28.1 C
Bhubaneswar
Thursday, March 28, 2024
Homeଓଡିଶାନିଖୋଜର ପାଞ୍ଚଦିନ ପରେ ମିଳିଲା ଛାତ୍ର ଶୁଭମର ମୃତଦେହ : ହତ୍ୟା ସନ୍ଦେହ, ଚିଠିକୁ ନେଇ...

ନିଖୋଜର ପାଞ୍ଚଦିନ ପରେ ମିଳିଲା ଛାତ୍ର ଶୁଭମର ମୃତଦେହ : ହତ୍ୟା ସନ୍ଦେହ, ଚିଠିକୁ ନେଇ ଚର୍ଚ୍ଚା

ଧୁଷୁରୀ : ପାଞ୍ଚଦିନ ଧରି ନିଖୋଜ ଥିବା ଅସୁରାଳି ଝାରଡ଼ିଆ ଗ୍ରାମର ଦଶମ ଶ୍ରେଣୀ ଛାତ୍ର ଶୁଭମ ପ୍ରଧାନ ଓରଫ ଧନିଆର ଝୁଲନ୍ତା ମୃତଦେହ ଶୁକ୍ରବାର କାକୁଡିଗଡିଆ ନିକଟ ରେବନଦୀ ପଠାରୁ ଉଦ୍ଧାର ହୋଇଛି । ଏହାକୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି । ମୃତ ଶୁଭମ୍ ନିଖୋଜ ହେବା ଦିନ ମାମୁ ଘରେ ଲେଖି ଦେଇଯାଇଥିବା ଏକ ଚିଠିରୁ ଏହା ଏକ ଅପହରଣ ଜନିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଧାମନଗର ବ୍ଲକ୍ ଧୁଷୁରୀ ଥାନା ଅଧୀନ ଗଢିଆଳି ପଞ୍ଚାୟତ ଝାରଡିଆ ଗ୍ରାମର ସରୋଜ ପ୍ରଧାନ ଗତ କିଛିଦିନ ଧରି ନିକଟସ୍ଥ ଗୋବିନ୍ଦପୁର ଗ୍ରାମରେ ରହୁଛନ୍ତି । ତାଙ୍କର ବଡ଼ପୁଅ ଶୁଭମ (୧୬) କୋରୁଆ ଗୋବିନ୍ଦପୁର ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଥିବାବେଳେ ସେ ମାମୁଘର କାକୁଡିଗଡିଆରେ ରହୁଥିଲେ । ୨୭ ତାରିଖ ଦିନ ଶୁଭମ କାହାକୁ କିଛି ନଜଣାଇ କେଉଁଆଡେ ଚାଲି ଯାଇଥିଲେ । ଘର ଓ ମାମୁଘର ଲୋକେ ଅନେକ ଖୋଜାଖୋଜି କରି କିଛି ସନ୍ଧାନ ପାଇନଥିବା ବେଳେ ମାମୁଘରୁ ଶୁଭମ୍‌ର ଏକ ହାତଲେଖା ଚିଠି ମିଳିଥିଲା ।
ମିଳିଥିବା ଚିଠିରୁ ଶୁଭମକୁ କେହି ଅଜଣା ବ୍ୟକ୍ତି ମାରିଦେଇଥିବା ସନ୍ଦେହ ଦୃଢୀଭୂତ ହୋଇଥିବା ବେଳେ ଚିଠିରେ ସେ ଯାହା ବୟାନ କରିଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଚିଠିଟି ଏପରି :- ମୁଁ ମୋ ଜୀବନରେ ବହୁତ ଖୁସି ଥିଲି, ସିଏ କିଏ ମୋ ଜୀବନରେ ଅଦିନିଆ ଝଡ ପରି ଆସିଲା । ମୋର ପ୍ରତିଟି କଥାରେ ବାଧା ଦେଲା, ମାଡ଼ମାରି ବହୁତ କଟୁକଥା କହିଲା । ତା ସହିତ ମୋର ଶତ୍ରୁତା କ\’ଣ ମୁଁ ଜାଣିନି, ଖାଲି ଏତିକି ଜାଣିଛି ମୋ ବିରୋଧରେ କିଛି ଲୋକ ତାଙ୍କୁ ଉସୁକାଉଛନ୍ତି । ସେ ମୋ ଜୀବନକୁ ଛାରଖାର କରିଦେବାକୁ ବସିଛି । କାହିଁକି ସିଏ ମୋତେ ଏତେ କଷ୍ଟ ଦେଉଛି ଏ କଥା ମୁଁ ଯଦି ଘରେ କହିବି କେହି ମୋ କଥାକୁ ବିଶ୍ୱାସ କରିବେ ନାହିଁ । ବହୁତ କଥା ଶୁଣେଇବେ । ସେଇଥିପାଇଁ ମୁଁ କିଛି କହିନି, ମନର କଥା ମନରେ ଚାପି ଦୁଃଖ ପାଇବା ଛଡ଼ା ଆଉ କିଛି ନାହିଁ ।
