26.1 C
Bhubaneswar
Sunday, September 25, 2022
Homeଓଡିଶାପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତିର ପରିମାଣ ୬୪.୮୭ କୋଟି
– ଦ୍ୱିତୀୟ ଧନୀ ନବ ଦାସଙ୍କ ମୋଟ୍ ସମ୍ପତ୍ତି ପରିମାଣ ପ୍ରାୟ ୩୮ କୋଟି
– ସବୁଠୁଁ ଗରୀବ ମନ୍ତ୍ରୀ ଡା. ପ୍ରଫୁଲ୍ଲ ମଲ୍ଲିକଙ୍କ ସମ୍ପତ୍ତି ପରିମାଣ ୪୨.୩୭ ଲକ୍ଷ
– ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କର ଅଛି ପୁରୁଣା ହିରୋ ହୋଣ୍ଡା ମୋଟର ସାଇକେଲ
– ହସ୍ତତନ୍ତ,ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ପାଖରେ ନାହିଁ ଚାରି ଚକିଆ ଯାନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୋଟ୍ ସମ୍ପତ୍ତିର ପରିମାଣ ୩୧ ଡିସେମ୍ବର ୨୦୨୧ ସୁଦ୍ଧା ୬୪.୮୭ କୋଟି ଟଙ୍କା ରହିଛି । ଦ୍ୱିତୀୟ ଧନୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କର ୬୫ଟି ଯାନ ରହିଛି । ମୋଟ୍ ସମ୍ପତ୍ତି ପରିମାଣ ପ୍ରାୟ ୩୮ କୋଟି । ସେହିପରି ରାଜ୍ୟର ସବୁଠାରୁ ଗରୀବ ମନ୍ତ୍ରୀ ହେଉଛନ୍ତି ଡା. ପ୍ରଫୁଲ୍ଲ କୁମାର ମଲ୍ଲିକ । ତାଙ୍କର ସମ୍ପତ୍ତି ପରିମାଣ ମାତ୍ର ୪୨.୩୭ ଲକ୍ଷ । ନିଜସ୍ୱ ଚାରି ଚକିଆ ଯାନନାହିଁ ବୋଲି ଦର୍ଶାଇଛନ୍ତି ।

ଦୁଇ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଦାଖଲ କରିଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ସାର୍ବଜନିନ ହୋଇଛି । ସିଏମ୍‌ଓ ୱେବ୍‌ସାଇଟ୍‌ରେ ତାହା ଉପଲବ୍ଧ ରହିଛି । ୨୦୨୧ ଡିସେମ୍ବର ୩୧ ସୁଦ୍ଧା କେଉଁ ମନ୍ତ୍ରୀଙ୍କର କେତେ ସମ୍ପତ୍ତି ରହିଛି ତାହା ବିସ୍ତୃତ ଭାବେ ପ୍ରକାଶ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ନିଜର ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି । ତାଙ୍କର ମୋଟ୍ ସମ୍ପତ୍ତିର ପରିମାଣ ୩୧ ଡିସେମ୍ବର ୨୦୨୧ ସୁଦ୍ଧା ୬୪.୮୭ କୋଟି ଟଙ୍କା ରହିଛି । ଏଥିରୁ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୨,୦୯,୫୨,୦୩୦ ଟଙ୍କା ରହିଥିବା ବେଳେ ଅସ୍ଥାବର ସମ୍ପତ୍ତି ପରିମାଣ ୫୨,୮୮,୬୪,୧୯୦ ଟଙ୍କା ରହିଛି । ମୋଟ୍ ବ୍ୟାଙ୍କ୍ ବାଲାନ୍ସ ପରିମାଣ ୯୯,୪୧,୮୪୮.୮୨ ଟଙ୍କା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଫରିଦାବାଦରେ ଥିବା ନିଜ ଫାର୍ମ ହାଉସ୍‌କୁ ବିକ୍ରି କରିଦେଇଥିବା ଜଣାପଡ଼ିଛି । ଏହି ଫାର୍ମ ହାଉସ୍ ବିକିଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୯ କୋଟିର ଆର୍‌ବିଆଇ ବଣ୍ଡ, ୧ କୋଟି ଟଙ୍କାର ପୋଷ୍ଟାଲ ସେଭିଙ୍ଗ୍ ଓ ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ୍ ରଖିଛନ୍ତି । ଦିଲ୍ଲୀସ୍ଥିତ ଜନପଥରେ ଥିବା ଏକ ବ୍ୟାଙ୍କ୍‌ରେ ୭୨ ଲକ୍ଷ ଟଙ୍କା ଏବଂ ଭୁବନେଶ୍ୱରରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୨୧.୭୧ ଲକ୍ଷ ଟଙ୍କା ଜମା ରହିଛି । ସେହିପରି ଶ୍ରୀ ପଟ୍ଟନାୟକ ଦିଲ୍ଲୀ, ଭୁବନେଶ୍ୱର, ହିଞ୍ଜଳିକାଟୁ ଏବଂ ବରଗଡ଼ ବ୍ୟାଙ୍କ୍ ଆକାଉଣ୍ଟ ସହିତ ଅଳଙ୍କାର, କାର୍‌କୁ ମିଶାଇ ନବୀନଙ୍କ ସମ୍ପତ୍ତି ପରିମାଣ ୧୨ କୋଟି ୯ ଲକ୍ଷ ୨୫ ହଜାର ୩୧ ଟଙ୍କା ରହିଛି । ଏଥିରେ ୩.୪୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ପୁରୁଣା ଆମ୍ବାସାଡର କାରର ମୂଲ୍ୟ ୬,୪୩୪ ଟଙ୍କା ଅନ୍ତର୍ଭୁକ୍ତ ରହିଛି ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦ୍ୱିତୀୟ ଧନୀ ମନ୍ତ୍ରୀ । ପତ୍ନୀ ଓ ତାଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୩୮କୋଟି ରହିଛି । ୬୫ଟି ବ୍ୟବସାୟିକ ଗାଡ଼ି ଅଛି । ସେଥିମଧ୍ୟରୁ ୧୮ଟି ଗାଡ଼ି ୨୦୨୧ରେ କିଣିଥିଲେ । ଘରେ ୧୨.୦୫ ଲକ୍ଷ ଟଙ୍କାର ରାଇଫଲ ରହିଛି । ତେବେ ସେ ୧୮ କୋଟି ଋଣ କରିଥିବା ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସ୍ଥାବର ସମ୍ପତ୍ତି ପରିମାଣ ୮୧ ଲକ୍ଷ ୧୮,୯୬୧.୨୭ ଟଙ୍କା ଥିବାବେଳେ ଅସ୍ଥାବର ସମ୍ପତ୍ତିର ପରିମାଣ ୧ କୋଟି ୩୬ ଲକ୍ଷ ୬୫,୭୪୮ ଟଙ୍କା ଥିବା ଦର୍ଶାଇଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ୍ ମୂଲ୍ୟ ୬,୪୯,୦୪,୫୦୪.୫୦ ଟଙ୍କା ଥିବାବେଳେ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୧୧ କୋଟି ରହିଛି । ମନ୍ତ୍ରୀ ପ୍ରତାପ ଦେବଙ୍କ ସମ୍ପତ୍ତି ପରିମାଣ ୬.୨୮ କୋଟି ଥିବାବେଳେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କର ୪.୫୬ କୋଟି, ରୋହିତ୍ ପୂଜାରୀଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୩ କୋଟି ଏବଂ ଅତନୁ ସବ୍ୟସାଚୀ ନାୟକଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୧.୦୮ କୋଟି ରହିଛି ।

ସବୁଠାରୁ ଗରୀବ ମନ୍ତ୍ରୀ ହେଉଛନ୍ତି ଡା. ପ୍ରଫୁଲ୍ଲ ମଲ୍ଲିକ । ତାଙ୍କର ସମ୍ପତ୍ତି ପରିମାଣ ମାତ୍ର ୪୨.୩୭ ଲକ୍ଷ ଥିବାବେେଳେ ନିଜସ୍ୱ ଚାରି ଚକିଆ ଯାନନାହିଁ । ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମ୍ପତ୍ତି ପରିମାଣ ୬୦ ଲକ୍ଷ, ତୁଷାରକାନ୍ତୀଙ୍କ ସମ୍ପତ୍ତି ମୂଲ୍ୟ ୪୯ ଲକ୍ଷ ରହିଛି । ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କର କୌଣସି ଗାଡ଼ି ନାହିଁ । ସେହିଭଳି ମନ୍ତ୍ରୀ ଶ୍ରୀ ପାତ୍ରଙ୍କର ୨୦୦୨ ମଡେଲ ହିରୋ ହୋଣ୍ଡା ମୋଟର ସାଇକେଲ ରହିଛି । ଏହାର ଏବର ମୂଲ୍ୟ ମାତ୍ର ୨୦୦୦ ଟଙ୍କା ବୋଲି ତାଲିକାରେ ଦର୍ଶାଇଛନ୍ତି । ଶେଷରେ ପଞ୍ଚାୟତିରାଜ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ସେଥିପାଇଁ ତାଙ୍କ ଶାସନକୁ ଓଡ଼ିଶା ଲୋକେ ପସନ୍ଦ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking