OnaKhabar

ଖୁବ୍ ଶୀଘ୍ର ବିଜେପିରେ ମିଶିପାରନ୍ତି ଜୟ!

60

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚାଲିଛି ମିଶ୍ରଣ ପର୍ବ । କେତେବେଳେ କେଉଁ ନେତା ଓ ଅଫିସର ରାଜନୀତିକ ଦଳରେ ସାମିଲ ହେଉଛନ୍ତି ତାହା ଜାଣିବା କଷ୍ଟକର । ଆଇଏସ ଚାକିରି ଛାଡି ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେଇଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେପି ଛାଡିଛନ୍ତି । ଏହି ଦୁଇ ନେତା କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି । କିନ୍ତୁ ବିଜେଡି ଉଭୟଙ୍କୁ ନେବା ପାଇଁ ଆଗ୍ରହ ଦେଖାଇଛି । ଏହି ମିଶ୍ରଣ ପର୍ବ ଭିତରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ବିଜେଡି ଛାଡିବା ପରେ ଏଯାଏଁ କୌଣସି ଦଳରେ ଯୋଗ ଦେଇ ନାହାନ୍ତି । ତାଙ୍କୁ ନେଇ ମଧ୍ୟ ନାନା କଳ୍ପନା ଜଳ୍ପନା ଚାଲିଛି । ଏବେ ଆଲୋଚନା ହେଉଛିି, ସେ କୁଆଡେ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ । ଆସନ୍ତା ୧୫ କିମ୍ବା ୧୬ ତାରିଖରେ ତାଙ୍କର ଯୋଗଦାନ ସମ୍ଭାବନା ରହିବା କଥା କୁହାଯାଉଛି । ଡା. ଦାମୋଦର ରାଉତ ଗଠନ କରିଥିବା ବିଜୁ ସମତା କ୍ରାନ୍ତି ଦଳରେ ସେ ସାମିଲ ହେଲେ ନାହିଁ ଏକଥା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି ।
ବୈଜୟନ୍ତ ବିଜେପିରେ ଯୋଗ ଦେବା ନେଇ ବହୁ ଆଗରୁ ଆଲୋଚନା ହେଉଛି । କାରଣ ଆଜି ସେ ଯଦି ବିଜେଡି ଚାଡିଥାନ୍ତି ଏହାର ମୁଖ୍ୟ କାରଣ ହେଉଛି ସେ ଅତ୍ୟଧିକ ମାତ୍ରାରେ ମୋଦୀ ପ୍ରେମୀ ହୋଇ ନିଜ ସୁପ୍ରିମୋଙ୍କ ରୋଶର ଶିକାର ହେବା । ବିଜେଡିକୁ ବାଏ ବାଏ କରିବା ପରେ ବୈଜୟନ୍ତଙ୍କୁ ଯେତେବେଳେ କେଉଁ ଦଳକୁ ଯିବେ ନେଇ ପ୍ରଶ୍ନ କରାଯାଇଛି ସେ ସବୁବେଳେ ଏହାକୁ ଏଡାଇ ଯାଇଛନ୍ତି । ଗୋଟିଏ କଥା କହିଚାଲିଛନ୍ତି ସେ ବିଭିନ୍ନ ଅଂଚଳ ବୁଲୁଛନ୍ତି ଲୋକଙ୍କ ମତାମତ ନେଉଛନ୍ତି । ଏହାପରେ ସେ ତାଙ୍କର ନିଷ୍ପତ୍ତି ନେବେ । ଯେତେବେଳେ ଡା. ରାଉତ କହିଥିିଲେ ସେ ଯେଉଁ ନୂଆ ଦଳ ଗଢିବାକୁ ଯାଉଛନ୍ତି ସେଥିରେ ବୈଜୟନ୍ତ ସାମିଲ ହେବେ । କିନ୍ୁ ବୈଜୟନ୍ତ ଏହାକୁ ସାଙ୍ଗେ ସାଙ୍ଗେ ଅସ୍ୱୀକାର କରିଥିଲେ । ଆଉ କହିଥିଲେ ସେ ଏଯାଏଁ ନିଷ୍ପତ୍ତି ନେଇ ନାହାନ୍ତି । ତାଙ୍କ ନିଷ୍ପତ୍ତି ସେ ନିଜେ ଜଣାଇବେ । ଏହା ମଧ୍ୟରେ ଡା. ରାଉତ ବୈଜୟନ୍ତଙ୍କ ସମ୍ପର୍କରେ କଡା ଟିପଣୀ ଦେଇଛନ୍ତି । ଯାହା ଗଣମାଧ୍ୟମରେ ପ୍ରକାଶ ହୋଇ ସାରିଛି । ବୈଜୟନ୍ତ ଜଣେ ବେପାରି ଓ ତାଙ୍କର କିଛି ରାଜନୀତିକ ପ୍ରତିବଦ୍ଧତା ନାହିଁ । ଏଣୁ ଏହି ଘଟଣା ପରେ ଆଉ ବୈଜୟନ୍ତ ଡା. ରାଉତଙ୍କ ଦଳରେ ସାମିଲ ହେବେ ନାହିଁ ତାହା ସୂଚନା ମିଳିଥିଲା ।
ଏବେ ଅବସରପ୍ରାପ୍ତ ଆଇଏସ ଅଫିସର ଅପରାଜିତା ଷଡଙ୍ଗୀ ବିଜେପିରେ ସାମିଲ ହୋଇ ସାରିଛନ୍ତି । ଅପରାଜିତାଙ୍କ ଯୋଗଦାନକୁ ନେଇ ବହୁ ଆଲୋଚନା ଚାଲିଛି । ବିଜେପି ତାଙ୍କୁ ବହୁ ଗୁରୁତ୍ୱ ଦେଉଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଆଡେ ଅପରାଜିତାଙ୍କୁ ଦଲକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଅପରାଜିତା ଆସିଲା ପରେ ବିଜେପି ଯେପରି ଏକ ବଡ ଗଡ ଜୟ କରିଛି ସେହିପରି ଆଚ୍ଚରଣ ପର୍ଦଶନ କରିବାରେ ଲାଗିଛି । ବିରୋଧୀ ଏହି ଘଟଣାକୁ ନେଇ ସମାଲୋଚନା ମଧ୍ୟ କରିବା ଆରମ୍ଭ କରିଦେଇଛନ୍ତି । ଏହି ମିଶ୍ରଣ ଭିତରେ ବିଜେପିରେ ଅପରାଜିତାଙ୍କର ଗୁରୁତ୍ୱ ବଢିଥିବାରୁ ବୈଜୟନ୍ତ ବର୍ତ୍ତମାନ ସୁଯୋଗକୁ ହାତ ଛଡା କରି ପରବର୍ତ୍ତୀ ସମୟରେ ମିଶିବାର ନିଷ୍ପତ୍ତି ନେଲେ ହୁଏତ ଫାଇଦା ହୋଇ ନପାରେ । ଏଣୁ ବର୍ତ୍ତମାନ ସେ ବିଜେପିରେ ସାମିଲ ହୁଅନ୍ତି ତେବେ ତାଙ୍କୁ ପ୍ରାଧାନ୍ୟ ମିଳିପାରେ । ବିଜେଡି ଛାଡିଲା ପରେ ବୈଜୟନ୍ତଙ୍କୁ ବିଜେପି ମିଶିବା ପାଇଁ ଅନେକ ଥର ପ୍ରସ୍ତାବ ଦେଇସାରିଛି । କିନ୍ତୁ କୁହାଯାଉଛି ବୈଜୟନ୍ତ ଯେଉଁ ସବୁ ସର୍ତ୍ତ ରଖୁଛନ୍ତି ତାହା ବିଜେପି ପାଇଁ ଗ୍ରହଣୀୟ ହେଉନାହିଁ । ହେଲେ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ବୈଜୟନ୍ତ ଯଦି ତାଙ୍କ ସର୍ତ୍ତକୁ ଧରି ରହିବେ ତେବେ ତାଙ୍କୁ ଏଥିଲାଗି ପରେ ପସ୍ତେଇବାକୁ ପଡିପାରେ । ଅପରାଜିତା ଯୋଗ ଦେଇ ଦଳରେ ଯେଉଁ ପୋଜିସନ ଗ୍ରହଣ କରିଛନ୍ତି ସେଥିରେ ପରବର୍ତ୍ତୀ ସମୟରେ ବୈଡୟନ୍ତ ଆସିଲେ ତାଙ୍କୁ ସେହି ଭଳି ଭାବରେ ପ୍ରାଧାନ୍ୟ ମିଳିନପାରେ । ଏଣୁ ଆଉ ବିଳମ୍ବ ନକରି ବୈଜୟନ୍ତ ପଦ୍ମ ଧରିବେ ବୋଲି କୁହାଯାଉଛି ।
ଏକଥା ବି ଆଲୋଚନା ହେଉଛି ବିଜେଡି ପଛ କଥା ଭୁଲି ବିଜୟ ଓ ଦିଲୀପଙ୍କୁ ନେବା ଲାଗି ଆଗ୍ରହ ଦେଖାଇଛି । ଏହି କଥା ଯଦି ବାସ୍ତବ ରୂପ ନିଏ ତେବେ ବୈଜୟନ୍ତଙ୍କ ପାଇଁ ଏକ ଘରକିଆ ଭଳି ପରିସ୍ଥିତି ସୃଷ୍ଟି ହେବ । ତେଣୁ ଆଉ ଯିଦ ନଧରି ସେ ବିଜେପିରେ ମିଶିବାକୁ ଚାହୁଁଥିବା ଅନେକ ମତ ରଖୁଛନ୍ତି ।