OnaKhabar

ପାଳଗଦାରେ ଛିଡ଼ା ହୋଇ କେହି ବଡ଼ ହୁଏନି: ବିଜୟ

62

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ତାଙ୍କ ଫେସବୁକରେ ବିଜେପି ସଂପର୍କରେ ଅନେକ କିଛି ମତ ରଖିଛନ୍ତି । ନିଜେ କିପରି ଷଡଯନ୍ତ୍ରର ଶିକାର ହେଲେ ତାହା ରଖିବା ସହ ବିଜେପି ଆଗକୁ କ୍ଷମତା ଦଖଲ କରିବା ପାଇଁ ସ୍ୱପ୍ନ ଦେଖିଥିବାରୁ ତାକୁ ତାତ୍ସଲ୍ୟ କରିଛନ୍ତି । ବିଜେପି କିପରି ପାଳଗଦା ଉପରେ ଛିଡ଼ା ହୋଇ ନିଜକୁ ବଡ଼ ବୋଲି ଭାବୁଛି ତାହା ସେ ଦର୍ଶାଇଛନ୍ତି । କେନ୍ଦ୍ରାପଡ଼ାରେ ତାଙ୍କୁ ବିରୋଧ କରିବା ପାଇଁ ବିଧିବଦ୍ଧ ଯୋଜନା କରାଯାଇଥିବା କଥା ମଧ୍ୟ ଉଠାଇଛନ୍ତି ।
ବିଜୟ କହିଛନ୍ତି, ମହାନଦୀ ପ୍ରସଙ୍ଗରେ ମୋର ମତ ଅତି ସ୍ପଷ୍ଟ ଭାବରେ ରଖିଥିଲି । ବହୁତ ବିରୋଧ ସେତେବେଳେ ହୋଇଥିଲା । କିନ୍ତୁ ମହାନଦୀ ପ୍ରସଙ୍ଗରେ ମତ ରଖିଲା ବେଳେ ଥରେ ହେଲେ ଦଳ ଅଫିସରେ ମିଟିଂ ଡାକି କୌଣସି ନିଷ୍ପତ୍ତି ନିଆଗଲା ନାହିଁ । ଶେଷକୁ ମୁଁ ଯେଉଁ ମତ ରଖିଥିଲି ଦଳୀୟ ନେତାମାନେ ପ୍ରାୟ ମତ ରଖିଲେ । କିନ୍ତୁ ପ୍ରଥମରୁ ଛତିଶଗଡ଼ ସରକାରଙ୍କ ଓକିଲାତି କଲେ । ଓଡ଼ିଶାରେ ଆମେ ରାଜନୈତିକ କାର୍ଯ୍ୟକ୍ରମ କରିବା, ଆଉ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯେଉଁ ପଡୋଶୀ ରାଜ୍ୟମାନେ ପଦକ୍ଷେପ ନେବେ ଏବଂ ଓଡ଼ିଶାର ସ୍ୱାର୍ଥ ବିରୋଧୀ ପଦକ୍ଷେପ ତାକୁ ସମର୍ଥନ କରିବା ଠିକ ନୁହେଁ । ପ୍ରଥମରୁ କହିଥିଲେ, ପରବର୍ତ୍ତୀ ଅବସ୍ଥାରେ ତାକୁ ବଦଳାଇଲେ । କେନ୍ଦ୍ରପଡ଼ା ଜିଲ୍ଲାରେ ଓ ପାଟକୁରା, ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ବିଧିବଦ୍ଧ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ମୋତେ ବିରୋଧ କରାଗଲା । ଖୋଲାଖୋଲି ଭାବରେ କରାଗଲା, ଆଜି ବି କରାଯାଉଛି । ସେଥିପାଇଁ ମୁଁ ଦୁଃଖିତ ନୁହେଁ କି ବିବ୍ରତ ନୁହେଁ । କରନ୍ତୁ, କରିକି ଯଦି କିଛି ସଫଳତା ପାଇବେ ମୁଁ ଖୁସି ହେବି । କିନ୍ତୁ ପାଳଗଦା ଉପରେ ଛିଡ଼ା ହୋଇ ନିଜର ଉଚ୍ଚତା ମାପିଲେ ତାହା ବାସ୍ତବ ଉଚ୍ଚତା ହୁଏନାହିଁ । ଏହାକୁ ରାଜନୀତିକ ନେତୃବୃନ୍ଦମାନେ ମନେ ରଖିବା ଉଚିତ । ଯିଏ ଯେଉଁ ସ୍ତରରେ ଥାନ୍ତୁ, କି ଦଳରେ ଥାନ୍ତୁ । ପାଳଗଦା ଉପରେ ଛିଡ଼ା ହୋଇ ଉଚ୍ଚତା ମପାଯାଏନି, ଲୋକେ ଯାହାର ଉଚ୍ଚତା ଯେତେ ତାହା ଦେଖୁଛନ୍ତି ଓ ଜାଣୁଛନ୍ତି । ଯାହା ଘଟଣା ଲୋକେ ତାକୁ ଦେଖୁଛନ୍ତି ଓ ଜାଣୁଛନ୍ତି । ସେଦୃଷ୍ଟିରୁ ବହୁ ଅନୁଶୀଳନ କରିବା ଆବଶ୍ୟକତା ରହିଛି । ଅନୁଶୀଳନ କରନ୍ତୁ, ଆତ୍ମ ଚିନ୍ତନ କରନ୍ତୁ ବା ଆତ୍ମ ସମୀକ୍ଷା କରନ୍ତୁ, ଆମେ କେଉଁ ଅବସ୍ଥାରେ ଅଛୁ । ସେଥିପାଇଁ ମୋ ଚିଠିରେ ମୁଁ ଉଲ୍ଲେଖ କରିଥିଲି ୪୦ହଜାର ଅଧିକ ଭୋଟରେ ପରାଜିତ ହେଲେ ବିଜେପୁରରେ । ଯେତେବେଳେ ଚିତ୍ରତାରକାମାନଙ୍କୁ ଏଠାରୁ ହେଲିକପ୍ଟରେ ବୁହା ହୋଇ ବରଗଡ଼ ନେଲେ । ବହୁ ଲୋକଙ୍କୁ ଯୋଗଦାନ କରାଯାଉଥିଲା । ସେତେବେଳେ କାହିଁକି ଏପରି ବିପର୍ଯ୍ୟୟ ହେଲା ତାକୁ କେହି ଅନୁସନ୍ଧାନ କଲେନି, କି ଚର୍ଚ୍ଚା କଲେନି କି ଆଲୋଚନା କଲେନି । ଘରେ ଭିତରେ ସମସ୍ତେ ଆତ୍ମ ଚିନ୍ତନ କରିବାରେ ଲାଗିଲେ । ଫଳରେ ଆମେ କ୍ରମଶଃ ଦିନକୁ ଦିନ ତଳକୁ ତଳ ଗଲୁ ।
ମୋର ମନେ ଅଛି ଗୋଟେ ସମୟରେ ୨୦୦୦-୨୦୦୯ ମଧ୍ୟରେ ଓଡ଼ିଶାରେ ସରକାର ଥିଲେ । ୯ ବର୍ଷ ଶାସନ ଗାଦିରେ ରହିଲା ପରେ ମଧ୍ୟ ୨୦୦୯ ମସିହା ନିର୍ବାଚନରେ ୯ଟି ବିଧାନସଭା ଆସନ ଜିତିବା କଷ୍ଟ ହେଲା । ଏଥିରୁ ଅନୁଭବ କରିବା ଦରକାର ଲୋକେ ଆମକୁ କେଉଁ ଦୃଷ୍ଟିରୁ ଦେଖୁଛନ୍ତି । ଲୋକଙ୍କ ଚିନ୍ତା କ’ଣ ଆମ ଉପରେ ମତ କ’ଣ । ତାକୁ ଯଦି ଆମେ ଆଇନାରେ ଦେଖି ନପାରିବା ତେବେ ହୁଏତ ଆମର ଛବିକୁ ଆମେ ମାପି ପାରିବା ନାହିଁ । ଲୋକମତକୁ ସମ୍ମାନ ଦେବାନାହିଁ । ଏଭଳି ବହୁ ଘଟଣା ଓ ବହୁ ପ୍ରସଙ୍ଗ ରହିଛି । ଆଜି ବି ସେ କେନ୍ଦ୍ରାପଡ଼ା ଜିଲ୍ଲାରେ ହେଉ କି ପାଟକୁରା, ମହାକାଳପଡ଼ାରେ ହେଉ । ଯେଉଁମାନେ ଅଭିଯାନ ଆରମ୍ଭ କରିଛନ୍ତି ତାହା କେବଳ ବିଜୟ ମହାପାତ୍ରଙ୍କ ବିରୋଧ ଅଭିଯାନ । ଦଳକୁ ଆମେ ଉପରକୁ ନେବା ସେ ଅଭିଯାନ ନାହିଁ । ବିଜୟ ମହାପାତ୍ରଙ୍କ ବିରୋଧ ଲଢ଼ିବା ଏକ ମୁଖ୍ୟ କାର୍ଯ୍ୟକ୍ରମରେ ପରିଣତ ହୋଇଯାଇଛି । ଭଲ କଥା ହେଉ, କେନ୍ଦ୍ରାପଡ଼ା ଲୋକଙ୍କର ଏବେ ବି ଆର୍ଶୀବାଦ ଓ ଭଲପାଇବା ମୋ ଉପରେ ରହିଛି । ଏଥିରେ ମୋ ମନରେ ତିଳେହେଲେ ସନ୍ଦେହ ନାହିଁ ବୋଲି ବିଜୟ କହିଛନ୍ତି ।