ସେହି ଲୋକଟା ବିଷୟରେ ଜାଣିବାକୁ ଚେଷ୍ଟାକଲେ ମଧ୍ୟ ଜାଣିପାରନି । ତାକୁ ଯଦି ମୁଁ ପଚାରେ ତୁମେ କିଏ ସେ କହୁଛି ତୋ ସହିତ ମୋର କିଛି ଶତ୍ରୁତା ନାହିଁ । ତୋ ବାପା-ମାଙ୍କ ସହିତ ଶତ୍ରୁତା ଅଛି ଯେଉଁଥିପାଇଁ ତୁ ମରିବୁ । ମୁଁ ସକାଳେ ଟ୍ୟୁସନ ଯାଇଥିଲି ରାସ୍ତାରେ ଦେଖା ହେଲା । ମୋତେ ଗୋଟେ ଚିଠି ଦେଇ ଧମକ ଦେଇ କହିଲା ଆଜି ୪.୧୫ରେ ଦେଖା କରିବୁ । ତା’ କଥା ମାନି ମୁଁ ସ୍କୁଲ ପାଖକୁ ଗଲି, ତା ସହ ଆଉ ଚାରିଜଣ ଲୋକ ମୁଁହରେ କପଡା ବାନ୍ଧି ମୋ ସହିତ କଥା ହେଲେ । ଚିଠି ଖଣ୍ଡେ ଦେଲେ ତାକୁ ପଢିଲି ଯେ ସାତଦିନ ପରେ ପୋଲ ପାଖକୁ ଆସିବୁ ନଚେତ୍‍ ଟ୍ୟୁସନ ଯିବା ବାଟରେ ତତେ ଛଟପଟ କରି ମାରିବୁ । ଏହା କହି ବିଦା କରିଦେଲେ । ମୁଁ ଘର ଛାତ ଉପରକୁ ଯାଇ ବହୁତ କାନ୍ଦିଲି, କେହି ମୋତେ ଓଲଟା ବୁଝିବ ଭାବି କାହାକୁ କିଛି କହିଲିନି । ସେମାନେ ଦେଇଥିବା ଦିନ ଅନୁଯାୟୀ ମୁଁ ପୋଲ ପାଖକୁ ଯିବା ପୂର୍ବରୁ ଦେଇଥିବା ନମ୍ବରରେ ବଡ଼ମାମୁଙ୍କ ମୋବାଇଲ୍‌ରୁ କଥା ହେଲି ଓ ନମ୍ବର ଡିଲିଟ୍ କରିଦେଲି । ମୁଁ ଯେ ଏତେ ବଡ଼ ବୋକା ତା କଥା ମାନି ନମ୍ବରଟାକୁ ଡିଲିଟ୍ କରିଦେବା ପରେ ମୋତେ ଲାଗିଲା ନମ୍ବରଟା ଥିଲେ ସେ ଧରାପଡିଥାନ୍ତା ।
ମୁଁ ଭାବିଲି ଯିବିନି, ମୁଁ ମରିବାକୁ ଚାହେଁନା ହେଲେ ତା ଧମକ ମନେ ପଡିଗଲା । ଭୟରେ ଛାତି ଧକ୍ ଧକ୍ ହେଲା । ଆଉ କ’ଣ ଲେଖିବି ମୁଁ ଏବେ ଯାଉଛି । ଏହି ଚିଠିକୁ ନେଇ ପରିବାର ଲୋକେ ଧୁଷୁରୀ ଥାନାରେ ଅଭିଯୋଗ ଆଣିବାର ଦୁଇଦିନ ପରେ ୨୪/୨୦ରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲା । ଶୁକ୍ରବାର ସକାଳେ ଜଣେ ବ୍ୟକ୍ତି କାକୁଡିଗଡିଆ-ଝାରଡିଆ ମଧ୍ୟବର୍ତ୍ତୀ ସ୍ଥାନ ରେବନଦୀର ଚୁଡାଖିଆ ମଠ ପଠାର ଏକ ଘଞ୍ଚ ସ୍ଥାନରେ ଏକ ମୃତଦେହ ଝୁଲୁଥିବା ଦେଖି ଗାଁ ଲୋକଙ୍କୁ ଖବର କରିଥିଲେ । ଖବର ପାଇ ଧୁଷୁରୀ ଥାନା ଆଇଆଇସି ପ୍ରଫୁଲ୍ଲ ସିଂହ, ଏସ୍‌ଆଇ ବିଭୂତି ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁଧ୍ୟାନ ପରେ ସାଇଣ୍ଟିଫିକ୍ ଟିମ୍ ଡ଼କାଇ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମିଳିଥିବା ମୃତଦେହକୁ ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇପଡ଼ିଥିବା ବେଳେ ପରିବାର ଲୋକେ ଏହାକୁ ଚିହ୍ନଟ କରିଛନ୍ତି । ଏହି ଘଟଣା ସାଧାରଣରେ ଆଲୋଡ଼ନା ସୃଷ୍ଟି କରିଛି । ପୁଲିସ କେଉଁ ନମ୍ବରରୁ ଶୁଭମ୍‌କୁ ଫୋନ୍ ଆସିଥିଲା ତାହାର ସବିଶେଷ ତଥ୍ୟ ସଂଗ୍ରହ କଲେ, ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking