30.1 C
Bhubaneswar
Wednesday, April 24, 2024
Homeଓଡିଶାପାଠପଢ଼ା ବୟସରେ ହାତରେ ବହି ବଦଳରେ ଲଙ୍ଗଳ; ୭ ପ୍ରାଣୀ କୁଟୁମ୍ବଙ୍କ ସାହାଭରସା ‘ମାମି’

ପାଠପଢ଼ା ବୟସରେ ହାତରେ ବହି ବଦଳରେ ଲଙ୍ଗଳ; ୭ ପ୍ରାଣୀ କୁଟୁମ୍ବଙ୍କ ସାହାଭରସା ‘ମାମି’

ଫୁଲବାଣୀ : ପାଠ ପଢ଼ିବା ବୟସରେ ଧରିବାକୁ ପଡ଼ିଛି ଲଙ୍ଗଳ କଣ୍ଟି । ସମାଜର ଟାହି ଟାପରାକୁ ଖାତିର ନକରି ଝିଅ ଜନ୍ମ ହୋଇଥିଲେ ମଧ୍ୟ ଚାଷ ଜମିରେ ହଳ କରୁଛନ୍ତି । ସମୟ ସ୍ରୋତରେ ବାପାଙ୍କ ଦେହ ଅସୁସ୍ଥ ହେବା ସହ ବେରୋଜଗାର ହୋଇଯିବା ପରେ ତାଙ୍କ ପାଇଁ ଏକମାତ୍ର ସାହାରା ପାଲଟିଛନ୍ତି ଦଶମ ଶ୍ରେଣୀର ଝିଅ ମାମି କପାଟ ପାତ୍ର । ପରିବାରର ୭ପ୍ରାଣୀ କୁଟୁମ୍ବଙ୍କୁ ପେଟକୁ ଦାନା ଯୋଗାଇବା ଓ ସାନ ଭାଇଭଉଣୀଙ୍କ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ନେଇ ଆଗକୁ ଗୋଡ଼ କାଢ଼ିଛନ୍ତି ମାମି ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ହାତୀମୁଣ୍ଡା ପଞ୍ଚାୟତ ତାମାଙ୍ଗି ଗ୍ରାମ କୁଟୀସାହିର ମହାସା କପାଟ ପାତ୍ରଙ୍କ ଝିଅ ମାମି । ମହାସାଙ୍କ ପରିବାର କହିଲେ ସ୍ତ୍ରୀ ଓ ତାଙ୍କର ୫ଜଣ ଝିଅ ଓ ଗୋଟିଏ ପୁଅ । ବୟସ ପ୍ରାୟ ୫୫ ହେବ । ଚାଷ କାମ କରି ବେଶ ହସଖୁସିରେ ପରିବାର ପ୍ରତିପୋଷଣ କରିବା ସହ ପିଲାମାନଙ୍କ ପାଠପଢା କଥା ବି ବୁଝୁଥିଲେ । ହେଲେ ହଠାତ୍ ମହାସାଙ୍କ ଦେହ ଅସୁସ୍ଥ ହେବାପରେ ବିଭିନ୍ନ ସ୍ଥାନକୁ ଯାଇ ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା । ଅର୍ଥ ଅଭାବରୁ ଅଧିକ ଚିକିତ୍ସା କରିପାରିନଥିଲେ । ପ୍ରାୟ ୫ବର୍ଷ ହେବ ସେ ଗୋଡରେ ଭରାଦେଇ ଯାତାୟତ କରୁଛନ୍ତି । ଘରେ କେହି ବି ରୋଜଗାରକ୍ଷମ ନୁହନ୍ତି । ଏହି ପରିସ୍ଥିତିରେ ବଡ଼ଝିଅ ମାମି ଗାଁ’ ବିଦ୍ୟାଳୟରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନଥିଲେ । ପରିବାରର ଆର୍ଥିକ ଅନାଟନ ଦେଇ ଗତି କରୁଥିବାରୁ ଆଗକୁ ଆଉ ସେ ପାଠପଢାରେ ମନ ନଦେଇ ଚାଷକାମରେ ମନ ଦେଇଥଲେ । ସେହିପରି ୨ୟ ଝିଅ ମିନାକ୍ଷୀ ନୟାଗଡର ଗୋଟିଏ ଆଶ୍ରମ ସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ । କିନ୍ତୁ କୌଣସି କାରଣରୁ ହଷ୍ଟେଲ୍ ବନ୍ଦ ହୋଇଯିବାରୁ ପାଠପଢା ଛାଡି ରୋଜଗାର ପାଇଁ କେରଳରେ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଲକଡାଉନ୍ ଘୋଷଣା ହେବାରୁ ସେ ପ୍ରାୟ ୭ମାସ କାମ କଲାପରେ ଘରକୁ ଫେରି ସଂଗରୋଧ କେନ୍ଦ୍ରରେ ୧୪ ଦିନ ବିତାଇ ଘରକୁ ଫେରିଛନ୍ତି । ପରିବାରରେ କେହିବି ରୋଜଗାରିଆ ନଥିବା ବେଳେ ୩ୟ ଝିଅ ମୁନିତା ଖୋର୍ଦ୍ଦା ଜିଲ୍ଲାର ଗୋଟିଏ ଆଶ୍ରମ ସ୍କୁଲରେ ୭ମ ଓ ୪ର୍ଥ ଝିଅ ମିକି ଗାଁ’ ସ୍କୁଲରେ ଷଷ୍ଠ, ପୁଅ ରମ୍ଭା ପଞ୍ଚମ ଶ୍ରେଣୀରେ ଓ ସାନଝିଅ ପ୍ରଥମ ଶ୍ରେଣୀରେ ପଢୁଛନ୍ତି । ମା’ କାନ୍ଦ୍ରି କପାଟ ପାତ୍ର ଓ ବଡଝିଅ ମାମି ପରିବାର ସମ୍ଭାଳିବାକୁ ଆଗେଇ ଆସିଛନ୍ତି । ଏହି ଅଞ୍ଚଳରେ ମୁଖ୍ୟତଃ ଧାନ, ହଳଦୀ, କାନ୍ଦୁଲ ଚାଷକୁ ଗୁରୁତ୍ୱ ଦିଆଯାଇଥାଏ । ଶାରୀରିକ ଦୁର୍ବଳତା ଯୋଗୁ ବାପା ଆଉ ଜମି ଚାଷ କରିପାରୁନାହାନ୍ତି । ପରିବାରରେ ଆର୍ଥିକ ଅନାଟନ ଲାଗି ରହୁଥିବାରୁ ମାମି ଆଗକୁ ପାଠପଢିବା ସ୍ୱପ୍ନ ଛାଡି ନିଜେ ହଳଧରି ଜମି ଚାଷ କରି ପରିବାର ପ୍ରତିପୋଷଣ କରିବାକୁ ଆଗେଇ ଆସିଛନ୍ତି । ଏଥିସହିତ ଛୋଟ ଭାଇ ଭଉଣୀଙ୍କ ପାଠପଢା ଦାୟିତ୍ୱ ମଧ୍ୟ ବୁଝୁଛନ୍ତି । ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘରଟିଏ ବି ମିଳିନାହିଁ । ପ୍ରଶାସନ କିଛି ସାହାଯ୍ୟ ସହଯୋଗ କଲେ ବାପାଙ୍କ ଚିକିତ୍ସା ଓ ଭାଇଭଉଣୀଙ୍କ ପାଠପଢାରେ ସହାୟକ ହେବା ସହିତ ଆବାସ ଯୋଜନାରେ ଘରଟିଏ ପ୍ରଦାନ କଲେ ସେମାନେ ଉପକୃତ ହେବେ ବୋଲି ମହାସାଙ୍କ ସ୍ତ୍ରୀ କାନ୍ଦି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking