30.1 C
Bhubaneswar
Wednesday, April 24, 2024
Homeଓଡିଶା୧୮୧୯ କୋଟି ଜାଲ୍ ଜିଏସ୍‌ଟି ବିଲ୍ ର‌୍ୟାକେଟ୍‌ର ପର୍ଦ୍ଦାଫାସ : ୨ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଗିରଫ

୧୮୧୯ କୋଟି ଜାଲ୍ ଜିଏସ୍‌ଟି ବିଲ୍ ର‌୍ୟାକେଟ୍‌ର ପର୍ଦ୍ଦାଫାସ : ୨ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଗିରଫ

କଟକ:  ଓଡ଼ିଶା ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ୍ ଗୁରୁବାର ୧୮୧୯ କୋଟି ଟଙ୍କା ଜାଲ୍ ବିଲ୍ ର‌୍ୟାକେଟ୍‌ର ପର୍ଦ୍ଦାଫାସ କରିଛି । ଏହି ଜାଲ୍ ବିଲ୍ ବଳରେ ୩୨୩ କୋଟି ଟଙ୍କାର ଜାଲ୍ ଆଇଟିସି ଉପଭୋଗ ଓ ହସ୍ତାନ୍ତର ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣ ମାଷ୍ଟର ମାଇଣ୍ଡ୍ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲ ଓ ସଚିନ୍ଦ୍ର କୁମାର ଯାଦବଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଅମିତ ଅଗ୍ରୱାଲଙ୍କୁ ଝାରସୁଗୁଡ଼ା ଓ ସଚିନ୍ଦ୍ର ଯାଦବଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଏହି ଦୁଇଜଣ ଅନ୍ୟମାନଙ୍କ ସହ ମିଶି ୧୩ ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ ସୃଷ୍ଟି କରି ଜାଲ୍ କିଣା ବିଲ୍ ମାଧ୍ୟମରେ ଉକ୍ତ ଜାଲ୍ ଇନ୍‌ପୁଟ୍ ଟାକ୍ସ କ୍ରେଡିଟ୍‌(ଆଇଟିସି) ହାତେଇଥିବା ଜଣାଯାଇଛି । ଏହା ଦ୍ୱାରା ରାଜ୍ୟ ସରକାରଙ୍କର ବିପୁଳ ରାଜସ୍ୱହାନି ହୋଇଛି ।

ଅଳ୍ପଦିନର ବ୍ୟବଧାନ ମଧ୍ୟରେ ସେମାନେ ଏହି ଜାଲ୍ କ୍ରୟ ବିଲ୍ ଯୋଗାଡ଼ କରିଥିବା ଜଣାଯାଇଛି । ତେବେ ଏହି ଜାଲ୍ ପ୍ରତିଷ୍ଠାନଗୁଡ଼ିକ ପଶ୍ଚିମବଙ୍ଗ, ଝାରଖଣ୍ଡ, ଦିଲ୍ଲୀ ଆଦିରେ ବ୍ୟାପିଛି ବୋଲି ବାଣିଜ୍ୟକର ପକ୍ଷରୁ କୁହାଯାଇଛି । ଅନୁସନ୍ଧାନ ସମୟରେ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ କଲିକତାରେ ଥିବା ଝୋଟକଳ ଶ୍ରମିକ, ଝାଡୁଦାର ଭଳି ଲୋକଙ୍କ ଫଟୋ, ପରିଚୟପତ୍ର ଯଥା ଭୋଟର କାର୍ଡ, ପ୍ୟାନ୍ ଓ ଆଧାର କାର୍ଡ ସହ ବ୍ୟାଙ୍କ ପାସବୁକ୍ ଆଦି ସଂଗ୍ରହ କରିଥିଲେ । ସେମାନଙ୍କୁ ଚାକିରି ଦେବା ଆଳରେ ଏହି କାଗଜପତ୍ର ହାସଲ କରିଥିଲେ। ସେଗୁଡ଼ିକୁ ବ୍ୟବହାର କରି ଜିଏସ୍‌ଟି ପଞ୍ଜୀକରଣ କରାଇ ବିଭିନ୍ନ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲିଥିଲେ । ଜିଏସ୍‌ଟି ପଞ୍ଜୀକରଣ ନେଇ ସେ ଅନ୍ୟମାନଙ୍କ ସହ ମିଶି କୌଣସି ଦ୍ରବ୍ୟର ଆଦାନ ପ୍ରଦାନ ନକରି ଅଭିଯୁକ୍ତ ଜାଲ୍ ବିଲ୍ ବ୍ୟବସାୟରେ ଲିପ୍ତ ରହିଥିଲେ ।

୧୩ ଜଳ ଫାର୍ମ ମଧ୍ୟରୁ ତିନୋଟି ଫାର୍ମର ପ୍ରୋପ୍ରାଇଟର୍ ପଶ୍ଚିମବଙ୍ଗର ଦେଲହାଜସି ଝୋଟକଳର ଶ୍ରମିକ, ଝାଡୁଦାର ଥିବା ଜଣାପଡ଼ିଛି । ଓଡ଼ିଶା ଜିଏସ୍‌ଟି ଆଇନ ଅନୁଯାୟୀ ଏହା ଜାମିନବିହୀନ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ଯେ ରାଜ୍ୟ ଏନ୍‌ଫୋର୍ସମେଣ୍ଟ ୱିଙ୍ଗ୍ ବର୍ତ୍ତମାନ ସୁଦ୍ଧା ୨୩ ଜଣ ଠକ ବ୍ୟବସାୟୀଙ୍କୁ ଜାଲ ବିଲ୍ କାରବାର ଓ ଜାଲ୍ ଇନ୍‌ପୁଟ ଟାକ୍ସ କ୍ରେଡିଟ୍ ଉପଲବ୍ଧ ଏବଂ ହସ୍ତାନ୍ତର କରିଥିବା ଅଭିଯୋଗରେ ଗିରଫ କରିଛି । ସେହିପରି ୨୯,୦୦୨ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଦ କରାଯାଇଛି । ରିଟର୍ଣ୍ଣ ଦାଖଲ କରିନଥିବା ଅଥବା କ୍ଷେତ୍ରୀୟ ଅନୁସନ୍ଧାନରେ ଏଗୁଡ଼ିକ ଭୂତ ବ୍ୟବସାୟୀକ ପ୍ରତିଷ୍ଠାନ ବୋଲି ଜଣାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ଜିଏସ୍‌ଟି କମିସନରେଟ୍ ତରଫରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ କୌଣସି ବ୍ୟକ୍ତି ନିଜର ପରିଚୟପତ୍ର ସମ୍ପର୍କିତ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଆଦି ତଥ୍ୟ କୌଣସି ଅଜଣା ଲୋକଙ୍କୁ ପ୍ରଦାନ କରନ୍ତୁ ନାହିଁ । ଯଦି କେହି ଏପରି କରିଥାନ୍ତି, ତେବେ ସେମାନେ ତୁରନ୍ତ ରାଜ୍ୟ ଜିଏସ୍‌ଟି ଅଧିକାରୀଙ୍କୁ ଜଣାନ୍ତୁ । ଫଳରେ ଏଗୁଡ଼ିକର ଅପବ୍ୟବହାରକୁ ରୋକା ଯାଇପାରିବ। ଯଦି କେହି ବ୍ୟକ୍ତି ନିଜର ବ୍ୟକ୍ତିଗତ କାଗଜପତ୍ର ଅପବ୍ୟବହାର ହେଉଥିବା ଜାଣୁଛନ୍ତି, ତେବେ ସେମାନେ ତୁରନ୍ତ ନିକଟସ୍ଥ ଜିଏସ୍‌ଟି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ ବୋଲି ବାଣିଜ୍ୟକର ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking