28.1 C
Bhubaneswar
Friday, March 29, 2024
Home2023- ବଜେଟ୍କୃଷିରୁ ଆରମ୍ଭ କରି ଶିକ୍ଷା, କେଉଁ କ୍ଷେତ୍ରକୁ କେତେ ଟଙ୍କା ଦେଲେ ମୋଦି ସରକାର ?

କୃଷିରୁ ଆରମ୍ଭ କରି ଶିକ୍ଷା, କେଉଁ କ୍ଷେତ୍ରକୁ କେତେ ଟଙ୍କା ଦେଲେ ମୋଦି ସରକାର ?

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ସଂସଦରେ ସାଧାରଣ ବଜେଟ୍‍ ଆଗତ କରିଛନ୍ତି। ଏହି ବଜେଟରେ ଅନେକଗୁଡ଼ିଏ କ୍ଷେତ୍ର ପାଇଁ ବିଭିନ୍ନ ଯୋଜନାର ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ବଜେଟ୍‍ରେ କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି। କୃଷି ସହ ଜଡିତ ଷ୍ଟାର୍ଟଅପ୍‍କୁ ପ୍ରାଥମିକତା ଦିଆଯାଇଥିବାବେଳେ ଯୁବଉଦ୍ୟୋଗୀମାନଙ୍କୁ କୃଷି ଷ୍ଟାର୍ଟଅପ୍‍ ପାଇଁ ଏକ କୃଷି ତ୍ୱରାନ୍ୱିତ ପାଣ୍ଠି ଆରମ୍ଭ କରାଯିବା ନେଇ ସେ ଘୋଷଣା କରିଛନ୍ତି। ଏଥିରେ ପଶୁପାଳନ, ଦୁଗ୍‍ଧ ଏବଂ ମତ୍ସ୍ୟଚାଷ ବୃଦ୍ଧି ନିମନ୍ତେ କୃଷି ଋଣ ୨୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ଆଜି ବଜେଟ୍‍ରେ କୃଷି ପ୍ରୋତ୍ସାହନ ନୀତି ଘୋଷଣା କରି ବାର୍ଷିକ କୃଷି ଋଣ ପରିମାଣ ୧୧.୧ ପ୍ରତିଶତ ବୃଦ୍ଧି ପାଇବ ବୋଲି କହିଛନ୍ତି। ସରକାରୀ ଏବଂ ଘରୋଇ ଭାଗୀଦାରୀରେ କପା ଚାଷ ପାଇଁ ବଜେଟ୍‍ରେ ବ୍ୟବସ୍ଥା କରାଯାଇଛି।

ଆଜି ଆଗତ ସାଧାରଣ ବଜେଟ୍‍ରେ ଆୟକର ରିହାତି ସୀମା ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ନିମନ୍ତେ କୌଣସି ଆୟକର ଦେବାକୁ ପଡିବ ନାହିଁ। ୩ ଲକ୍ଷ ରୁ ୬ ଲକ୍ଷ ଯାଏଁ ୫ ପ୍ରତିଶତ, ୬ରୁ ୯ ଲକ୍ଷ ଯାଏଁ ୧୦ ପ୍ରତିଶତ, ୯ ରୁ ୧୨ ଲକ୍ଷ ଯାଏଁ ୧୫ ପ୍ରତିଶତ, ୧୨ ରୁ ୧୫ ଲକ୍ଷ ଯାଏ ୨୦ ପ୍ରତିଶତ ଏବଂ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ନିମନ୍ତେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ।

ଚଳିତ ବଜେଟ୍‍ରେ ରେଳବାଇ ପାଇଁ ୨ ଲକ୍ଷ ୪୦ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ରେଳବାଇ ପାଇଁ ଏହା ବର୍ତ୍ତମାନ ଯାଏ ସବୁଠାରୁ ଅଧିକ ଆବଂଟନ ଅଟେ। ଏହା ୨୦୧୩-୧୪ ରେ ରେଳବାଇକୁ ପ୍ରଦାନ କରାଯାଇଥିବା ରାଶିର ପାଖାପାଖି ୯ ଗୁଣ ଅଟେ। ଏକଲବ୍ୟ ସ୍କୁଲ ପାଇଁ ୩୮ ହଜାର ୮ଶହ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ସେହିଭଳି ୧୫୭ଟି ନର୍ସିଂ କଲେଜ ସ୍ଥାପନ ହେବ। ଏହାବ୍ୟତୀତ ଏହି ବଜେଟରେ ଦେଶର ସହରାଞ୍ଚଳଗୁଡ଼ିକର ବିକାଶ ଲାଗି ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ଫଣ୍ଡ ପାଇଁ ୧୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। କୃତ୍ରିମ ବୁଦ୍ଧିମତ୍ତା ବା ଆର୍‍ଟିଫିସିଆଲ୍‍ ଇଣ୍ଟେଲିଜେନ୍‍ସ୍‍ର ବିକାଶର ଲାଗି ଦେଶରେ ୩ଟି ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ବଜେଟ୍‍ରେ ବ୍ୟବସ୍ଥା ହୋଇଛି। କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଳା ଯୋଜନା ଭଳି ଦେଶର ୫ଶହଟି ବ୍ଲକ୍‍କୁ ଆକାଂକ୍ଷୀ ବ୍ଲକ ଭାବେ ବିକାଶ କରାଇବା ଲାଗି ଏଥିରେ ଯୋଜନା ରହିଛି । ଅନ୍ୟପକ୍ଷରେ ଦେଶର ଅବଲୁପ୍ତ ପ୍ରାୟ ଜନଜାତିଙ୍କ ବିକାଶ ଲାଗି ଜନଜାତି ଉନ୍ନୟନ ମିଶନ ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏଥିପାଇଁ ଆସନ୍ତା ୩ ବର୍ଷ ମଧ୍ୟରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ବ୍ୟବସ୍ଥା ରହିଛି।

ଏହି ବଜେଟ୍‍ରେ ଦେଶରେ ୫୦ଟି ନୂଆ ବିମାନବନ୍ଦର ଏବଂ ହେଲିପୋଟ ପ୍ରତିଷ୍ଠା କରାଯିବା ସହ କେ.ୱାଇ.ସି ବ୍ୟବସ୍ଥାକୁ ସରଳୀକରଣ କରାଯିବାକୁ ଘୋଷଣା କରାଯାଇଛି। ଦେଶରେ ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ବ୍ୟବସ୍ଥା ଲାଗି ୭ ହଜାର କୋଟି ଟଙ୍କା ବଜେଟ୍‍ରେ ବ୍ୟୟ ବରାଦ କରାଯାଇଥିବା ବେଳେ ଫାଇଭ୍‍-ଜିର ବିକାଶ ଲାଗି ୧୦୦ଟି ଇଂଜିନିୟରିଂ ପ୍ରତିଷ୍ଠାନରେ ସ୍ୱତନ୍ତ୍ର ଲାବ୍‍ ପ୍ରତିଷ୍ଠା ପାଇଁ ଅର୍ଥ ଆବଣ୍ଟନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍‍ ଅଭିଭାଷଣରେ କହିଛନ୍ତି, ଦେଶର ଅର୍ଥନୀତିର ଭବିଷ୍ୟତ ଉଜ୍ୱଳ ।

ତେବେ ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତିର ବୃଦ୍ଧି ଦର ୭ ପ୍ରତିଶତ ରହିବା ସେ ଅନୁମାନ କରିଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ସମୟରେ ଆମେ ୨୮ ମାସ ଯାଏ ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ନିଶୁଳ୍କ ଖାଦ୍ୟ ଯୋଗାଣ କରିବା ଓ କେହି ଯେପରି ଭୋକରେ ନ ରହିବେ ତାହା ସୁନିଶ୍ଚିତ କରିଥିଲେ । ଏହି ଯୋଜନାରେ ୨ ଲକ୍ଷ କୋଟି ଟଙ୍କା ଭାର କେନ୍ଦ୍ର ସରକାର ବହନ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ୨୦୨୪ ପରଠାରୁ ସମସ୍ତ ନାଗରିକଙ୍କ ଜୀବନର ଗୁଣବତ୍ତାରେ ସୁଧାର ଓ ଗରିମାପୂର୍ଣ ଜୀବନକୁ ସୁନିଶ୍ଚିତ କରିଛନ୍ତି । ଗତ ୯ ବର୍ଷରେ ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ବୃହତ୍‍ ଅର୍ଥନୀତିରେ ପରିଣତ ହୋଇଛି ।

ତାଙ୍କ ଅଭିଭାଷଣରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ସମାବେଶୀ ବୃଦ୍ଧି, ସବୁଜ ବିକାଶ, ଯୁବ ଶକ୍ତି, ବିତ୍ତୀୟ କ୍ଷେତ୍ର, ଅନ୍ତିମ ସୀମା ଯାଏ ପହଂଚିବା, ମୌଳିକ ଭିତ୍ତିଭୂମିର ବିକାଶ ଓ କ୍ଷମତାର ସମ୍ପୂର୍ଣ ବ୍ୟବହାର ଆଦି ସମ୍ପର୍କରେ କହିଛନ୍ତି । ଚଳିତ ବଜେଟ୍‍ରେ କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲାଗି ଅଲଗା ପାଣ୍ଠି ପ୍ରତିଷ୍ଠା ସହ ନୂଆ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ଅପାର ସମ୍ଭାବନା ବିଷୟରେ ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଦେଶରେ ଖୁବ୍‍ ଶୀଘ୍ର ମିଲେଟ ସଂସ୍ଥାନର ଗଠନ କରାଯାଇ ଏହାର ଉତ୍ପାଦନ ବୃଦ୍ଧିଲାଗି ଚାଷୀମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ମିଲେଟ୍‍କୁ ପ୍ରୋତ୍ସାହନ ଦେବାପାଇଁ ଶ୍ରୀଅନ୍ନ ଯୋଜନା ଆରମ୍ଭ କରାଯିବ। ଚଳିତ ସାଧାରଣ ବଜେଟରେ ପିଲା ଓ ଯୁବ ଶକ୍ତିଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରାଯିବାକୁ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking