ଆଜି ବାରବାଟୀ ଲଢ଼େଇ

କଟକ : ଐତିହାସିକ ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ | ବାରବାଟୀର ବଡ଼ ଲଢ଼େଇ ଲାଗି ସମରସଜ୍ଜା ଶେଷ ହୋଇଛି । ଆଉ ମାତ୍ର କେଇ ଘଣ୍ଟା ପରେ ଆରମ୍ଭ ହୋଇଯିବ କ୍ରିକେଟ୍ ସମର। ଐତିହାସିକ ଷ୍ଟାଡିୟମରେ ଖେଳାଯିବ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ । ରବିବାରର ଏହି ବହୁ ପ୍ରତୀକ୍ଷିତ ଟ୍ରଫି ଟକ୍କର ଲାଗି ପଡ଼ିଆ, ପିଚ୍ ଓ ଗ୍ୟାଲେରି ପୂରା ପ୍ରସ୍ତୁତ ହୋଇ ସାରିଛି । ଶନିବାର ବେଶ୍ କେତେ ଘଣ୍ଟା ପଡ଼ିଆରେ ଅଭ୍ୟାସ କରି ଝାଳ ବୁହାଇଥିବା ଦୁଇ ଦଳର ଖେଳାଳି ମଧ୍ୟ ନିଜ ରଣନୀତିକୁ ଆହୁରି ଶାଣିତ କରି ନେଇଛନ୍ତି । ତିନି ଟିକିଆ ଶୃଙ୍ଖଳାରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ ବାରବାଟୀରେ ଉଭୟ ଦଳ ପାଇଁ ରହିଛି ସ୍ମରଣୀୟ ଶୃଙ୍ଖଳା ବିଜୟ ସୁଯୋଗ। ୱେଷ୍ଟ୍‌ଇଣ୍ଡିଜ୍ ବାଜି ମାରିନେଲେ ଦୀର୍ଘ ବ୍ୟବଧାନ ପରେ ଭାରତରେ ଶୃଙ୍ଖଳା ଜିତିବାର ସ୍ବାଦ ଚାଖିବ। ଅନ୍ୟପକ୍ଷରେ ଭାରତ ବିଜୟୀ ହେଲେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତର ୧୦ମ ଶୃଙ୍ଖଳା ଜିତିବାର ଗୌରବ ହାସଲ କରିବ । ବାରବାଟୀରେ ରେକର୍ଡ: ୧୬ରୁ ୧୨ ମ୍ୟାଚ୍ ଜିତିଛି ଭାରତ
ବାରବାଟୀରେ ବିଜୟ ରେକର୍ଡ ଦୃଷ୍ଟିରୁ ଭାରତର ପଲା କିନ୍ତୁ ଭାରି ରହିବ। ବାରବାଟୀକୁ ଆଜି ପର୍ଯ୍ୟନ୍ତ ୨୦ ଅନ୍ତର୍ଜାତୀୟ ଦିନିକିଆ ଆୟୋଜନ ଅଧିକାର ମିଳିଛି। ସେଥିମଧ୍ୟରୁ ୧୮ ମ୍ୟାଚ୍ ଖେଳା ଯାଇଥିଲା ବେଳେ ୨ ମ୍ୟାଚ୍ ବାତିଲ ହୋଇଛି। ଏହି ୧୮ ମ୍ୟାଚ୍‌ରୁ ଭାରତ ଭିନ୍ନ ଭିନ୍ନ ଦଳ ବିପକ୍ଷରେ ୧୬ ମ୍ୟାଚ୍ ଖେଳି ୧୨ଟିରେ ବିଜୟୀ ହୋଇଛି ।