଇ ନାହାଁନ୍ତି । କିଏ କହିଲେ ପ୍ରତାରକ, ପ୍ରବଞ୍ଚକ ଓ ବିଶ୍ୱାସଘାତକ ତ ଆଉ କିଏ କହିଲେ ବେଇମାନ, ଧୋକାବାଜ । ଏଭଳି ଚାଷୀଙ୍କ କଥାକୁ ଦ୍ୱାହି ଦେଇ କେନ୍ଦ୍ର ଉପରେ ଜୋରଦାର ବର୍ଷିଛନ୍ତି । ସାଂସଦଭବନ ଘେରିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ରକୁ ସମାଲୋଚନା କରିବାକୁ ଯାଇ ନେତାମାନେ ଏଭଳି ମତମାନ ରଖିଛନ୍ତି ।

କିଏ କହିଲେ ବେଇମାନ, ଧୋକାବାଜ ତ ଆଉ କିଏ କହିଲେ ପ୍ରତାରକ, ବିଶ୍ୱାସଘାତକ

ଆଜି ଦଳୀୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ କୃଷକ ଜନତାର ଅଧ୍ୟକ୍ଷ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମହାସଚିବ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବା ଦାବିକୁ କେନ୍ଦ୍ର ସରକାର ଏଯାଏଁ ଗ୍ରହଣ କରିନାହାଁନ୍ତି । ଏଥିସହ ଚାଷୀଙ୍କ ସମସ୍ୟା ପ୍ରତି ବାରମ୍ବାର କେନ୍ଦ୍ର ସରକାର ଆଖି ବୁଜି ଚାଲିଛନ୍ତି । ଓଡ଼ିଶା ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରୁନାହାଁନ୍ତି କି ବିଧାନସଭା କମିଟି ସହ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ସମୟ ଦେଇନାହାଁନ୍ତି । ଏଣୁ ଏହାର ପ୍ରତିବାଦରେ ଆସନ୍ତା ୬ ତାରିଖରେ ଦିଲ୍ଲୀ ଚାଲୋ ଡାକରା ଦିଆଯାଇଛି । ଏଥିରେ ବିଜେଡି ଓ ବିଜୁ କୃଷକ ଜନତାର ସମର୍ଥକମାନେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀଯିବେ । ୮ ତାରିଖରେ ସଂସଦ ଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିବେ । ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଅନ୍ୟ ରାଜ୍ୟ ପ୍ରସଙ୍ଗ ମଧ୍ୟ ଉଠାଯିବ । ଗତକିଛି ଦିନ ତଳେ ରାଜଭବନ ଏମଏସପି ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲା ବିଜେଡି । ହେଲେ ତଥାପି କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜୁ କୃଷକ ଜନତା ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟ । ତେଣୁ ଦିଲ୍ଲୀ ଯାଇ ଏ ନେଇ ଦାବି ରଖିବାକୁ ବିଜେଡି ପ୍ରସ୍ତୁତ କରିଛି ରଣନୀତି । କେନ୍ଦ୍ର ସକରାର କ୍ଷମତାକୁ ଆସିବା ପରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେହି ଅନୁସାରେ ସ୍ୱାମୀନାଥନ କମିଟି ରିପୋର୍ଟକୁ ମାନି ଧାନର ଉତ୍ପାଦନ ଖର୍ଚ୍ଚ ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଛି ବିଜେଡି । ବିଜେପି ନିର୍ବାଚନ ଇସ୍ତାହାରରେ ବି ଧାନର ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି କରିବା ଏବଂ ପ୍ରଧାନମନ୍ତ୍ରୀ ଏକଥା ନିଜେ ଘୋଷଣା କରିବା ସତ୍ତେ୍ୱ କୌଣସି ପଦକ୍ଷେପ ନିଆଯାଇନାହିଁ । ଓଡ଼ିଶା ମୁଖ୍ୟମନ୍ତ୍ରୀ ଏନେଇ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ହେଲେ କେନ୍ଦ୍ର ସରକାର କର୍ଣ୍ଣପାତ କରିନାହାଁନ୍ତି । ଏଣୁ କେବଳ ଓଡ଼ିଶାର ଚାଷୀଙ୍କୁ ନୁହେଁ ଭାରତ ବର୍ଷର ଚାଷୀମାନଙ୍କୁ କେନ୍ଦ୍ର ସରକାର ପ୍ରତାରଣା କରିଛନ୍ତି ଏବଂ ପ୍ରବଂଚନା ମଧ୍ୟ କରିଛନ୍ତି । ଏପରି କି ବିଶ୍ୱାସଘାତକତା କରିବାକୁ ମଧ୍ୟ ପଛାଇ ନାହାଁନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସେହିପରି ମହାସଚିବ ତଥା ମନ୍ତ୍ରୀ ଶ୍ରୀ ଜେନା କେନ୍ଦ୍ର ଉପରେ ବର୍ଷି ବିଭିନ୍ନ ସମୟରେ ଚାଷୀମାନଙ୍କୁ ଦେଇଥିବା ଭିନ୍ନ ଭିନ୍ନ ପ୍ରତିଶ୍ରୁତିକୁ ପାଳନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଚାଷୀଭାଇମାନଙ୍କ ପ୍ରତି ଧୋକାବାଜି ଓ ବେଇମାନୀ କରିଛନ୍ତି । ଚାଷୀକୂଳକୁ ପ୍ରତାରିତ କରିଥିବାରୁ ଏହାର ପ୍ରତିବାଦ କରିବା ପାଇଁ ବିଜୁ କୃକେ ଜନତା ଦଳ ଓ ବିଜେଡି ପକ୍ଷରୁ ମିଳିତ ଭାବରେ ସଂସଦ ଭବନ ଘେରାଉ କରାଯିବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ସଂଜୟ ଦାଶବର୍ମା, ବିଧାୟକ ଅରୁଣ ସାହୁ ଓ ମୁଖପାତ୍ର ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତଥିଲେ ।

https://www.onakhabar.com/farmers-are-trying-to-entering-into-city-but-police-arrested-him/