୧୪ତମ ରାଜ୍ୟସ୍ତରୀୟ ମୁକ ସଚେତନତା କର୍ମଶାଳା : ମୁକଙ୍କ ପାଇଁ ସ୍ୱର ଉତୋଳନ କରିବେ ନରସିଂହ

ବଲାଙ୍ଗିର : ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ମୁକ ସଂଘ ପକ୍ଷରୁ ୧୪ତମ ରାଜ୍ୟସ୍ତରୀୟ ମୁକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାପତି ଶ୍ରୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟରୁ ସମସ୍ତ ଜିଲ୍ଲାର କଥା କହି ପାରୁନଥିବା ବାଳକ, ବାଳିକା ତଥା ଯୁବକମାନେ ଯୋଗ ଦେଇଥିଲେ । ରାଜ୍ୟ ବାହାରୁ ଯଥା ଗୁଜୁରାଟ, କେରଳ, ଆନ୍ଧ୍ର ପ୍ରଦେଶ ରେ ମଧ୍ୟ ପ୍ରତିନିଧିମାନେ ଏହି କର୍ମଶାଳାରେ ଯୋଗ ଦେଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏହି କର୍ମଶାଳାରେ ଦେଶ ବାହାରୁ ମଧ୍ୟ ଦୁଇ ଜଣ ମୁକ ପ୍ରତିନିଧି ଉପସ୍ଥିତ ରହି କର୍ମକର୍ତ୍ତାମାନଙ୍କୁ ସଂଘର ଉଦ୍ଦେଶ୍ୟ ତଥା ମୁକ ବ୍ୟକ୍ତିମାନଙ୍କ ଅଭାବ ଅସୁବିଧାକୁ କିପରି ଦୂର କରାଯାଇପାରିବ ସେ ଉପରେ ଆଲୋଚନା କରିବା ସହ ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ଦୃଷ୍ଟିକୁ ଆଣିଥିଲେ । ନିଜ ଉଦ୍‌ବୋଧନରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉପସ୍ଥିତ ଥିବା ମୁକ ସଂଘର କର୍ମକର୍ତ୍ତା ତଥା ସଭ୍ୟମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବଲାଙ୍ଗିର ମାଟିରେ ଏହି କର୍ମଶାଳା କରିଥିବାରୁ ସମସ୍ତଙ୍କୁ ସ୍ୱାଗତ ଏବଂ ଧନ୍ୟବାଦ ଜଣାଇଥିଲେ ।
ସେ ନିଜ ଅଭିଭାଷଣରେ କହିଥିଲେ ଝିପିଝିପି ବର୍ଷା କୋହଳା ପାଗ ସତ୍ତ୍ୱେ ଆପଣମାନେ ବଲାଙ୍ଗିରରେ ସମବେତ ହୋଇଛନ୍ତି । ଆପଣମାନଙ୍କର ଅଭାବ ଅସୁବିଧା ତଥା ଅଧିକାରର ବାବଦରେ ମୋ ଦୃଷ୍ଟିକୁ ଆଣିଛନ୍ତି ଏବଂ ଆପଣମାନେ ସ୍ୱାଭିମାନର ସହିତ କିପରି ବଂଚିବେ ସେ ବାବଦରେ ଆପଣମାନେ ବିଭିନ୍ନ ଅଙ୍ଗଭଙ୍ଗି ଦ୍ୱାରା ବାର୍ତ୍ତା ବିନିମୟ କରୁଛନ୍ତି । ଏଥିରୁ ପ୍ରମାଣିତ କରୁଛି ଯେ ଆପଣମାନଙ୍କ ଭିତରେ କେତେ ଆତ୍ମ ବିଶ୍ୱାସ ଅଛି । ଆଜିର ଦିନରେ ଆତ୍ମ ବିଶ୍ୱାସ ହିଁ ହେଉଛି ସଫଳତାର ଚାବିକାଠି । ଆପଣମାନଙ୍କ ଯାହା ସମସ୍ୟା ଜଣାଇଲେ ମୁଁ ତାହା ଉପରେ ଆଗାମୀ ବିଧାନସଭାରେ ନିଶ୍ଚୟ ଆଲୋଚନା କରିବି ଏବଂ ପ୍ରତିଶୃତି ଦେଉଛି ସେହି ଆଲୋଚନାର ଫାଇଦା ଆପଣମାନେ ନିଶ୍ଚୟ ପାଇବେ । କଥାରେ ଅଛି ଯେ ଅସହାୟକୁ ସାହାଯ୍ୟ କରେ ତାକୁ ଭଗବାନ ନିଶ୍ଚୟ ସାହାଯ୍ୟ କରନ୍ତି । ତେଣୁ ଆପଣମାନଙ୍କର ଦାବି ପୁରଣ କରିବା ପାଇଁ ସାମାଜିକ, ରାଜନୈତିକ ସ୍ତରରେ ସଫଳତା ପାଇବା ପର୍ଯ୍ୟନ୍ତ ଚେଷ୍ଟା କରାଯିବ । ଯେହେତୁ ଆପଣମାନଙ୍କର ଗୋଟିଏ ଅଙ୍ଗ କାମ କରୁନାହିଁ ତେଣୁ ଆପଣମାନଙ୍କର ଅନ୍ୟ ଅଙ୍ଗ ଗୁଡିକର ନିହାତି ବିଜ୍ଞାନ ହିସାବରେ ଅଧିକ ଶକ୍ତିଶାଳି । ତେଣୁ ଆପଣଙ୍କ ବୁଝିବା ଶକ୍ତି, ଚିନ୍ତା କରିବା ଶକ୍ତି ଅତି ପ୍ରଖର । ଆପଣମାନେ ଦୃଢମନା ହୋଇ ନିଜର ଲକ୍ଷ ପଥରେ ଆଗେଇ ଚାଳନ୍ତୁ ସଫଳତା ନିଶ୍ଚୟ ପାଇବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା କର୍ମକର୍ତ୍ତା, ବିଭିନ୍ନ ରାଜ୍ୟର କର୍ମକର୍ତ୍ତା ତଥା ଦେଶ ବାହାରୁ ଆସିଥିବା ଦୁଇ ଜଣ ବିଦେଶୀ କର୍ମକର୍ତ୍ତାଙ୍କୁ ମୁଖ୍ୟ ଅତିଥି ଉପଢୈାକନ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।