OnaKhabar

ଶ୍ରୀକାନ୍ତଙ୍କ ନିଶାନାରେ ନିରଞ୍ଜନ,ଖଣି ଚୋର ପରେ ଆଣିଲେ ଲାଂଚ ଅଭିଯୋଗ

0 18

ଭୁବନେଶ୍ୱର: କଂଗ୍ରେସ ଆଭ୍ୟନ୍ତରୀଣ କନ୍ଦଳ କ୍ରମେ ବୃଦ୍ଧି ପାଇବାରେ ଲାଗିଛି । ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଦଳ ଭିତରେ ଏବେ ବିଦ୍ରୋହୀ ସାଜିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହିଁ ଆକ୍ଷେପ କରି ବାଣ ପରେ ବାଣ ମାରି ଚାଲିଛନ୍ତି । ଆତୀତ ଘଟଣାକୁ ଉଖାରି ନିରଞ୍ଜନଙ୍କ ପ୍ରତିଷ୍ଠାରେ ଆଂଚ ଆଣିବା ପାଇଁ ସେ ଉଦ୍ୟମ କରିଚାଲିଛନ୍ତି । ଆଜି ନିରଞ୍ଜନଙ୍କ ବିରୋଧରେ ସାଙ୍ଘତିକ ଅଭିଯୋଗ ଆଣିଛନ୍ତି ।
ଦଳ ଶୃଙ୍ଖଳା ଭଙ୍ଗ କରିବା ଅବିଯୋଗରେ ଶ୍ରୀକାନ୍ତଙ୍କ ବିରୋଧରେ ବିଚାର ପାଇଁ ଆଜି ଶୃଙ୍ଖଳା ବୈଠକ ବସିବା ପରେ ଏହାକୁ ନେଇ ସେ ଅଧିକ କ୍ଷୁବ୍ଧ ହୋଇଛନ୍ତି ।
ବାରମ୍ବାର ସେ ନିରଞ୍ଜନ ଖଣି ଚୋର ବୋଲି ଆକ୍ଷେପ କରି ଆସୁଥିଲା ବେଳେ ଆଜି ମଧ୍ୟ ପୁଣି ଏହି କଥା କହିବା ସହ ଲାଂଚ ନେଇ ଅତୀତରେ କୋର୍ଟ ନିରଞ୍ଜନଙ୍କ ସଂପର୍କରେ ରଖିଥିବା ଟିପ୍ପଣୀ ବିଷୟ ଉଠାଇ କଡା ସମାଲୋଚନା କରିଛନ୍ତି । ଶ୍ରୀକାନ୍ତ ଆଉ ଚୁପ ହୋଇ ନବସି ପୂରା ଦମରେ ଲାଗିପଡିଛନ୍ତି ନିରଞ୍ଜନଙ୍କୁ ଯେପରି ହେଉ ଜନସାଧାରଣଙ୍କ ଆଗରେ ଅପଦସ୍ତ କରିବେ ।
ଶ୍ରୀକାନ୍ତ ବାରମ୍ବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ଓ ଦଳ ଆଭିମୁଖ୍ୟ ବାହାରେ ଯାଇ ଆଦିବାସୀ, ଦଳିତ ଓ ପଛୁଆ ଶ୍ରେଣୀର ଜଣଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ନେଇ ଦାବୀ ରଖିଛନ୍ତି । ସେ ବାରମ୍ବାର ଗଣମାଧ୍ୟମକୁ ଆସି ମତ ରଖୁଥିବାରୁ ତାଙ୍କ ସମ୍ପର୍କରେ ବାଚାର ପାଇଁ ହେମାନନ୍ଦ୍ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବସିଥିଲା । ବୈଠକ ପରେ ଶ୍ରୀ ବିଶ୍ୱାଳ କହିଛନ୍ତି, ଶ୍ରୀକାନ୍ତଙ୍କ ଆଚରଣ ନେଇ ଶୃଙ୍ଖଳା ବସି ଆଲୋଚନା କରାଯାଇଥିଲା । କମିଟି ସଦସ୍ୟମାନେ ନିଜ ନିଜର ମତ ଦେଇଛନ୍ତି । ଶ୍ରୀକାନ୍ତ ଏଆଇସିସି ସଦସ୍ୟ ହୋଇଥିବାରୁ ତାଙ୍କ ସମ୍ପର୍କରେ ଏଆଇସିସି ନିଷ୍ପତ୍ତି ନେବ । କମିଟିର ମତ ଏଆଇସିସିକୁ ଜଣାଇ ଦିଆଯିବ ।
ଶ୍ରୀ ବିଶ୍ୱାଳଙ୍କ ଏହି ମତ ଆସିବା ପରେ ଶ୍ରୀକାନ୍ତ ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ଏକ ପ୍ରକାରର ସୂଚନା ମିଳୁଛି । ଏହି ବିଷୟ ଗଣମାଧ୍ୟମକୁ ଆସିଲା ପରେ ଶ୍ରୀକାନ୍ତ ଶୃଙ୍ଖଳା ଭଙ୍ଗ ପ୍ରସଙ୍ଗରେ କଡା ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି, ଦଳୀୟ ଶୃଙ୍ଖଳା ଭଙ୍ଗ କଣ ମୁଁ ଜାଣିନାହିଁ । ଏନେଇ ମୋତେ ଯଦି ଏଆସିସି ବା ପିସିସି ପଚାରେ ମୁଁ ଉତ୍ତର ଦେବି । କିନ୍ତୁ ମୁଁ କେବେ ଜୀବନରେ ଖଣି ଚୋରି କରିନାହିଁ । ମୁଁ ଖଣି ଚୋରି କରିନାହିଁ କି ଲାଂଚ ଦେଇ କୋର୍ଟରେ ଭର୍ତ୍ସିତ ହୋଇନି ବୋଲି ଶ୍ରୀକାନ୍ତ କହିଛନ୍ତି ।
ଶ୍ରୀକାନ୍ତ ସବୁବେଳେ ଖଣି ଚୋର ବୋଲି ନିରଞ୍ଜନ କହିଆସୁଛନ୍ତି । କିନ୍ତୁ ଲାଂଚ ଦେଇ କୋର୍ଟରେ ଭର୍ତ୍ସିତ ହେବା କଥା କହିନଥିଲେ । ଅତୀତରେ ନିରଞ୍ଜନ ଯେତେବେଳେ ମନ୍ତ୍ରୀ ଥିଲେ ସେ ସମୟରେ ଏହି ଲାଂଚ ଦେବା ଘଟଣା ନେଇ ଓଡିଶା ହାଇକୋର୍ଟଙ୍କ ଭର୍ତ୍ସନା କରିଥିଲେ । ଏଥିନେଇ ତାଙ୍କୁ ମନ୍ତ୍ରୀ ପଦରୁ ସେତେବେଳେ ଇସ୍ତଫା ଦେବାକୁ ପଡିଥିଲା । କିନ୍ତୁ ପରେ ସୁପ୍ରିମକୋର୍ଟରୁ ନିରଞ୍ଜନଙ୍କୁ ରିହାତି ମିଳିଥିଲା । ହାଇକୋର୍ଟଙ୍କ ରାୟ ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ଶୁଣାଣି କରି ହାଇକୋର୍ଟଙ୍କ ଏହି ରାୟକୁ ଖାରଜ କରିଥିଲେ । ପରବର୍ତ୍ତୀ ସମୟରେ ନିରଞ୍ଜନ ପୁଣି ମନ୍ତ୍ରୀ ହୋଇଥିଲେ । ସୁପ୍ରମିକୋର୍ଟ ଖାରଜ କରିଥିବା ବିଷୟକୁ ଶ୍ରୀକାନ୍ତଙ୍କ ଭଳି ଅଭିଜ୍ଞ ବେଶ ଅବଗତ ଥିବେ । ଏଣୁ ଏ ଘଟଣା କାହିଁକି ଉଖାରିଲେ ତାହା ଆଉ ବୁଝିବାକୁ ବାକି ନାହିଁ ବୋଲି ଆଲୋଚନା ହେଉଛି ।

https://www.onakhabar.com/niranjan-srikanta-disturbance/

Leave A Reply

Your email address will not be published.