31.1 C
Bhubaneswar
Friday, March 29, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସମୀକ୍ଷା; ସ୍କିଲ୍‌-ଇନ୍‌-ଓଡ଼ିଶା ଆଜି ବିଶ୍ୱବ୍ରାଣ୍ଡ...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସମୀକ୍ଷା; ସ୍କିଲ୍‌-ଇନ୍‌-ଓଡ଼ିଶା ଆଜି ବିଶ୍ୱବ୍ରାଣ୍ଡ ଭାବେ ପରିଚିତ

ଭୁବନେଶ୍ୱର: ବେରୋଜଗାରୀ ହ୍ରାସ କରିବାରେ ସମଗ୍ର ଦେଶରେ ଓଡ଼ିଶା ଆଗରେ ରହିଛି; ଯାହାକି ବିଭିନ୍ନ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ରାଜ୍ୟ ସରକାର ୧୦ ବିଭାଗରେ ୬୦ ଲକ୍ଷ ପିଲାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । କେବଳ ନିଯୁକ୍ତି ନୁହେଁ ଜୀବନଶୈଳୀ ପରିବର୍ତ୍ତନ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ବୋଲି କ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ସୂଚନା ଦେଇଛନ୍ତି । ସେହିପରି ସୌର ଶକ୍ତିରେ ଅଧିକ ପିଲାଙ୍କ ଦକ୍ଷତା ବିକାଶ କରାଯିବ । ୧୧ଟି ନୂଆ ଆଇଟିଆଇ ଖୋଲାଯିବ । ରାଜ୍ୟରେ ଛାତ୍ରଛାତ୍ରୀଙ୍କ ବିକାଶ ଲାଗି ଭିତ୍ତିଭୂମି ସଂପ୍ରସାରଣ, ନବୀକରଣକୁ ପ୍ରାଥମିକତା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଇଂ ଘଡେଇ କହିଥିଲେ ଯେ ରାଜ୍ୟରେ ବୈଷୟିକ ତଥା ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ମାନବ ସମ୍ବଳ ଉପଯୋଗପୂର୍ବକ ଦୃଢ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ ନେଇ ୨୦୧୧ ମସିହାରେ ସୃଷ୍ଟି କରାଯାଇଥିବା ବିଭାଗ ଆଜି ବିଶ୍ୱସ୍ତରରେ ପରିଚିତ ହୋଇ ପାରିଛି । ଗତ ୪ ବର୍ଷ ମଧ୍ୟରେ ବିଭାଗ, ଦକ୍ଷତା ପ୍ରତିଷ୍ଠାନଗୁଡିକରେ ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ନବୀକରଣକୁ ପ୍ରାଥମିକତା ଦେଇଛି।

ଆଜି ୨୦ହଜାର ପ୍ରାର୍ଥୀ, ୩୪ ଟି ସରକାରୀ ପଲିଟେକ୍‌ନିକ୍ସ, ୮୨ ଟି ଦକ୍ଷତା ବିକାଶ କେନ୍ଦ୍ର, ୨ ଗୋଟି ପରିଚାଳନା ପ୍ରତିଷ୍ଠାନ, ୫ ଟି ଇଞ୍ଜିନିୟରିଂ କଲେଜ ଏବଂ ୩ ଟି ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ୬୦ ଟି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଯୁବବର୍ଗଙ୍କୁ ଦକ୍ଷତା ଦେବା ପାଇଁ ପ୍ରତିବଦ୍ଧ । ଦେଶର ୧୦୦ ଟି ସର୍ବଶ୍ରେଷ୍ଠ ଆଇଟିଆଇ ଅନୁଷ୍ଠାନ ମଧ୍ୟରୁ ଓଡ଼ିଶାର ୬ଟି ଅନୁଷ୍ଠାନ ସ୍ଥାନିତ ହୋଇଛି । ବିଭାଗର ବଜେଟ ଆର୍ôଥକ ବର୍ଷ ୨୦୧୯-୨୦ ରେ ୭୧୯ କୋଟିରୁ ବୃଦ୍ଧି ପାଇ ୨୦୨୨-୨୩ ରେ ୮୧୧.୦୦ କୋଟି ଏବଂ ୨୦୨୩-୨୪ ଆର୍ôଥକ ବର୍ଷରେ ବଜେଟରେ ୯୮୬.୨୫ କୋଟି ଟଙ୍କା ଆବଣ୍ଟନ ସହିତ ଏକ ଉତ୍ସାହପ୍ରଦ ଅଭିବୃଦ୍ଧି ଦେଖିବାକୁ ମିଳିଛି, ଯାହା ୨୧ ପ୍ରତିଶତରୁ ଅଧିକ ରହିଛି । ଆଇଟିଆଇରେ ଝିଅମାନଙ୍କର ନାମଲେଖାକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଥିବା ସୁଦକ୍ଷା ଯୋଜନା, ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି । ଶିଳ୍ପ ତାଲିମ କେନ୍ଦ୍ରମାନଙ୍କରେ ଛାତ୍ରୀମାନଙ୍କ ଯୋଗଦାନ ୨୦୧୬-୧୭ ରେ ୬ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ବୃଦ୍ଧି ପାଇ ୨୨.୫ ପ୍ରତିଶତରେ ପହଞ୍ଚିଛି ।

ଏହି ସଫଳତା ଉପରେ ଆଧାର କରି ବିଭାଗ ପଲିଟେକ୍‌ନିକ୍ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଛାତ୍ରୀମାନଙ୍କୁ ସୁଦକ୍ଷା ଯୋଜନାରେ ନାମ ଲେଖାଇବାକୁ ନିଷ୍ପତ୍ତି ନେଇଛି । ଆବାସିକ ସୁବିଧା ପ୍ରଦାନର ଗୁରୁତ୍ୱପୂର୍ଣ ଆବଶ୍ୟକତାକୁ ସ୍ୱୀକାର କରି ୪୯ ସରକାରୀ ଆଇଟିଆଇ ଏବଂ ୩୩ ସରକାରୀ ପଲିଟେକ୍‌ନିକରେ ହଷ୍ଟେଲ ଯୋଗାଇ ଦିଆ ସାରିଥିବା ବେଳେ ଅବଶିଷ୍ଟାଂଶରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି ବୋଳି ସେ କହିଛନ୍ତି।
ସେହିପରି ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱ ଦକ୍ଷତା କେନ୍ଦ୍ରର ଉଦ୍‌ଘାଟନ ସହିତ ଦକ୍ଷତା ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । ଡବ୍ଲ୍ୟୁଏସ୍‌ସି, ରାଜ୍ୟର ଆଇଟିଆଇ ଏବଂ ପଲିଟେକ୍‌ନିକ୍ ଛାତ୍ରମାନଙ୍କ ପାଇଁ ଏକ ମେଗା ଫିନିସିଂ ସ୍କୁଲ୍ ଯାହା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଆଇଟିଇଇଏସ୍ ସ୍କିଲ୍ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଥାଏ । ବୈଷୟିକ ବିଶ୍ୱବିଦ୍ୟାଳୟ, ସ୍ୱାସ୍ଥ୍ୟସେବା, ଡାଟା ଆନାଲିଟିକ୍ସ, ଗଣନା, ଅକ୍ଷୟ ଶକ୍ତି ଏବଂ ବୈଦ୍ୟୁତିକ ଯାନ ପରି ୧୬ ରୁ ଅଧିକ ଉତ୍କର୍ଷ କେନ୍ଦ୍ର ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରା ଯାଇଛି ।

ଓଡିଶା ସ୍କିଲ୍ କନକ୍ଲେଭ ୨୦୨୩ ସମୟରେ, ଦେଶ ବାହାର ଓ ଭିତର ଅନୁଷ୍ଠାନଗୁଡ଼ିକ ସହିତ ୨୪ ରୁ ଅଧିକ ବୁଝାମଣା ପତ୍ର ସ୍ୱାକ୍ଷରିତ କରି ଏକ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡ ଭାବରେ ସ୍କିଲ୍‌-ଇନ୍‌-ଓଡିଶାକୁ ପୁନଃ ପ୍ରମାଣିତ କରିଛି । ଆଇଟିଆଇ, ପଲିଟେକ୍‌ନିକ୍ସ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକର ଛାତ୍ର ଏବଂ ଅଧ୍ୟାପିକାମାନଙ୍କ ମଧ୍ୟରେ ଡିଜିଟାଲ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରତିଷ୍ଠିତ ଶିଳ୍ପ ସହ ସହଭାଗିତା କରି ୩୦,୦୦୦ ରୁ ଅଧିକ ଛାତ୍ର ଏବଂ ୩୦୦ ଅଧ୍ୟାପିକାଙ୍କ ପ୍ରଶିକ୍ଷଣକୁ ସହଜ କରିଛି । ଭବିଷ୍ୟତର କୌଶଳ ଏବଂ ନୂତନ ଯୁଗର ପାଠ୍ୟକ୍ରମରେ ଦକ୍ଷତା ପ୍ରଦାନ ପାଇଁ ଓଡ଼ିଶା ବଜେଟ୍ ୨୦୨୩-୨୪ ରେ ନୂତନ ଉନ୍ନତ ଅଭିଳାଷ ଯୋଜନାରେ ୧୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । କ୍ଲାଉଡ୍ କମ୍ପ୍ୟୂଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଅଗମେଣ୍ଟେଡ୍ ରିଅଲିଟି-ଭର୍ଚୁଆଲ୍ ରିଅଲିଟି, ଡାଟା ସାଇନ୍ସ ଏବଂ ୩ଡି ପ୍ରିଣ୍ଟିଙ୍ଗ୍ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଏକ ଲକ୍ଷ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବାକୁ ଏହି ସ୍କିମ୍ ଲକ୍ଷ୍ୟ ରଖିଛି । ଏକ ସମୃଦ୍ଧ ଭବିଷ୍ୟତ ପାଇଁ ଅନ୍ତର୍ଭୂକ୍ତି ତଥା ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଦକ୍ଷତାକୁ ପ୍ରୋତ୍ସାହିତ କରିବାକୁ ଦକ୍ଷତା ବିକାଶ ବିଭାଗ ପ୍ରତିଶୃତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ପ୍ରକାଶ କରିଥିଲେ । ଏହି ଅବସରରେ ବିଭାଗୀୟ ସଚିବ ଉଷା ପାଢ଼ୀ ପିପିଟି ମାଧ୍ୟମରେ ଯୋଜନାୱାରୀ ବିଭାଗର ସମୀକ୍ଷା କରିବା ସହ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking