ମଦୁରାଇ: ତାମିଲନାଡ଼ୁରେ ଲାଞ୍ଚ ନେଉଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ ଧରାପଡ଼ିଥିବା ଜଣାପଡ଼ିଛି । ତାମିଲନାଡ଼ୁ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି, ଅଙ୍କିତ ତିୱାରୀ ନାମକ ଇଡିର ଜଣେ କଥିତ ଅଧିକାରୀ ଡିଣ୍ଡିଗୁଲ୍ରେ ଜଣେ ଡାକ୍ତରଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ସମ୍ପୃକ୍ତ ଇଡି ଅଧିକାରୀ ନିଜ ଟିମ୍ ସହିତ ବହୁ ଲୋକଙ୍କୁ ଧମକାଉଥିଲେ ଏବଂ ଇଡିରେ ସେମାନଙ୍କ ବିରୋଧରେ ଚାଲିଥିବା ମାମଲା ବନ୍ଦ କରିବା ନାଁରେ ଲାଞ୍ଚ ନେଉଥିଲେ ।
ତାମିଲନାଡ଼ୁ ସତର୍କତା ଏବଂ ଭ୍ରଷ୍ଟାଚାର ନିରୋଧକ ନିର୍ଦ୍ଦେଶାଳୟ (ଡିଭିଏସ୍ସି) ଶୁକ୍ରବାର ଅଙ୍କିତ ତିୱାରୀଙ୍କୁ ଧରିଛି । ତେବେ ସେ ଇଡି ସହ ସମ୍ପୃକ୍ତ କି ନାହିଁ ସେ ସମ୍ପର୍କରେ ଯାଞ୍ଚ୍ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି । ଘଟଣାକ୍ରମ ସମ୍ପର୍କରେ ତାଙ୍କୁ ସୂଚନା ମିଳିଥିବା ଡିଣ୍ଡିଗୁଲ୍ ଜିଲ୍ଲାର ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ । ଏ ନେଇ ଇଡି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ବୈଧ ଥିବା ଅଙ୍କିତ ତିୱାରୀଙ୍କ ଆଇଡି କାର୍ଡ ମଧ୍ୟ ଦାଖଲ କରାଯାଇଛି ।