34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଉତ୍ତରକାଶୀରେ ଯମୁନୋତ୍ରୀ ରାଜପଥର ୧୫ ମିଟର ରାସ୍ତା ଧସିଲା; ଫସି ରହିଛନ୍ତି ୪୨୦୦ ତୀର୍ଥଯାତ୍ରୀ

ଉତ୍ତରକାଶୀରେ ଯମୁନୋତ୍ରୀ ରାଜପଥର ୧୫ ମିଟର ରାସ୍ତା ଧସିଲା; ଫସି ରହିଛନ୍ତି ୪୨୦୦ ତୀର୍ଥଯାତ୍ରୀ

ଉତ୍ତରକାଶୀ: ଯମୁନୋତ୍ରୀ ଧାମଠାରୁ ୨୫ କିଲୋମିଟର ପଛକୁ ରାଣାଚଟି ନିକଟରେ ଯମୁନୋତ୍ରୀ ରାଜପଥର ୧୫ ମିଟର ରାସ୍ତା ଧସିଯାଇଛି। ଫଳରେ କେବଳ ଛୋଟ ଗାଡ଼ିଗୁଡ଼ିକ ହିଁ ଏଠାରେ ଯିବାଆସିବା କରି ପାରୁଛନ୍ତି। ଏହି କାରଣରୁ ବସ୍‌ ଯୋଗେ ଜାନକିଚଟିରୁ ବଡ଼କୋଟ ଆସୁଥିବା ପାଖାପାଖି ୧୨୦୦ ଯାତ୍ରୀ ଏବଂ ବଡ଼କୋଟରୁ ଜାନକିଚଟି ଅଭିମୁଖେ ଯାତ୍ରା କରୁଥିବା ୩୦୦୦ ଯାତ୍ରୀ ବଡ଼କୋଟ ଓ ସାୟନାଚଟି ମଧ୍ୟରେ ଫସି ରହିଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପଟୱାଲ କହିଛନ୍ତି ଯେ ରାଣାଚଟି ନିକଟରେ ବଡ଼କୋଟ ବିଭାଗର ଜାତୀୟ ରାଜପଥ ପ୍ରାଧିକରଣ ଟିମ୍ ରାଜପଥକୁ ସୁଗମ କରିବାରେ ବ୍ୟସ୍ତ ଅଛନ୍ତି।

ପାହାଡ଼ କାଟି ରାସ୍ତାକୁ ପ୍ରଶସ୍ତ କରିବାକୁ ପଡିବ। ରାସ୍ତାର ଉପର ପଟକୁ ଚଟାଣ ଥିବାରୁ ଏଥିରେ ସମୟ ଲାଗିବ। ଏଥିପାଇଁ ବଡ଼ ଯାନବାହାନ ଚଳାଚଳ ପାଇଁ ଗୁରୁବାର ସନ୍ଧ୍ୟା ସୁଦ୍ଧା ରାସ୍ତା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି। ବୁଧବାର ସନ୍ଧ୍ୟାରେ ହାଲୁକା ବର୍ଷା ମଧ୍ୟରେ ରାଣାଚଟି ନିକଟସ୍ଥ ଯମୁନୋତ୍ରୀ ଜାତୀୟ ରାଜପଥର ନିମ୍ନ ଭାଗରେ ହଠାତ୍‌ ଭୂସ୍ଖଳନ ହୋଇଥିଲା।

ରାଜପଥର ପାଖାପାଖି ୧୫ ମିଟର ଲମ୍ବା ଏବଂ ୩ ମିଟର ଚଉଡ଼ା ଭାଗ ଧସି ଯାଇଥିଲା। ଏଥିଯୋଗୁ ବର୍ତ୍ତମାନ ହଜାର ହଜାର ଯାତ୍ରୀ ଏବଂ ଶ୍ରଦ୍ଧାଳୁ ରାସ୍ତାର ଉଭୟ ପଟେ ଫସି ରହିଛନ୍ତି। ଯମୁନୋତ୍ରୀ ଧାମ ଦର୍ଶନ ପରେ ବଡ଼କୋଟ ଫେରୁଥିବା ୧୨୦୦ରୁ ଅଧିକ ଶ୍ରଦ୍ଧାଳୁ ରାଣାଚଟି ଏବଂ ଜାନକିଚଟି ମଧ୍ୟରେ ଫସିଛନ୍ତି। ବଡ଼କୋଟ ଥାନା ନିରୀକ୍ଷକ ଗଜେନ୍ଦ୍ର ବହୁଗୁଣା କହିଛନ୍ତି ଯେ ରାଣାଚଟିରୁ ଜାନକିଚଟି ମଧ୍ୟରେ ୧୨ଟି ବସ୍‌ ଏବଂ ୧୭ଟି ମିନି ବସ୍‌ ଫସି ରହିଛି। ରାସ୍ତା ସୁଗମ ହେଲେ ହିଁ ଯାତ୍ରୀମାନଙ୍କ ବସ୍‌ ସେଠାରୁ ବାହାରି ପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking