OnaKhabar

ମଙ୍ଗଳବାର ବିଜେପି ସହ ଓଡ଼ିଶା ରାଜନୀତିର ଭାଗ୍ୟ ପରୀକ୍ଷା

72

ଭୁବନେଶ୍ୱର: ମଙ୍ଗଳବାର ହେବ ବିଜେପିର ଭାଗ୍ୟ ପରୀକ୍ଷା । ୫ଟି ରାଜ୍ୟର ନିର୍ବାଚନ ଶେଷ ହୋଇଛି । ଆସନ୍ତାକାଲି ହେବ ଗଣତି । ଏହାର ଫଳାଫଳ ଉପରେ ବିଜେପିର ଆଗାମୀ ରାଜନୀତିକ ଭାଗ୍ୟ ନିର୍ଭର କରୁଛି ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ରଖୁଛନ୍ତି । ଏହି ଫଳାଫଳ ଉପରେ କେବଳ ଜାତୀୟସ୍ତରର ନୁହେଁ ଓଡ଼ିଶାର ମଧ୍ୟ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ଆଗକୁ ଯେଉଁ ରାଜନୀତିକ ପରିବର୍ତନ ଓଡ଼ିଶାରେ ହେବାକୁ ଯାଉଛି ଓ ଏଥିନେଇ ଯେଉଁ ପ୍ରକ୍ରୀୟା ଚାଲିଛି ତାହା ଉପରେ ମଧ୍ୟ ପ୍ରଭାବ ପଡ଼ିବ ।
ଓଡ଼ିଶାରେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ୧୨୦ରୁ ଅଧିକ ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି । ଦଳର ତଳୁ ଉପରସ୍ତର ଯାଏଁ ନେତାମାନେ ଏହି ଆଶା ବାନ୍ଧି ବସିଛନ୍ତି । ଏହି ମିଶନର ଘୋଷଣା କରିଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ବିଜେପି ନେତାମାନଙ୍କ କହିବା କଥା ଶାହଙ୍କ ଗଣିତ କେବେ ଫେଲ ମାରେନି । ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ନେଇ ଶାହଙ୍କ ଗଣିତ ସଫଳ ହେବା ପରେ ସେମାନଙ୍କ ବିଶ୍ୱାସ ଅଧିକ ବଢ଼ିଯାଇଛି । ଓଡ଼ିଶାରେ ଏବେ ବିଜେପିର ମାତ୍ର ୧୦ ଜଣ ବିଧାୟକ ଅଛନ୍ତି । ଏହି ସଂଖ୍ୟା ଡେଇଁ ୧୨୦ ହେବ ତାହା କେହି ବିଶ୍ୱାସ ରଖୁ ନ ଥିଲେ ମଧ୍ୟ ବିଜେପି ନେତାମାନେ ଭରଷା କରି ରହିଛନ୍ତି । ଶାହ କହିଛନ୍ତିମାନେ ସେ ନିଶ୍ଚେ କିଛି ସୂଚନା ପାଇଛନ୍ତି ବୋଲି କୁହାଯାଉଛି ।
ଏ କ୍ଷେତ୍ରରେ ୫ ରାଜ୍ୟରେ ଯେଉଁ ନିର୍ବାଚନ ହେଉଛି ସେଥିରେ ଯଦି ବିଜେପି ଫେଲ ମାରିଲା ତେବେ ଏଠାରେ ବିଜେପି ଦେଖୁଥିବା ସ୍ୱପ୍ନ ସାକାର ହୋଇ ନ ପାରେ ବୋଲି କୁହାଯାଉଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମ ଏହି ୫ଟି ରାଜ୍ୟରେ ନିର୍ବାଚନ ହୋଇଛି । ଏଥିରୁ ୩ଟି ରାଜ୍ୟରେ ବିଜେପି ଶାସନ ଅଧିନରେ ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ସରକାର ଥିଲା ବେଳେ ତେଲେଙ୍ଗାନାରେ ଟିଆରଏସ୍ ଓ ମିଜୋରାମରେ କଂଗ୍ରେସ ସରକାର ଅଛି । ଏଣୁ ବିଜେପି ଯଦି ନିଜରସ୍ଥିତି ଫେରି ନ ପାଇଲା ତେବେ ଏହାର ପ୍ରଭାବ ଅନ୍ୟ ରାଜ୍ୟ ଉପରେ ପଡ଼ିବ । ଏଠି ବିଜେପିର ମୁଖ୍ୟ ଶତ୍ରୁ ବିଜେଡ଼ି ଆଉ କୌଣସି ପରିସ୍ଥିତିରେ ଛାଡ଼ିବ ନାହିଁ । ବିଜେପି ନେତାମାନଙ୍କର ମନୋବଳ ମଧ୍ୟ ଭାଙ୍ଗିଯିବ । ସେମାନେ ବି ବର୍ତ୍ତମାନ ଯେଉଁ ଯୋଶ ନେଇ କାର୍ଯ୍ୟ କରୁଛନ୍ତି ସେଥିରେ ଭଟାପଡ଼ିବ । ଫଳରେ କର୍ମୀ ହତୋତ୍ସାହିତ ହେବେ । ଆଉ ଯଦି ବିଜେପି ପୁଣି ନିଜ ସ୍ଥାନ ଅକ୍ତିଆରକରେ ତେବେ ଓଡ଼ିଶାରେ ପଟ୍ଟପରିବର୍ତ୍ତନ ହେବା ସମ୍ଭାବନା ରହିବ ବୋଲି କୁହାଯାଉଛି । ବିଜେପି ଆଗକୁ ଆସୁଛି ଏଭଳି ଏକ ଧାରଣା ଚାରିଆଡ଼େ ସୃଷ୍ଟି ହେବ । କିଛି ନେତା ବର୍ତମାନ ବିଭିନ୍ନ ଦଳରୁ ଡେଇଁବା ପାଇଁ ଯେଉଁ ଉଦ୍ୟମ ଚଳାଇଛନ୍ତି ଏବଂ ଏଥିନେଇ ଯେଉଁ ପ୍ରକ୍ରୀୟା ଆରମ୍ଭ ହୋଇଛି ସେଥିରେ ରୋକ ଲାଗିପାରେ । କିଛି ନେତା ଆଉ ବିଜେଡି ମୁହାଁ ନ ହୋଇ ବିଜେପିକୁ ଡେଇଁବାର ସମ୍ଭାବନା ରହିଛି । ବିଜେପିର ଯେଉଁ ନେତାମାନେ ଘର ଡେଇଁବା ପାଇଁ ଚାହୁଁଛନ୍ତି ସେମାନେ ବି ନିଷ୍ପତ୍ତିନେବାରେ ବିଳମ୍ବ କରିପାରନ୍ତି । ରାଜ୍ୟ ବିଜେପି ନେତାମାନେ ସେମାନଙ୍କର ରାଜନୀତିକ ଆକ୍ରମଣକୁ ଜୋରଦାର କରିଦେବେ । ପୁରା ଜୋସରେ ବିଜେପି କର୍ମୀ ଓ ନେତାମାନେ କ୍ଷମତାକୁ ଆସିବା ଲାଗି ଉଦ୍ୟମ ଚଳାଇବେ । ବିଜେଡି ପାଇଁ ବହୁ ସମସ୍ୟା ସୃଷ୍ଟି ହେବ । ବିଜେପିକୁ ମୁକାବିଲା କରିବା କଷ୍ଟକର ହୋଇପଡ଼ିବ । ଏ ଦୃଷ୍ଟିରୁ ଉକ୍ତ ୫ ରାଜ୍ୟର ଫଳାଫଳ ବିଶେଷ କରି ବିଜେପି ପାଇଁ ବହୁ ମହତ୍ୱ ବହନ କରୁଛି ।
କିନ୍ତୁ ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥାଗୁଡ଼ିକ ପକ୍ଷରୁ ଯେଉଁ ପୂର୍ବାନୁମାନ କରାଯାଇଛି ସେଥିରେ ବିଜେପି ସାଂଘାତିକ ଭାବେ ମାଡ଼ ଖାଉଥିବା ଦର୍ଶାଯାଇଛି । ରାଜସ୍ଥାନ ବିଜେପି ହାତରୁ ଖସି ଯାଇଥିବା କୁହାଯାଇଛି । ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସ୍ଥିତି ଟଳମଳ ରହିଛି । ତେଲେଙ୍ଗାନାରେ ଟିଆରଏସ ପୁଣି କ୍ଷମତାକୁ ଫେରିବ । ମିଜୋରାମରେ କଂଗ୍ରେସ ସଫଳ ହେବନାହିଁ । ଏହି ୫ ରାଜ୍ୟରେ କଂଗ୍ରେସ ସ୍ଥିତି ଭଲ ରହିବ ବୋଲି ଆକଳନ କରାଯାଉଛି । କିନ୍ତୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦୃଢ଼ତାର ସହ କହିଛନ୍ତି ଯେ, ବିଜେପି ଭଲ କରିବ ଏବଂ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସରକାରୁ ଫେରିବ ।
କିନ୍ତୁ ପୂର୍ବାନୁମାନଗୁଡ଼କ ଯଦି ସତ ତେବେ ବିଜେଡି କର୍ମୀ ଓ ନେତାମାନେ ଆଉ ବିଜେପିକୁ ଓଡ଼ିଶାରେ ବାଟ ଚଲାଇ ଦେବିନି । ଜୁଆଡ଼େ ବିଜେପି ଯାଇ କିଛି କାର୍ଯ୍ୟକ୍ରମ କରିବ ସେଠାରେ ପ୍ରବଳ ବିରୋଧର ସମ୍ମୁଖୀନ ହେବ । ଅନ୍ୟପଟରେ ବିଜେପିର ମନୋବଳ ମଧ୍ୟ ଭାଙ୍ଗିଯିବ । ଏ କ୍ଷେତ୍ରରେ ଆସନ୍ତାକାଲିର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି ।