୧୦ ନର୍ସିଂ ଯୁବତୀ ହାଇଦ୍ରାବାଦରୁ ଉଦ୍ଧାର : ୨୫ ହଜାର ଟଙ୍କା ଦେଇ ମୁକୁଳିଲେ

ସଇଁନ୍ତଲା : ଓଡ଼ିଶା ଜୀବିକା ମିଶନ ଜରିଆରେ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ତାଲିମ ପ୍ରଦାନ ସହ ନିଯୁକ୍ତି ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ହେଲେ ଆତ୍ମନିର୍ଭରଶୀଳ ହେବା ପାଇଁ ନର୍ସିଂ ଟ୍ରେନିଂରେ ଯାଇଥିବା ଯୁବତୀମାନେ ହାଇଦ୍ରାବାଦର ଏକ ପ୍ରତିଷ୍ଠିତ ହସ୍‌ପିଟାଲରେ ବନ୍ଧକ ଏବଂ ନିର୍ଯାତିତ ହେବା ଏବଂ ୨୫ ହଜାର ଦେବାପରେ ସେଠାରୁ ଉଦ୍ଧାର ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ସଂପୃକ୍ତ ଯୁବତୀ ତଥା ତାଙ୍କ ପରିବାର ବର୍ଗ ବିଭାଗୀୟ ଅଧିକାରୀ ଓ ଟ୍ରେନିଂ ସେଣ୍ଟର ଅଧିକାରୀଙ୍କୁ ଘେରାଓ କରିଛନ୍ତି ।
ସୂଚନା ଅନୁଯାୟୀ, ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟ ତରଫରୁ ସଇଁନ୍ତଲା ବ୍ଲକ ଅଞ୍ଚଳର ୧୨ ଜଣ ଯୁବତୀ ନର୍ସିଂ ଟ୍ରେନିଂ ପାଇଁ ଖୋର୍ଦ୍ଧାସ୍ଥିତ ଉପାସା ଟ୍ରେନିଂ ସେଣ୍ଟରକୁ ଗତ ୪ ମାସ ତଳେ ଯାଇଥିଲେ । ସେଠାରେ ଯୁବତୀମାନଙ୍କୁ ୩ ମାସ ଟ୍ରେନିଂ ଦିଆଯିବା କଥା । କିନ୍ତୁ ଦେଢ଼ମାସ ଟ୍ରେନିଂ ପରେ ସେମାନଙ୍କର ପ୍ଲେସମେଣ୍ଟ ହାଇଦ୍ରାବାଦ ସ୍ଥିତ ଯଶୋଦା ଡାକ୍ତରଖାନାରେ ହୋଇଥିବା କୁହାଯାଇଥିଲା । କିନ୍ତୁ ଯୁବତୀମାନଙ୍କୁ ଉକ୍ତ ଡାକ୍ତରଖାନାକୁ ନପଠାଇ ମାଲାରେଡ୍ଡୀ ନାରାୟଣ ମଲ୍ଟି ସ୍ପେଶାଲିଟି ଡାକ୍ତରଖାନାକୁ ନିଆଯାଇ କାମ କରିବାକୁ ଦିଆଯାଇଥିଲା । ସେଠାରେ ଯୁବତୀମାନଙ୍କୁ ନିର୍ଯାତନା ଦିଆଯିବାରୁ ସେମାନେ ପ୍ରତିବାଦ କରିଥିଲେ । ଫଳରେ ତାଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ତିନିଦିନ ପର୍ଯ୍ୟନ୍ତ ଖାଇବା ପିଇବାକୁ ଦିଆଯାଇନଥିବା ଯୁବତୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସେମାନଙ୍କୁ ଡାକ୍ତରଖାନା କତ୍ତୃପକ୍ଷ ବନ୍ଧକ ରଖି ୨୫ ହଜାର ଟଙ୍କା ଦେଲେ ଛଡାଯିବ ବୋଲି କହିଥିବା ଜଣାପଡିଥିଲା । ସେଠାରୁ ଦୁଇଜଣ ଯୁବତୀ କୌଶଳ କ୍ରମେ ନିଜ ଗ୍ରାମକୁ ଚାଲି ଆସିଥିଲେ । ଏହାପରେ ପରିବାର ଲୋକଙ୍କୁ ଘଟଣା ସଂପର୍କରେ କହିବା ପରେ ପରିବାର ଲୋକେ ହାଇଦ୍ରାବାଦରେ ଥିବା ଅନ୍ୟ ଯୁବତୀମାନଙ୍କୁ ଉଦ୍ଧାର ପାଇଁ ସଇଁନ୍ତଲା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଜଣେ ଯୁବତୀଙ୍କ ସମ୍ପକୀୟ ଭାଇଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସେ ଡାକ୍ତରଖାନା କତ୍ତୃପକ୍ଷଙ୍କୁ ଟଙ୍କା ଦେଇ ସମସ୍ତ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଯୁବତୀମାନଙ୍କୁ ଉଦ୍ଧାର କରିବା ପରେ ସେମାନେ ପ୍ରଥମେ ଥାନା ଓ ପରେ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ପ୍ରକାଶଥାଉ କି, ଯୁବତୀମାନେ ବନ୍ଧକ ଥିବା ବେଳେ ଜନୈକ କର୍ମକର୍ତ୍ତା ଯୁବତୀମାନଙ୍କୁ ଦେହ ବ୍ୟବସାୟ କରି ଟଙ୍କା ଦେଇ ମୁକୁଳିବା ପାଇଁ କହିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜୀବିକା ମିଶନର ମଧୁସ୍ମିତା ବିଶ୍ୱାଳ ଘଟଣା ସମ୍ପର୍କରେ ଯୁବତୀମାନଙ୍କ ଆଲୋଚନା କରୁଥିବା ବେଳେ ଖୋର୍ଦ୍ଧାର ସଂପୃକ୍ତ ଟେନ୍ରିଂ ସେଣ୍ଟର ମନୋଜ ମହାନ୍ତି, ମାର୍ଗାରେଟ ସୋଫିଆ ସ୍ୱାଇଁ, ସୁଶାନ୍ତ ରାଉତ, ପ୍ରିୟଙ୍କା ଦଳେଇ, ବିଷ୍ଣୁ ପ୍ରସାଦ ନାଏକ, ବାଲଙ୍ଗିରରୁ ଦେବେନ୍ଦ୍ର ବିଷୋଇ ଓ ସ୍କିଲ ଡେଭଲପ୍‌ମେଣ୍ଟର ମୁକେଶ ସିଂ ସଇଁନ୍ତଲା ବ୍ଲକରେ ପହଞ୍ôଚ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରିଥିଲେ । ସେମାନେ ମୁକୁଳିବାକୁ ଦେଇଥିବା ୨୫ ହଜାର ଟଙ୍କା, ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ଦେବା ପାଇଁ ସଂପୃକ୍ତ ଯୁବତୀମାନେ ଉକ୍ତ ଅଧିକାରୀମାନଙ୍କୁ ଘେରାଉ କରି ଦୀର୍ଘ ୫ ଘଣ୍ଟା ରଖିଥିଲେ । ଅନ୍ୟପଟେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଜଣାପଡିଛି । ଘଟଣାସ୍ଥଳରେ ସଇଁନ୍ତଲା ପୋଲିସ ଏସଆଇ ସଙ୍ଗିତା ବେକ, ଏଏସଆଇ କମଳା ବିଶ୍ୱାଳ ଓ ପ୍ରସନ୍ନ ଭୋଇ ପ୍ରମୁଖ ପହଞ୍ôଚ ତଦନ୍ତ କରୁଛନ୍ତି ।