32.8 C
Bhubaneswar
Tuesday, April 16, 2024
Homeଓଡିଶାଗରିବ ଲୋକଙ୍କ ମୁହଁରେ ହସ ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ : ମୁଖ୍ୟମନ୍ତ୍ରୀ

ଗରିବ ଲୋକଙ୍କ ମୁହଁରେ ହସ ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ : ମୁଖ୍ୟମନ୍ତ୍ରୀ

 

:ପିପିଲି-ଡେଲାଙ୍ଗ ଅଞ୍ଚଳର ଜନସାଧରଣଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
:୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା
ବେରବୋଇରେ ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ କରାଯିବ, ମଡେଲ ସ୍କୁଲ ସ୍ଥାପନ ହେବ

 

ପିପିଲି : ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପାଳନ କରୁଛେ । ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧୀଜୀ ପ୍ରଥମେ ଓଡିଶା ଆସିଥିଲେ । ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଆସିଥିଲେ ଏବଂ ଏହିଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ଭାଗ ନେଇଥିଲେ । ଗାନ୍ଧୀଜୀଙ୍କ ଆଦର୍ଶ ସବୁବେଳେ, ବିଶେଷ କରି ବର୍ତ୍ତମାନ ସମୟରେ ଆମ ପାଇଁ ଖୁବ ଜରୁରୀ।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଅରେ ପିପିଲି-ଡେଲାଙ୍ଗ ଅଞ୍ଚଳର ଜନସାଧରଣଙ୍କ ସହ ଆଲୋଚନା କରିବା ଅବସରରେ ଏହା କହିଛନ୍ତି । ଏହି ଅବସରରେ ବେରବୋଇରେ ଏକ ଆଦର୍ଶ ବିଦ୍ୟାଳୟ ତଥା ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ଏଥିରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ, ସେତୁ, ବସ୍ଷ୍ଟାଣ୍ଡ ଆଦି ବିଭିନ୍ନ ବିକାଶ କାମ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସବୁବେଳେ ଗାଁ ର ବିକାଶ ଉପରେ ଫୋକସ୍ କରିଆସିଛନ୍ତି । ମହିଳା ଓ ଚାଷୀ ଭାଇଙ୍କ କଲ୍ୟାଣ ଉପରେ ଫୋକସ୍ କରିଆସିଛନ୍ତି । ଗରିବ ଲୋକଙ୍କ ମୁହଁରେ ହସ ହିଁ ତାଙ୍କୁ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ ବୋଲି ସେ କହିଥିଲେ ।
କରୋନା ଲକ୍ଡାଉନ ସମୟରେ ମିଶନ ଶକ୍ତି ଓ ଚାଷୀଭାଇଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ସମୟରେ ଆମର ମିଶନ ଶକ୍ତିର ମା’ ମାନେ ବହୁତ ଭଲ କାମ କରିଛନ୍ତି। ଆମର ଚାଷୀ ଭାଇମାନେ ମଧ୍ୟ ଲକ୍ ଡାଉନ ସମୟରେ କରୋନାକୁ ଭୟ ନ କରି ଚାଷ କାମ ଜାରି ରଖିଥିଲେ । ଚାଷୀ ଭାଇର ପରିଶ୍ରମ ଯୋଗୁ ଦେଶର ଅର୍ଥନୀତି ଆଜି ବଞ୍ଚି ରହିଛି ବୋଲି ସେ ପ୍ରକାଶ କରିଥିଲେ ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁଃଖର କଥା, ଆପଣଙ୍କର ପ୍ରିୟ ବିଧାୟକ ପ୍ରଦୀପ ବାବୁ ଆଜି ଆମ ଭିତରେ ନାହାନ୍ତି । ଗତ ୩୦ ବର୍ଷରୁ ଅଧିକ ସମୟ ଧରି ପିପିଲି-ଡେଲାଙ୍ଗର ବିକାଶ ସହ ସେ ଯୋଡି ହୋଇ ରହିଥିଲେ । ଆପଣମାନଙ୍କ ଭଲମନ୍ଦ, ସୁଖଦୁଃଖ ସବୁଥିରେ ସେ ଆପଣମାନଙ୍କ ସାଥିରେ ରହିଥିଲେ । ପିପିଲି-ଡେଲାଙ୍ଗର ବିକାଶ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି। ଏହି ଅବସରରେ ପ୍ରଦୀପ ମହାରଥୀଙ୍କ ସ୍ମୃତି ପ୍ରତି ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଉପରେ ସମସ୍ତଙ୍କର ଅଧିକାର ରହିଛି । ବିଶେଷକରି ଗରିବ ଲୋକମାନଙ୍କର ବିକାଶ ଉପରେ ପ୍ରଥମ ଅଧିକାର ରହିଛି । ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ସାଧାରଣ ଲୋକକୁ ତାର ହକ୍‌ ଦେବା ପାଇଁ ସେ କାମ କରୁଛନ୍ତି ଓ କରିଚାଲିବେ ବୋଲି କହିଥିଲେ ।
ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ସମଗ୍ର ପୁରୀ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।
ଏହି ଅବସରରେ ପିପିଲି ଓ ଡେଲାଙ୍ଗ ଦୁଇଟି ସ୍ଥାନରେ ସଭାର ଆୟୋଜନ କରାଯାଇଥିଲା । ପିପିଲିଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ପିପିଲି ସମେତ ସମଗ୍ର ପୁରୀ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଡେଲାଙ୍ଗଠାରେ ଆୟୋଜିତ ସମାବେଶରେ ଯୋଗଦେଇ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ପୁରୀ ଜିଲ୍ଲାର ବିକାଶରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି କହିଥିଲେ । ଶ୍ରୀମନ୍ଦିରର ବିକାଶ ପୁରୀ ଜିଲ୍ଲା ପାଇଁ ଆହୁରି ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବ ବୋଲି ସେ କହିଥିଲେ ।
ଏହି ଅବସରରେ ପିପିଲିଠାରେ ୧୭୬୧ ଜଣଙ୍କୁ ରାସନ କାର୍ଡ, ୩୦୫୯ ଜଣଙ୍କୁ ଭତ୍ତା ଏବଂ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଡେଲାଙ୍ଗଠାରେ ୩୨୦ ଜଣଙ୍କୁ ରାସନ କାର୍ଡ, ୧୨୩୦ ଜଣଙ୍କୁ ଭତ୍ତା ଏବଂ ୨୦ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା । ପିପିଲି ବଡକଣ୍ଟି ଗ୍ରାମର ହିତାଧିକାରୀ ପ୍ରମୋଦିନୀ ମାଝୀ ଏବଂ ଡେଲାଙ୍ଗର ପ୍ରମୋଦ ଭୋଇ ହିତାଧିକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ପୁରୀ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର, ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ପ୍ରତାପ କେଶରୀ ଦେବ, ଶ୍ରୀ ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ସମ୍ପର୍କୀତ ଏକ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking