31.1 C
Bhubaneswar
Friday, March 29, 2024
Homeରାଜନୀତିସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରି ପୋକ୍‌ସୋ ଆକ୍ଟରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ :...

ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରି ପୋକ୍‌ସୋ ଆକ୍ଟରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ : ବିଜେପି

ଭୁବନେଶ୍ୱର,: ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ମହିଳା ବିଶେଷ କରି ଆଦିବାସୀ ମହିଳା,
ନାବାଳିକା ଏଠି ଅତ୍ୟାଚାର,ଦୁଷ୍କର୍ମ,ଗଣଦୁଷ୍କର୍ମ,ହତ୍ୟା ଭଳି ଜଘନ୍ୟ ଅପରାଧର ଶିକାର ହେଉଛନ୍ତି । ମାଲକାଲଗିରି ପୋଲିସ କ୍ୟାଂଟିନ ଓ
ବାରମିତ୍ରପୁର ଥାନା ଘଟଣା ପ୍ରମାଣିତ କରୁଛି ଯେ, ଏବେ ଅପରାଧୀମାନଙ୍କର ତାଲିକାରେ ପୋଲିସ ମଧ୍ୟ ସାମିଲ ହୋଇଛନ୍ତି । ବୀରମିତ୍ରପୁର
ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ରାଜ୍ୟ ପ୍ରତିନିଧୀ ମଣ୍ଡଳୀ ସରଜମିନ ତଦନ୍ତ କରି ବୀରମିତ୍ରପୁର ଏବଂ ରାଉରକେଲାରୁ ଫେରି
ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି । ଏହି ପ୍ରତିନିଧୀ ମଣ୍ଡଳୀରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ
ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ରାଜ୍ୟ ସଂପାଦକ
ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ପ୍ରମୁଖ ସାମିଲ ଥିଲେ ।
ବୀରମିତ୍ରପୁର ଘଟଣା କେବଳ ଗୋଟିଏ ଅଘଟଣ ନୁହେଁ ବରଂ ଦୀର୍ଘ ୩ ମାସ କାଳ ଝିଅଟିକୁ ଥାନାର ଉପର ମହଲାରେ ଆଣି
ବଡବାବୁ ଆନନ୍ଦ ଚନ୍ଦ୍ର ମାଝି, ସେହି ଥାନାର ଆଉ ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କର ୪ ବନ୍ଧୁ ଦୁଷ୍କର୍ମ କରୁଥିବାବେଳେ କେମିତି
ଏସଡିପିଓ ଏବଂ ଏସପିଙ୍କ ନଜରରେ ପଡିଲା ନାହିଁ ସେଟା ଆଶ୍ଚର୍ଯ୍ୟଜନକ । ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୀରମିତ୍ରପୁର ଥାନା ଥିଲେ
ମଧ୍ୟ ଏବଂ ସେଠାରେ ସିସିଟିଭି କ୍ୟାମେରା ଲାଗିଥିଲେ ବି ଏଭଳି ଅପରାଧିକ କାର୍ଯ୍ୟ କଳାପ ଉପରେ ଏସପି କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରିନଥିଲେ ବୋଲି ପ୍ରଶ୍ନ କରି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏସପିଙ୍କ ଭୂମିକା ସନ୍ଦେହ ଜନକ ବୋଲି
କହିଛନ୍ତି ।
ଏହି ଘଟଣାରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀମଣ୍ଡଳୀ ଡିଜିଙ୍କୁ ଭେଟି ଆଲୋଚନା କରିବା ପରେ ଡିଜି
କ୍ରାଇମବ୍ରାଂଚର ଆଦେଶ ଦେଇଥିଲେ ଏବଂ ମୁଖ୍ୟ ଅଭିଯୁକ୍ତ ଆନନ୍ଦ ମାଝୀ ଗିରଫ ହେଲେ । ତାପରେ ଡିଜି ପୀଡିତା ଠୁ କ୍ଷମା ପ୍ରାର୍ଥନା
କରିଛନ୍ତି । ଡିଜିଙ୍କର କ୍ଷମା ପ୍ରାର୍ଥନା କରିବା ମାନବିକତା ଦୃଷ୍ଟିରୁ ସ୍ୱାଗତଯୋଗ୍ୟ, ହେଲେ ଏହା ଡିଜିଙ୍କର ମୂଳ କାମ ନୁହେଁ । ତାଙ୍କର ମୂଳ
ଦାୟୀତ୍ୱ ହେଉଛି ଅପରାଧକୁ ରୋକିବା , ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ଏବଂ ମହିଳାମାନଙ୍କୁ ସୁରକ୍ଷା ଯୋଗାଇବା । ଏଥିରେ ବିଫଳ
ହୋଇ କ୍ଷମା ପ୍ରାର୍ଥନା କରିବା ଡିଜିଙ୍କର ଅସହାୟତାକୁ ଦର୍ଶାଉଛି । ଦୀର୍ଘ ୨୦ ବର୍ଷର ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ
ହୋଇଛି, କ୍ଷମତାର ଅହଂକାରରେ ପୋଲିସ ବିଭାଗରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି ଏବଂ ଅପରାଧୀଙ୍କ ମନରୁ ଦଣ୍ଡିତ ହେବାର ଭୟ ନାହିଁ
ବୋଲି ଡ.ସାମନ୍ତସିଂହାର କହିଛନ୍ତି ।
୧୩ ବର୍ଷର ଆଦିବାସୀ ନାବାଳିକାକୁ ଦୀର୍ଘ ୩ମାସ ଧରି ଥାନାର ଉପର ମହଲାରେ ଶୋଷଣ କରିବା , ସରକାରୀ ଡାକ୍ତର ଦ୍ୱାରା
ତାର ବେଆଇନ ଗର୍ଭପାତ କରାଇବା ଏବଂ ଘଟଣାର ୩ ମାସ ପରେ ଏତଲା ଦେବା ଏହା ଫଛରେ ବଡ ଷଡଯନ୍ତ୍ର ଓ ର‌୍ୟାକେଟ କାମ
କରୁଛି ବୋଲି ସ୍ପଷ୍ଟ ଜଣାପଡୁଛି । ଏଥିରେ ସମସ୍ତ ସଂପୃକ୍ତ ଲୋକଙ୍କୁ ତଦନ୍ତ ପରିସର ଭୃକ୍ତ କରାଯାଉ । ଅପରାଧୀ ଆନନ୍ଦ ମାଝୀ ଏବଂ ଅନ୍ୟ
ଦୁଷ୍କର୍ମକାରୀ ମାନଙ୍କୁ ପୋକସୋ, ଏସସି ଏସଟି ଏଟ୍ରୋସିଟି ଆକ୍ଟ ଏବଂ ବେଆଇନ ଗର୍ଭପାତ କରାଇବା ନେଇ ଏମଟିପି ଆକ୍ଟରେ ୩୦ ଦିନ
ଭିତରେ ଚାର୍ଜସିଟି ଦାଖଲ କରି କଠୋରୁ କଠୋର ଦଣ୍ଡ ପାଇଁ ଆବେଦନ କରାଯାଉ । ପୀଡିତାକୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଆଇନ
ଅନୁଯାୟୀ ୮.୨୫ ଲକ୍ଷ ଅନୁକଂପା ରାଶି ପ୍ରଦାନ କରାଯାଉ । ନାବାଳିକା ପୀଡିତାର ସ୍ୱାଭାବିକ, ସୁରକ୍ଷିତ ଓ ସମ୍ମାନଜନକ ଜୀବନ ଯାପନ
ପାଇଁ ରାଜ୍ୟ ସରକାର ଏକ ବିସ୍ତୁତ ଯୋଜନା ପ୍ରସ୍ତୁତ କରନ୍ତୁ ଯାହାଫଳରେ ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ ବୋଲି
ଡ.ସାମନ୍ତସିଂହାର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏବଂ ସୁନ୍ଦରଗଡ ବିଧାୟିକା କୁସୁମ
ଟେଟେ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking