OnaKhabar

ମୋଦୀଙ୍କୁ ନବୀନଙ୍କ ଚିଠି: ନେତୃତ୍ୱ ନେଇ ମହିଳା ସରଂକ୍ଷଣ ବିଲ ଶୀଘ୍ର ଗୃହୀତ କରନ୍ତୁ

60

ଭୁବନେଶ୍ୱର : ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚିଠି ଲେଖିଛନ୍ତି । ଓଡିଶା ବିଧାନସଭାରେ ଗତ ଅଧିବେଶନରେ ଏନେଇ ଏକ ସଂକଳ୍ପ ପାରିତ ହୋଇଥିବା ବିଷୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଆପଣ ଭଲ ଭାବେ ଜାଣିଛନ୍ତି ମହିଳାମାନଙ୍କ ପାଇଁ ସଶକ୍ତିକରଣ ପାଇଁ ଓଡିଶା ହେଉଛି ଆଗ୍ରଣୀ ରାଜ୍ୟ । ମହାନ ନେତା ବିଜୁ ପଟ୍ଟନାୟକ ସମଗ୍ର ଦେଶରେ ପ୍ରଥମେ ୧୯୯୦ରେ ଏକ ରାଜନୈତିକ ନିଷ୍ପତ୍ତି ନେଇ ପଂଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ କରିଥିଲେ । ଏଥିସହ ମହିଳା ପୁରୁଷଙ୍କ ମଧ୍ୟରେ ଭେଦ ଭାବ ଦୂର କରିବା ଓ ଶ୍ରମିକମାନଙ୍କୁ ସମ୍ମାନ ଦେବା ପାଇଁ ସମାନ ମଜୁରୀର ବ୍ୟବସ୍ଥା କରିଥିଲେ । ୨୦୧୧ରେ ଓଡିଶା ସରକାର ପଂଚାୟତ ଓ ପୌର ନିର୍ବାଚନରେ ମହିଳାମାନଙ୍କ ସଂରକ୍ଷଣ ସଂଖ୍ୟା ୫୦ ପ୍ରତିଶତକୁ ବଢାଇଛନ୍ତି । ମହିଳାମାନଙ୍କୁ ସଶକ୍ତକରଣ କରିବା ଲାଗି ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା ସେମାନେ ଉତ୍ସାହିତ ହୋଇ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ନିକଟରେ ଓଡିଶା ବିଧାନସଭାରେ ମହିଳାମାନଙ୍କ ଲାଗି ଉଭୟ ଲୋକସଭା ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଲାଗି ସଂକଳ୍ପ ଗୃହୀତ କରାଯାଇଛି । ଏହି ସଂକଳ୍ପର ଏକ ନକଲ ପଠାଇବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ମହିଳା ସଶକ୍ତିକରଣ ଅର୍ଥ ଦେଶର ସଶକ୍ତିକରଣ । କୌଣସି ଘର, ସମାଜ, ରାଜ୍ୟ ଓ ଦେଶ ଆଗକୁ ଆଗେଇ ପାରିବ ନାହିଁ ଯେପର୍ଯ୍ୟନ୍ତ ମହିଳାମାନେ ଆଗକୁ ନ ବଢିଛନ୍ତି । ଏଣୁ ଆପଣ ଦୟାକରି ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲକୁ ଗୃହୀତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନେତୃତ୍ୱ ନିଅନ୍ତୁ । ଏ ଦିଗରେ ମୋ ସରକାର ଆପଣଙ୍କୁ ପୂରା ସହେଯାଗ ଦେବ ବୋଲି ମୁଁ ପ୍ରତିଶୃତି ଦେଉଛି । ମହାତ୍ମା ଗାନ୍ଧୀ ସବୁବେଳେ ଲିଙ୍ଗଗତ ସମାନତା ଓ ସମାଜରେ ମହିଳା ସଶକ୍ତିକରଣ ଉପରେ କହୁଥିଲେ । ଏଣୁ ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇ ମହିଳାଙ୍କୁ ଦେଶରେ ସଶକ୍ତିକରଣ କରାଗଲେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀରେ ତାଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳୀ ହେବ ବୋଲି ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ।