ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ

ଭୁବନେଶ୍ବର : ଆଜିଠୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ ଭାବେ ସାରିବା ଓ କପି ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି। ରାଜ୍ୟରେ ମୋଟ ୩ଲକ୍ଷ ୫୦ହଜାର ୮ଶହ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ମୋଟ ୧୧୪୩ଟି ସେଂଟରରେ ଏହି ପରୀକ୍ଷା ହେବ । ପରୀକ୍ଷାରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏବଂ କପି ରୋକିବା ପାଇଁ ୧୧୪୩ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ୨୦୨ଟି ହବରେ ପରୀକ୍ଷା ପ୍ରଶ୍ନପତ୍ର ରଖିବାର ବ୍ୟବସ୍ଥା ହୋଇଛି ।ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ୱାର୍ଡ ମେମ୍ବର, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ ଫୋନ ଦାଖଲ କରିବାକୁ କଡ଼ା ନିୟମ କରାଯାଇଛି। ପରୀକ୍ଷାର୍ଥୀ ପରୀକ୍ଷା ଅଧାରୁ ଯିବାକୁ ଚାହିଁଲେ ବାହାରକୁ ପ୍ରଶ୍ନପତ୍ର ନେଇପାରିବେ ନାହିଁ । ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ଥିବା ଅଧ୍ୟାପକଙ୍କ ନିକଟରେ ଦାଖଲ କରିବେ। ବିଦ୍ୟାର୍ଥୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଗେଟ୍‌ରେ ଯାଞ୍ଚ କରାଯିବ। କପି ଭଳି କୌଣସି ଆପତ୍ତିଜନକ ଜିନିଷ ଅଛି କି ନାହିଁ ତାକୁ ପ୍ରାଥମିକ ଭାବେ ଯାଞ୍ଚ କରାଯିବା। ଦ୍ବିତୀୟ ପର୍ଯ୍ୟାୟରେ ଆଡମିଟ୍ କାର୍ଡ ଯାଞ୍ଚ କରିବାକୁ ପରିଷଦ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ନିର୍ଦେଶ ଦିଆଯାଇଛି।