34.1 C
Bhubaneswar
Thursday, April 25, 2024
Homeଓଡିଶାଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରା ପାଇଁ ପ୍ରଦେଶ ମହିଳା କଂଗ୍ରେସର ପ୍ରସ୍ତୁତି ବୈଠକ

ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରା ପାଇଁ ପ୍ରଦେଶ ମହିଳା କଂଗ୍ରେସର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର- ଆଜି ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ପରିଡ଼ା ବୁଥ, ବ୍ଲକ, ଜିଲ୍ଲା ଏବଂ ପ୍ରାଦେଶିକ ସ୍ତରରେ ମହିଳା କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ଭାରତ ଯୋଡ଼ ଯାତ୍ରାକୁ ସଫଳ କରିବା ଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି କହିଥିଲେ ।

ପ୍ରଦେଶ କଂଗ୍ରେସ ପକ୍ଷରୁ ଯେଉଁ “ଭାରତ ଯୋଡ଼ୋ ଯାତ୍ରା” କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜିତ ହେଉଛି ସେଥିରେ ୩୦ ପ୍ରତିଶତରୁ ଉର୍ଦ୍ଧ୍ୱ ମହିଳା ଅଂଶଗ୍ରହଣ କରିବେ । ପ୍ରତି ବୁଥ, ପଂଚାୟତ ଏବଂ ବ୍ଲକରୁ ମହିଳାମାନେ ଏହି ଯାତ୍ରାରେ ଯୋଗଦେବେ । ବିଶେଷ କରି ବୁଥରୁ ଅନ୍ୟୁନ ଦୁଇଜଣ ଯୋଗଦେବା ପାଇଁ ସ୍ଥିର ହୋଇଛି । ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନା, ହତ୍ୟା, ଗଣଦୁଷ୍କର୍ମ ବଢ଼ିଚାଲିଥିଲା ବେଳେ ନବୀନ ପଟ୍ଟନାୟକଙ୍କ “ମା’କୁ ସମ୍ମାନ” ଆହ୍ୱାନ ଏକ ପ୍ରହଶନରେ ପରିଣତ ହୋଇଛି । ଶ୍ରୀମତୀ ପରିଡ଼ା ଅସୁରକ୍ଷିତ, ଦୁଷ୍କର୍ମ ପୀଡ଼ିତ, ନିର୍ଯ୍ୟାତିତ ଏବଂ ଅନ୍ୟାନ୍ୟ ବିପଦରେ ପଡ଼ିଥିବା ମହିଳାଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇଦେବାପାଇଁ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ସୁଶ୍ରୀ ନିତା ଡି ସୌଜାଙ୍କ ଦ୍ୱାରା ପ୍ରଣୀତ ଟୋଲ ଫ୍ରି ନଂ – ୧୮୦୦-୨୦୩-୦୫୮୯ ଏହି ବୈଠକରେ ଉଦ୍‌ଘାଟନ କରିଥିଲେ । ଏହି ନଂ ଜିଲ୍ଳା, ବ୍ଲକ ଓ ପଂଚାୟତ ସ୍ତରରେ ଉଦ୍‌ଘାଟନ କରାଯିବ ବୋଲି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ମହିଳା ସଶକ୍ତିକରଣ ପାଇଁ ଏହା ସହାୟକ ହେବ । ପ୍ରଦେଶ ମହିଳା କଂଗ୍ରେସ ର ରାଜ୍ୟ କର୍ମକର୍ତା ଓ ଜିଲ୍ଲା ସଭାପତିମାନେ ନିଜ ନିଜ ଜିଲ୍ଲାର ମହିଳାମାନଙ୍କର ସମସ୍ୟା ସଂପର୍କରେ ଅବତାରଣା କରିବା ସହ ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶଗ୍ରହଣ ସଂପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, “କ୍ଷମତା ବାହାରେ ଏକ ପ୍ରତିକୂଳ ପରିସ୍ଥିତିରେ ୨୨ବର୍ଷ ଧରି ବିଜେଡ଼ି ସରକାର, ବିଜେଡ଼ି ଓ ବିଜେପିର ଭାଗୁଆଳି ସରକାର ଓ କେନ୍ଦ୍ରର ଆଠବର୍ଷର ମୋଦି ସରକାର ବିରୁଦ୍ଧରେ ମହିଳା କଂଗ୍ରେସ ନିରନ୍ତର ସଂଗ୍ରାମ କରୁଥିବାରୁ ମୁଁ ସମସ୍ତଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି । ଶ୍ରୀ ପଟ୍ଟନାୟକ ଜନନାୟକ ରାହୁଲ ଗାନ୍ଧୀଙ୍କର ଉତୁଙ୍ଗ ନେତୃତ୍ୱ ପ୍ରତି ମୋଦି, ବିଜେପି ଏବଂ ଆରଏସଏସ ଅସହିଷ୍ଣୁ ହୋଇପଡ଼ିଛନ୍ତି । ଭାରତ ଆଜି ମୋଦି, ବିଜେପି ଏବଂ ଆରଏସଏସ ପାଇଁ ପ୍ରତିଦିନ ଭାଙ୍ଗି ତୁଟି ଯାଉଛି । ଜନନାୟକ ରାହୁଲ ଗାନ୍ଧୀ ଭାରତକୁ ଯୋଡ଼ି ରଖିବା ପାଇଁ ଭାରତର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଭାରତ ଯୋଡ଼ୋ ଯାତ୍ରାରେ ସମସ୍ତଙ୍କର ସହଯୋଗ ଓ ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି । ହାଣ୍ଡିଶାଳରେ ଆଜି ମହଙ୍ଗାମାଡ଼ ହୋଇଛି । ଗ୍ୟାସ ଦର ଆକାଶ ଛୁଆଁ, ନିତ୍ୟବ୍ୟବହାର୍ଯ୍ୟ ସୌଦା ଦର ଅତ୍ୟନ୍ତ ବୃଦ୍ଧି ପାଇଛି । ପ୍ରତି ହାଣ୍ଡିଶାଳରୁ ପ୍ରତିବାଦର ସ୍ୱର ଉଠିଲେ ପରିସ୍ଥିତିର ପରିବର୍ତନ ହୋଇପାରିବ । ଜାତି, ଧର୍ମ, ବର୍ଣ୍ଣ, ଭାଷା, ପୋଷାକ ଓ ଅଂଚଳ ଆଧାରରେ କେବଳ ରାଜନୈତିକ ଫାଇଦା ପାଇଁ ଭାରତକୁ ଭାଗ ଭାଗ କରିଦିଆଯାଉଛି । ସାମ୍ବିଧାନିକ ଅନୁଷ୍ଠାନ ଆଜି ବିପଦଗ୍ରସ୍ତ । ଗଣତନ୍ତ୍ରର ହତ୍ୟା ହେଉଛି । ରେଳବାଇ, ଏଲଏାଇସି, ବନ୍ଦର, ଖଣି, ସରକାରୀ ଶିଳ୍ପ ଏ ସମସ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବନ୍ଧୁ ଶିଳ୍ପପତିଙ୍କ ହାତରେ ଟେକି ଦେଉଛନ୍ତି । ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି ସମସ୍ତ ପଦାର୍ଥ ଓ ଦ୍ରବ୍ୟର ଦର ଏବଂ ବିଶେଷ କରି ମୁଢ଼ି, ଚୁଡ଼ା, ଛତୁଆ, ପେନସିଲ, କଲମ, ଖାତା ସମସ୍ତ ଜିନିଷ ଉପରେ ଜିଏସଟି ଲଗାଯାଇ ସାଧାରଣ ଜନତାଙ୍କର ରକ୍ତ ଶୋଷଣ କରାଯାଉଛି । ଏ ଦେଶକୁ ଗାନ୍ଧୀ, ନେହେରୁ, ପଟେଲ, ଶାସ୍ତ୍ରୀ, ଇନ୍ଦିରାଜୀ, ସ୍ୱାଧୀନ କରିଥିଲେ । କଂଗ୍ରେସ ନବଭାରତ ନିର୍ମାଣ କରିଛି ମାତ୍ର ସରକାର ପ୍ରତିଦିନ ଭାରତ ଭାଙ୍ଗୁଛି ।
ଦେଶରେ ଓ ରାଜ୍ୟରେ ମହିଳାମାନଙ୍କର ପରିସ୍ଥିତି ସଂପର୍କରେ ଉଦ୍‌ବେଗ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହିଳାମାନେ ବିଶେଷ କରି ନବୀନ ସରକାର ଓ ମୋଦି ସରକାର ବିରୁଦ୍ଧରେ ଶାଣିତ ସ୍ୱର ଉତୋଳନ କରିବାର ସମୟ ଆସିଛି । ଉଭୟ ଦେଶରେ ଓ ରାଜ୍ୟରେ ମହିଳା ଅସୁରକ୍ଷିତ । ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ମହିଳା କଂଗ୍ରେସର ସୁଦୃଢ଼ିକରଣ ପାଇଁ ଉପଦେଶ ଦେଇଥିଲେ । ରାଜ୍ୟରେ ୩୫ ହଜାରରୁ ଉର୍ଦ୍ଧ୍ୱ ବୁଥରେ ମାତ୍ର ଦୁଇ ଦୁଇ ଜଣ ସଂଗ୍ରାମୀ ମହିଳାଙ୍କୁ ମହିଳା କଂଗ୍ରେସରେ ସାମିଲ କଲେ ଖୁବଶୀଘ୍ର ଏକ ବୈପ୍ଳବିକ ପରିବର୍ତନ ହୋଇପାରିବ । ପରିବର୍ତନ ପାଇଁ ଅର୍ଥ ଏକ ସମସ୍ୟା ନୁହେଁ ବଂର ଲଢ଼ିବାର ମାନସିକତା ଜରୁରୀ । ମହିଳା କଂଗ୍ରେସର ଜିଲ୍ଲା, ବ୍ଲକ ଓ ବୁଥ ସ୍ତରର ସଂଗଠନକୁ ତୁରନ୍ତ ସଂପୂର୍ଣ୍ଣ ଭାବରେ ଗଠନ କରି ସେମାନଙ୍କୁ ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ଯୁଦ୍ଧକାଳୀନ ଭିତରେ ପଦକ୍ଷେପ ନିଆଯାଉ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶରେ ମହିଳାମାନଙ୍କର ସଶକ୍ତିକରଣ ପାଇଁ ଉଲ୍ଲେଖନୀୟ ପ୍ରଚେଷ୍ଟା କରିଥିଲେ । ତାଙ୍କର ଉଦ୍ୟମରେ ମହିଳାମାନଙ୍କର ସଂରକ୍ଷଣ ଲୋକସଭାରେ ପାରିତ ହୋଇଛି ମାତ୍ର ରାଜ୍ୟ ସଭାରେ ଅଟକି ଯାଇଥିବା ସ୍ଥଳେ ମୋଦି ସରକାର ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଆଗାମୀ ଦଶହରା ପୂଜା ଏବଂ ମା’ ଦୁର୍ଗାଙ୍କର ମହିମା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ଆଜିର ଦୁର୍ନୀତି ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନ ଓ କୁଶାସନର ପରିବର୍ତନ ପାଇଁ ପ୍ରତ୍ୟେକ ମହିଳା ମା’ ଦୁର୍ଗାଙ୍କୁ ସ୍ମରଣ କରି ଦୁର୍ବାର ଆନ୍ଦୋଳନ କରନ୍ତୁ । ସେ କହିଲେ ଯେ ଏ ଦଳରେ କେବଳ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ହେଉଛନ୍ତି ସର୍ବମୟ ନେତ୍ରୀ ଏବଂ ନେତା । ଆମେ ସମସ୍ତେ ନିଜକୁ ଜଣେ କର୍ମୀ ମନେକରି କାର୍ଯ୍ୟକଲେ ସଫଳତା ବେଶି ଦୁର ନୁହେଁ । ଓଡ଼ିଶାର ଭାରତ ଯୋଡ଼ୋ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ କଂଗ୍ରେସ ବୁଦ୍ଧିଜୀବୀ, ଚାଷୀ, ଶ୍ରମିକ, ଛାତ୍ର ଏବଂ ବିଭିନ୍ନ ସାମାଜିକ ସଂଗଠନମାନଙ୍କ ସହ ଆଲୋଚନା କରୁଛି ଏବଂ ତାଙ୍କର ସହଯୋଗ ମଧ୍ୟ ଲୋଡ଼ୁଛି । ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରର ଜନସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି । ବର୍ଷକୁ ଦୁଇଲକ୍ଷ ନିଯୁକ୍ତି ଦେବାକୁ କହିଥିଲେ । ୨୨ ବର୍ଷରେ ୪୪ ଲକ୍ଷ ଦେବା କଥା ତାହା ସମ୍ଭବ ହୋଇପାରିଲା ନାହିଁ । ସରକାରୀ ଚାକିରୀ ବିକ୍ରି ହେଉଛି । ଦାରିଦ୍ର‌୍ୟ, ବେକାରୀ, ନାରୀ ନିର୍ଯ୍ୟାତନା, ଦାଦନ ଓ କ୍ଷୁଧିତଙ୍କ ସଂଖ୍ୟା କ୍ଷେତ୍ରରେ ଦେଶରେ ଓଡ଼ିଶା ଏକନମ୍ବର ସ୍ଥାନର ଅପବାଦ ମୁଣ୍ଡାଇ ଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକନମ୍ବର ପୁରସ୍କାର ଯୋଗାଡ଼ କରିବାରେ ବ୍ୟସ୍ତ । ଓଡ଼ିଶାରେ ୧୦୦ ଦିନର ପଦଯାତ୍ରାରେ ୨୦ ଲୋକସଭା ନିର୍ବାଚନ ମଣ୍ଡଳୀ, ୨୬ଟି ଜିଲ୍ଲା ଓ ୨୨୫୦ କିଲୋମିଟର ଅତିକ୍ରମ କରାଯିବ । ପରିଶେଷରେ ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କୁ ନେଇ ଭୁବନେଶ୍ୱରରେ ରାହୁଲ ଗାନ୍ଧୀଙ୍କର ସଭା ଅନୁଷ୍ଠିତ ହେବ । ସମସ୍ତଙ୍କର ସହଯୋଗ, ଦୃଢ଼ ମାନସିକତା ଏବଂ ପ୍ରତିବଦ୍ଧତା ରହିଲେ ଓଡ଼ିଶାରେ କଂଗ୍ରେସ ସରକାର ପ୍ରତିଷ୍ଠା ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ବିଜୟ ଲକ୍ଷ୍ମୀ ସାହୁ, ସୁଶିଳା ତିରିଆ, ସାବିତ୍ରୀ ଚୌଧୁରି ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ରାୟ, ଦେବସ୍ମିତା ସାମଲ, ସ୍ୱାଧୀନବାଳା ଦାସ, ବିନ୍ଧାବିନୀ ସାହୁ, ପ୍ରଣତି ମିଶ୍ର, ମଂଜୁଶ୍ରୀ କଳ୍ପନା ରାଉତରାୟ, ମନଜା ମଞ୍ଜରି ଦେବୀ, ସୁବାଶିନି ମହାକୁଡ଼, ପ୍ରତିମା ମଲ୍ଲିକ, କୁସୁମ ପ୍ରଧାନ, ରୁପାଦିପ୍ତା ମହାପାତ୍ର, ସରୋଜିନି ବାକ୍ରା, ନିର୍ମଳା ମଲ୍ଲିକ, ରିତାଶ୍ରୀ ମହାନ୍ତି, ମହେନ୍ଦ୍ରୀ ସାହୁ, ସମସିଦା ତାୟବ, ଏଲ ମାଣିକ ପ୍ରଭା, ନିରୁପମା ପାତ୍ର, ରୀନା ସ୍ୱାଇଁ, କନକଲତା ମଲ୍ଲିକ, ସଂଗୀତା ସିଂ, ପ୍ରଭାବତି ପଟ୍ଟନାୟକ, ସୂର୍ଯ୍ୟକାନ୍ତି ବାକ, ବୈଜୟନ୍ତିବାଳା ଦାସ, ମୋନାଲିସା ଦାସ, ସବିତା ଚାନ୍ଦ, ଶ୍ରୀୟାସ୍ମିତା ପଣ୍ଡା, ଅଣ୍ଣପୂର୍ଣ୍ଣା ସାହୁ, କବିତା ମହାକୁଡ଼, ମୋତି କୈବର୍ତ, ରୁଦ୍ର ମଲ୍ଲିକ, ଶୋଭା ସିଂ, ଚୈତାଳି ପଟ୍ଟନାୟକ, ଦିପ୍ତି ପ୍ରଧାନ, ତପସ୍ୱିନୀ ବିଶ୍ୱାଳ, ପ୍ରଜ୍ଞାପରମିତା ମହାନ୍ତି, ଉର୍ବଶ୍ରୀ ମିଶ୍ର, ସସ୍ମିତା ଘୋଷାଲ, ସିଲି ସେଠୀ, ସୁଭଦ୍ରା ମିଶ୍ର, ସ୍ମିତାରାଣୀ ସାମଲ ପ୍ରମୁଖ ବହୁ ମହିଳା କଂଗ୍ରେସ କର୍ମୀ ଏହି ସଭାରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking