OnaKhabar

କଡ଼ା ଟକ୍କର

0 12

ନୂଆଦିଲ୍ଲୀ : ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମର ବିଧାନସଭାର ଭୋଟଗ୍ରହଣ ଶେଷ ହୋଇଛି । ଏସବୁ ରାଜ୍ୟର ଭୋଟ ସ୍ଥିତିକୁ ଅନୁଧ୍ୟାନ କରି ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ କରାଯାଇଛି ।ଏହି ପୂର୍ବାନୁମାନକୁ ଭିତ୍ତିକରି ବିଭିନ୍ନ ସଂସ୍ଥା ପକ୍ଷରୁ ଯାହା ପ୍ରକାଶ କରାଯାଉଛି ସେଥିରେ ରାଜସ୍ଥାନରେ ବିଜେପି ବଦଳରେ କଂଗ୍ରେସ ଓ ତେଲେଙ୍ଗାନାରେ ଟିଆରଏସ୍ ପୁଣି କ୍ଷମତାକୁ ଆସିବ । ମଧ୍ୟପ୍ରଦେଶ ଓ ଛତିଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି । ମିଜୋରାମରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଫଳାଫଳ ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇଲା ପରେ ଏହି ପୂର୍ବାନୁମାନ କେତେଦୂର ସତ ତାହା ସ୍ପଷ୍ଟ ହେବ । ଅନେକ ସମୟରେ ଏହି ପୂର୍ବାନୁମାନ ଭୁଲ ଭାବରେ ପ୍ରମାଣିତ ହୋଇଥାଏ । ହେଲେ ଏଥର କଣ ହେଉଛି ୧୧କୁ ଅପେକ୍ଷା କରିବାକୁ ପଡ଼ିବ । କୌଣସି ସ୍ଥାନରେ ବିଜେପି ପାଇଁ ଉତ୍ସାହଜନକସ୍ଥିତି ନାହିଁ । ବିଜେପିର ସ୍ଥିତି ଖରାପ ଥିବା ପ୍ରାୟ ଉଣା ଅଧିକ ସର୍ଭେ ସଂସ୍ଥା ଦର୍ଶାଉଛନ୍ତି ।
ସର୍ଭେ ଆକଳନ ଯଦି ଠିକ୍ ହୁଏ ତେବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଝୁଲା ବିଧାନସଭା ଗଠନ ହୋଇପାରେ । ହେଲେ ରାଜସ୍ଥାନରେ ବିଜେପି ପୁଣି କ୍ଷମତାକୁ ଫେରିବ ନାହିଁ ବୋଲି କୁହାଯାଉଛି । କଂଗ୍ରେସ ଏଠାରେ କ୍ଷମତା ଦଖଲ କରିବ ବୋଲି ଦର୍ଶାଯାଇଛି । କିନ୍ତୁ ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆର୍ଏସ୍ ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରାଯାଇଛି । ମାତ୍ର ମିଜୋରାମରେ କଂଗ୍ରେସ ତାର କ୍ଷମତା ହରାଇବ ଏବଂ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି କୁହାଯାଇଛି ।
ମଧ୍ୟପ୍ରଦେଶ: ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି । ୮ଟି ଏକ୍ଜିଟ୍ ପୋଲ୍ରେ କଂଗ୍ରେସ ୧୧୩, ବିଜେପି ୧୦୭ ଓ ଅନ୍ୟାନ୍ୟ ୧୦ ଆସନରେ ବିଜୟୀ ହେବା ନେଇ ଦର୍ଶାଯାଇଛି । କିନ୍ତୁ ଚତୁର୍ଥ ଥର ପାଇଁ କ୍ଷମତା ଅକ୍ତିଆର କରିବାକୁ ଚାହୁଁଥିବା ବିଜେପି ଏଥର ୧୦୨ରୁ ୧୨୦ ଆସନ ପାଇବ ବୋଲି ଆକ୍ସିସ୍ ମାଇଁ ଇଣ୍ଡିଆ – ଇଣ୍ଡିଆ ଟୁ-ଡେ ଏବଂ ଆଜ୍ତକ୍ ଭବିଷ୍ୟବାଣୀ କରିଛନ୍ତି । କଂଗ୍ରେସ ୧୦୪ରୁ ୧୨୨ ଆସନ ପାଇବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ଟାଇମ୍ସ ନାଓ – ସିଏନ୍ଏକ୍ସର ସର୍ଭେ ରିପୋର୍ଟରେ ଭିନ୍ନ କଥା ଦର୍ଶାଯାଉଛି । କୁହାଯାଇଛିି ଏଠାରେ ବିଜେପି ୧୨୬ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ କଂଗ୍ରେସ ୮୯ ଆସନ ପାଇବ । ଇଣ୍ଡିଆ ଟିଭି ସର୍ଭେରେ ବିଜେପି ୧୨୨-୧୩୦ ପାଇଲା ବେଳେ କଂଗ୍ରେସ ୮୬-୯୨ ଆସନ ପାଇବ । ୨୦୧୩ ନିର୍ବାଚନରେ ରାଜ୍ୟରେ ବିଜେପି ୧୬୫, କଂଗ୍ରେସ ୫୮, ବିଏସ୍ପି ୪ ଓ ଅନ୍ୟମାନେ ୩ ଆସନ ପାଇଥିଲେ ।
ରାଜସ୍ଥାନ: ରାଜସ୍ଥାନରେ କଂଗ୍ରେସ ୫ ବର୍ଷ ପରେ ପୁଣି କ୍ଷମତାକୁ ଆସିବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ କଂଗ୍ରେସ ୧୧୫ ଓ ବିଜେପି ୭୬ ଆସନ ପାଇବ । ଅନ୍ୟମାନେ ୮ଟି ଆସନ ପାଇବେ । ୨୦୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ୧୯୯ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି । ଇଣ୍ଡିଆ ଟୁଡେ – ଆକ୍ସିସ୍ ମାଇଁ ଇଣ୍ଡିଆ ସର୍ଭେରେ କଂଗ୍ରେସ ୧୧୯ରୁ ୧୪୧ ଆସନ ପାଇବ । ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ବିଜେପି ୫୫-୭୨ ଆସନ ପାଇବ । ଟାଇମ୍ସ ନାଓ – ସିଏନ୍ଏକ୍ସ ସର୍ଭେରେ କଂଗ୍ରେସ ୧୦୫ ଓ ବିଜେପି ୮୫ ଆସନ ପାଇବେ ।
ଏସବୁ ସର୍ଭେ ଅନୁସାରେ ଛତିଶଗଡରେ ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଛି । ସର୍ଭେ ସଂସ୍ଥାଙ୍କ ଭବିଷ୍ୟବାଣୀ ଅନୁଯାୟୀ ବିଜେପି ୪୦, କଂଗ୍ରେସ ୩୯ ଏବଂ ବିଏସ୍ପି ଗୋଟିଏ ଆସନରେ ବିଜୟୀ ହେବ । ମାତ୍ର ଟାଇମ୍ସ ନାଓ – ସିଏନ୍ଏକ୍ସ ରିପୋର୍ଟ ଅନୁଯାୟୀ ବିଜେପି ପୁଣି କ୍ଷମତାକୁ ଫେରିବ । ଦଳ ଏକାକୀ ୪୬ ଆସନ ପାଇ ସଂଖ୍ୟାଗରିଷ୍ଠତା ହାସଲ କରିବ ଆଉ କଂଗ୍ରେସ ୩୫ ଆସନ ପାଇବ । ଏହାଛଡ଼ା ପୂର୍ବତନ କଂଗ୍ରେସ ନେତା ଅଜିତ୍ ଯୋଗୀ ଓ ମାୟାବତୀଙ୍କ ବିଏସ୍ପି ୭ ଆସନ ପାଇବେ । ଇଣ୍ଡିଆ ଟିଭି ସର୍ଭେରେ ବିଜେପି ୪୨ରୁ ୫୦ ଆସନ ପାଇବ । କଂଗ୍ରେସ ୩୨ରୁ ୩୮ ଆସନ ପାଇଲା ବେଳେ ଯୋଗୀ – ବିଏସ୍ପି ୮ ଆସନ ପାଇବେ । ସି ଭୋଟର – ରିପବ୍ଲିକ୍ ଟିଭି ପୋଲ୍ ଅନୁଯାୟୀ ବିଜେପି ୩୫-୪୩ ଓ କଂଗ୍ରେସ ୪୦-୪୫ ଏବଂ ଯୋଗୀ – ବିଏସ୍ପି ମେଂଟ ୩-୭ ଆସନ ପାଇବେ । ଆକ୍ସିସ୍ ମାଇଁ ଇଣ୍ଡିଆ – ଇଣ୍ଡିଆ ଟୁ-ଡେ ଏବଂ ଆଜ୍ତକ୍ ରିପୋର୍ଟରେ କଂଗ୍ରେସ ୫୫-୬୫ ଆସନ ପାଇ ସବୁଠାରୁ ଆଗରେ ରହିଲା ବେଳେ ବିଜେପି ମାତ୍ର ୨୧-୩୧ ଆସନ ପାଇବ । ଛତିଶଗଡ଼ର ୯୦ ଆସନରୁ ଯେକୌଣସି ଦଳ ୪୬ ଆସନ ପାଇଲେ ସରକାର ଗଠନ କରିବ ।
ତେଲେଙ୍ଗାନା: ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବିଧାନସଭା ଅବଧି ସରିବା ପୂର୍ବରୁ ଆଗୁଆ ଭଙ୍ଗକରି ନିର୍ବାଚନକୁ ଯିବା ନେଇ ଯେଉଁ ଉଦ୍ଦେଶ୍ୟ ରଖିଥିଲେ ଯେଉଁ ଉଦ୍ଦେଶ୍ୟ ରଖିଥିଲେ ତାହା ସଫଳ ହେବାକୁ ଯାଉଛି । ସର୍ଭେ ଆକଳନରେ ଟିଆର୍ଏସ୍ ୬୬ ଆସନ ପାଇବା ସମ୍ଭାବନା ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ମେଂଟ ୩୯ ଓ ବିଜେପି ୫ ଆସନ ପାଇବ ବୋଲି ଜଣାପଡ଼ିଛି । ଟାଇମ୍ସ ନାଓ – ସିଏନ୍ଏକ୍ସ ପୋଲ୍ ଅନୁଯାୟୀ ଟିଆର୍ଏସ୍ ବିଧାନସଭାର ୧୧୯ ଆସନରୁ ୬୬ ଆସନ ପାଇବ ତେବେ ସରକାର ଗଠନ ପାଇଁ ୬୦ ଆସନ ଆବଶ୍ୟକ । ଦି ଆକ୍ସିସ୍ ମାଇଁ ଇଣ୍ଡିଆ – ଇଣ୍ଡିଆ ଟୁଡେ ଏବଂ ଆଜ୍ତକ୍ ସର୍ଭେରେ ଟିଆର୍ଏସ୍ ୭୯-୯୧ ଆସନ ପାଇଲା ବେଳେ କଂଗ୍ରେସ ମେଂଟ ୨୧-୩୩ ଆସନ ପାଇବ ।
ମିଜୋରାମ: କଂଗ୍ରେସର ଦୁର୍ଗ କୁହଯାଉଥିବା ଉତର ପୂର୍ବାଂଚଳ ଏଥର ହାତଛଡ଼ା କରିବାକୁ ପଡିବ ବୋଲି ଏକ୍ଜିଟ୍ ପୋଲ ପୂର୍ବାନୁମାନ କରିଛି । ତେବେ କୌଣସି ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିନପାରେ । ରିପବ୍ଲିକ୍ ଟିଭି-ସିଭୋଟର୍ ମିଜୋରାମରେ ଝୁଲା ବିଧାନସଭା ହେବ ବୋଲି ପୂର୍ବାନୁମାନ କରିଛି । ବିରୋଧୀ ଏମ୍ଏମ୍ଏଫ୍ ୪୦ ବିଧାନସଭା ଆସନରୁ ୧୬-୨୦ ଆସନ ପାଇବ । କଂଗ୍ରେସ ୧୪ରୁ ୧୮ ଆସନ ପାଇପାରେ କିନ୍ତୁ ବିଜେପି ଏଠାରେ ସମ୍ପୂର୍ଣ୍ଣ ନିରାଶ ହୋଇପାରେ । ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୨୧ ।

Leave A Reply

Your email address will not be published.