39.4 C
Bhubaneswar
Thursday, April 18, 2024
Homeଓଡିଶାବାଳାଶ୍ରମରୁ ନିଖୋଜ ୧୩ ନାବାଳିକାଙ୍କ ମଧ୍ୟରୁ ୧୧ ଠାବ : କର୍ମଚାରୀଙ୍କ ଅବହେଳା ପାଇଁ ଛାଡ଼ିଥିଲେ...

ବାଳାଶ୍ରମରୁ ନିଖୋଜ ୧୩ ନାବାଳିକାଙ୍କ ମଧ୍ୟରୁ ୧୧ ଠାବ : କର୍ମଚାରୀଙ୍କ ଅବହେଳା ପାଇଁ ଛାଡ଼ିଥିଲେ ହଷ୍ଟେଲ

ବ୍ରହ୍ମପୁର : ଗତ ସୋମବାର ରାତିରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅଧୀନ ଉତ୍କଳ ବାଳାଶ୍ରମର ୧୩ଜଣ ନାବାଳିକା ନିଖୋଜ ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇ ଦେଇଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନ ଘଟଣାକୁ ଗୁରତ୍ୱର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ନିଖୋଜ ୧୩ ଜଣ ନାବାଳିକାଙ୍କ ମଧ୍ୟରୁ ୧୧ଜଣଙ୍କୁ ଠାବ କରିଛି । ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଅତି ଶୀଘ୍ର ଠାବ କରାଯିବ ବୋଲି ଉପଜିଲ୍ଳାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ସୂଚନା ଦେଇଛନ୍ତି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ବୁଧବାର ବାଳାଶ୍ରମରେ ପହଞ୍ôଚ ଏହି ଘଟଣା ପାଇଁ କର୍ମଚାରୀଙ୍କ ଅବହେଳା ହିଁ ଦାୟୀ ବୋଲି ସେ କହିଛନ୍ତି । ଏହା କହିବା ସହ ପୂରା ଘଟଣା ଏବଂ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବାଳାଶ୍ରମରେ ଥିବା ଦୁଇ ଗୋଷ୍ଠୀ ଝିଅମାନଙ୍କ ମଧ୍ୟର ସୁସମ୍ପର୍କ ନଥିଲା । ଗୋଟିଏ ଗୋଷ୍ଠୀ ସେହି କାରଣରୁ ହିଁ କାନ୍ଥ ଡେଇଁ ପଳାୟନ କରିଥିବା ସେ ଅନୁୂଧ୍ୟାନ ବେଳେ ଜାଣି ପାରିଛନ୍ତି ବୋଲି କହିଛନ୍ତି । ସେହିପରି ଏଠାକାର ରାତ୍ର ଜଗୁଆଳ ମଧ୍ୟ ତାର ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରିନଥିବା ସହ ରାତ୍ରପହରା ଠିକ୍ ଭାବେ କରି ନଥିବା ସେ କହିଛନ୍ତି ।
ହାଉସ୍ ମଦର ଦୁଇ ଗୋଷ୍ଠୀ ଝିଅମାନଙ୍କ ମଧ୍ୟରେ ସମ୍ପର୍କ ନଥିବା କଥା କିପରି ଜାଣି ପାରିଲେନି ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟତଃ ୧୩ ଜଣ ନାବାଳିକା କାନ୍ଥ ଡେଇଁ ସେଠାରୁ ଅଟୋ ଯୋଗେ ଦୁଇ କିଲୋମିଟର ଷ୍ଟେସନ କିପରି ଗଲେ ଏବଂ ଚାଇଲ୍ଡ ଲାଇନ କିପରି ଏହା ଜାଣିପାରିଲା ନାହିଁ ତାହା ମଧ୍ୟ ଏକ କାରଣ ବୋଲି ସେ କହିଛନ୍ତି । କାର୍ଯ୍ୟରେ ଅବହେଳା ନେଇ ସମସ୍ତ କର୍ମଚାରୀଙ୍କୁ ରିପୋର୍ଟ ମଗାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ପୁଲିସ ମଙ୍ଗଳବାର ସନ୍ଧ୍ୟାରେ ୭ଜଣ ନାବାଳିକାଙ୍କୁ ଠାବ କରିଥିବା ବେଳେ ବୁଧବାର ଆଉ ୪ଜଣଙ୍କୁ ଠାବ କରାଯାଇଛି । ତେବେ ମୋଟ ୪ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଆଣି ସୁଧାର ଗୃହରେ ରଖାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାଳାଶ୍ରମରେ ଥିବା ଆନ୍ତେବାସୀଙ୍କୁ ନିର୍ଯାତନା ଦେଉଥିବା ଯୋଗୁଁ ସେମାନେ ପଳାୟନ କରୁଥିବା କୁହାଯାଉଛି ।
୨୦୧୯ରେ ୫ଜଣ ନାବାଳିକା ଉକ୍ତ ବାଳାଶ୍ରମରୁ ପଳାୟନ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ନିକଟରେ ଜଣେ ସିକ୍ୟୁରିଟି ଗାର୍ଡ, ଜଣେ ହାଉସ୍ ମଦର ଏବଂ ଜଣେ ଜଗୁଆଳିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ବୁଧବାର ସିକ୍ୟୁରିଟି ଗାର୍ଡଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇ ସେଠାରେ ସେହି ସଂସ୍ଥାର ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯାଇଛି । ପୁରା ଘଟଣାକୁ ଦେଖିଲେ ବାଳାଶ୍ରମର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଏବଂ ତାଳମେଳ ରହୁନଥିବା ଯୋଗୁଁ ଏହିପରି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ଏହି ଘଟଣାରେ ଆହୁରି କିଛି କର୍ମଚାରୀଙ୍କୁ ହଟାଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସୋମବାର ଦିନ ରାତିରେ ଉତ୍କଳ ବାଳାଶ୍ରମରେ ଥିବା ୫୧ ଜଣ ଅନ୍ତେବାସୀଙ୍କ ମଧ୍ୟରୁ ୧୩ ଜଣ କାନ୍ଥ ଡେଇଁ ଚାଲିଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking