ଜାଙ୍ଗିଡ଼ି ଗାଁ’ରେ ୧୬ ଶିଶୁ ସଂକ୍ରମିତ, ଚିନ୍ତାରେ ପ୍ରଶାସନ 

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ କରୋନାର ଆତଙ୍କ । ବୟସ୍କ, ଯୁବପିଢ଼ିଙ୍କ ପରେ ଏବେ ଶିଶୁଙ୍କୁ ସଂକ୍ରମଣ ହେବା ନେଇ ଚିନ୍ତା ବଢିଛି ପ୍ରଶାସନର । ରାୟଗଡ଼ା ଜିଲ୍ଲା ସଦର ବ୍ଲକର ଜେମାଦେଇପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ଜାଙ୍ଗିଡି ଗ୍ରାମର ୧୬ ଶିଶୁ କରୋନାରେ ସଂକ୍ରମିତ ହେବା ଘଟଣା ଗ୍ରାମାଞ୍ଚଳରେ ସଂକ୍ରମଣ ଘାତକ ହେଉଥିବାବେଳେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି । ସ୍ୱାସ୍ଥ୍ୟ ବିଭାଗ ଘଟଣାକୁ ଗୁରୁତର ସହ ନେଇ ସଂକ୍ରମିତ ଶିଶୁଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା ଆରମ୍ଭ କରିଛି । ସଂକ୍ରମିତ ଶିଶୁଙ୍କ ମଧ୍ୟରେ ୩ ଜଣ ୫ ବର୍ଷରୁ କମ ବୟସର ବୋଲି ଜଣାପଡିଛି । ସେହିପରି ୧୮ରୁ କମ ବୟସର ୨୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ରାୟଗଡ଼ା ବ୍ଲକ୍ ଭଳି ଅନ୍ୟ ବ୍ଲକ୍‌ର ଗ୍ରାମଞ୍ଚଳରେ ମଧ୍ୟ କିଛି ଶିଶୁ କରୋନାର ଶିକାର ହୋଇଛନ୍ତି । କରୋନାର ତୃତୀୟ ଲହରୀ ଶିଶୁଙ୍କୁ ଆକ୍ରାନ୍ତ କରିବା ନେଇ ବିଶେଷଜ୍ଞ ମତ ପ୍ରକାଶ କରିଥିବା ବେଳେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଜିଲ୍ଲାରେ ବଢ଼ିବାରେ ଲାଗିଛି । ସଂକ୍ରମଣ ବ୍ୟାପିବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସମେତ ଜିଲ୍ଲା ପ୍ରଶାସନ ସଚେତନତାମୂଳକ ପଦକ୍ଷେପ ନେବାର ଆବଶ୍ୟକ ରହିଛି । ଗ୍ରାମାଞ୍ଚଳରେ ଶିଶୁମାନେ ଏକାଠି ହୋଇ ଖେଳାଖେଳି କରୁଥିବାରୁ ସଂକ୍ରମଣ ଜଣଙ୍କଠୁ ଅନ୍ୟ ଜଣଙ୍କୁ ବ୍ୟାପିଥିବା ସ୍ୱାସ୍ଥ୍ୟ ବିଭାଗ ସନ୍ଦେହ କରୁଛି । ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଥିବା ବେଳେ ରାୟଗଡ଼ା କିନ୍ତୁ କରୋନା ସଂକ୍ରମଣ ତାଲିକାରେ ରେଡ୍ ଜୋନରେ ରହିଛି । ଆଜି ସୁଦ୍ଧା ଜିଲ୍ଲାର ସଂକ୍ରମଣ ହାର ୧୪ ପ୍ରତିଶତରୁ ଅଧିକ ରହିଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗି ପାରୁନି । ଆଜି ଜିଲ୍ଲାରୁ ୧୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ସହରାଞ୍ଚଳରୁ ୧୭, ଗ୍ରାମାଞ୍ଚଳରୁ ୩, ରାମନାଗୁଡାରୁ ୨୦, ପଦ୍ମପୁରରୁ ୨, ମୁନିଗୁଡାରୁ ୫, କୋଲନରାରୁ ୩୧, କାଶୀପରରୁ ୫, କଲ୍ୟାଣସିଂପୁରରୁ ୧୩, ଗୁଣୁପର ସହରାଞ୍ଚଳ ଓ ଗ୍ରାମାଞ୍ଚଳରୁ ୬, ଗୁଡାରିରୁ ୭, ବିଷମକଟକରୁ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରୁ ଆଜି ସୁଦ୍ଧା ୧୭ ହଜାର ୩୯୮ ଆକ୍ରାନ୍ତ ଚିହ୍ନଟ ହେଲେଣି । ୧୫ ହଜାର ୭୯୭ ସୁସ୍ଥ ହୋଇଥିବା ବେଳେ ୧୪୮୩ ଚିକିତ୍ସାଧୀନ ଅଛନ୍ତି । ସରକାରୀ ଭାବେ ୧୧୮ ଜଣଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here