You are here
Home > ବଡ଼ଖବର > ଅଲିଉଡ୍ରେ ଗ୍ୟାଙ୍ଗଷ୍ଟର ଟିଟୋର ଅର୍ଥ

ଅଲିଉଡ୍ରେ ଗ୍ୟାଙ୍ଗଷ୍ଟର ଟିଟୋର ଅର୍ଥ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ଅର୍ଥ ବି ଅଲିଉଡ୍ରେ ଲାଗିଛି । ଏହି ଖବର କ୍ରାଇବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସକୁ ମିଳିଛି । ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ଚିଟ୍ଫଣ୍ଡ ଅର୍ଥ ଅଲିଉଡ୍ରେ ବିନିଯୋଗ ହୋଇଥିବା ଖବର ଆସିଥିଲା । ଏଥିନେଇ ସିବିଆଇ ବହୁ ଚଳଚ୍ଚିତ୍ର ତାରକାଙ୍କୁ ଡାକି ଜେରା କରିଥିଲା । ଏବେ ବି କିଛି ତାରକା ସିବିଆଇ ଜାଲରେ ଅଛନ୍ତି । ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତା ଶ୍ରୀତମ ଦାସଙ୍କୁ ଡାକି ଜେରା କରିଛନ୍ତି । ଶ୍ରୀତମ ନେଇଥିବା ଅର୍ଥ ଫେରେଇଦେବେ ବୋଲି କହିଛନ୍ତି । ଚିଟ୍ଫଣ୍ଡ ଅର୍ଥ ନେଇ ଅଲିଉଡ୍ ତାରକାମାନେ ବିବାଦରେ ଥିଲା ବେଳେ ଏବେ ଗ୍ୟାଙ୍ଗଷ୍ଟର ଅର୍ଥ ଲାଗିଥିବା ପଦାକୁ ଆସିଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।
ଟିଟୋକୁ କ୍ରାଇବ୍ରାଞ୍ଚ ଏନ୍କାଉଣ୍ଟର କରି ଧରିଲା ପରେ ତାଠାରୁ ବହୁ ତଥ୍ୟ ହସ୍ତଗତ ହେବାରେ ଲାଗିଛି । ତାର ବ୍ୟବସାୟୀକ ସାମ୍ରାଜ୍ୟ କାହିଁ କେତେଦୂର ଯାଏଁ ଲାଗିଛି । କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ୪/୫ଟି ରାଜ୍ୟରେ ତାର ବ୍ୟବସାୟ ରହିଛି । ଏବେ ନୂଆ ତଥ୍ୟ ଆସିଛି । ଚଳଚ୍ଚିତ୍ର ଜଗତରେ ମଧ୍ୟ ଟିଟୋ ଅର୍ଥ ଖଟାଇ ଚାଲିଛନ୍ତି । ସେ ନିଜ ନାଁରେ ନ ଖଟାଇ ସମ୍ପର୍କୀୟ ଭାଇ ନାଁରେ ଅର୍ଥ ଲଗାଇଛି । ଚଳଚ୍ଚିତ୍ର ବିଶ୍ୱନାଥରେ ଟିଟୋ ତାଙ୍କ ଭାଇଙ୍କ ମାଧ୍ୟମରେ ଅର୍ଥ ଲଗାଇଥିବା ପଦାକୁ ଆସିଛି । ଏହି ଚଳଚ୍ଚିତ୍ରର ଶୁଭମହୁରତ କାର୍ଯ୍ୟ ଶେଷ ହୋଇଛି । ଶୁଟିଂ କାର୍ଯ୍ୟ ଜୋର୍ଦାର ଚାଲିଛି । ପ୍ରାୟ ୭୦ ଭାଗ କାମ ସରିଛି । ଆସନ୍ତା ଗଣେଷପୂଜା ବେଳେକୁ ରିଲିଜ୍ ପାଇଁ ଯୋଜନା ରଖାଯାଇଛି । ଏହି ଚଳଚ୍ଚିତ୍ରରେ ଓଡ଼ିଶାର ବହୁ ପୁରୁଖା ଓ ଦାମୀ କଳାକାରମାନେ ଅଭିନୟ କରିଛନ୍ତି । ଏଥିରେ ମିହିର ଦାସ, ରାଇମୋହନଙ୍କ ଭଳି ପୁରୁଖା ନେତା ଥିଲା ବେଳେ ଯୁବ ତାରକା ସମ୍ବିତ ଓ ସମ୍ଭାବନା ମଧ୍ୟ ଅଭିନୟ କରିଛନ୍ତି ।
ଆହୁରି ମଧ୍ୟ ଏବେ ଟିଟୋର ବ୍ୟାଙ୍କ କାରବାର ଉପରେ ନଜର ରଖିଛି କ୍ରାଇବାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) । ଟିଟୋର ପତ୍ନ ଏବଂ ତାର ଶାଳକଙ୍କ ଆକାଉଣ୍ଟଙ୍କ ମଧ୍ୟ ଅଚଳି କରିଛି ଏସଟିଏଫ୍ । ଟିଟୋର କେନ୍ଦ୍ରାପଡ଼ା ସମେତ ବିଭିନ୍ନ ବ୍ୟାଙ୍କରେ ଥିବା ୩୪ଟି ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଚିଠି ଲେଖାଯାଇଛି । ସବୁ ଆକାଉଣ୍ଟ ଟିଟୋ ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ ଅଛି । ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି ଗତ ୭ ବର୍ଷ ଭିତରେ ହୋଇଥିବା ଜମା ଓ ସମସ୍ତ ନେଣଦେଣ କାରବାର ଏବଂ ଲକର ସମ୍ପର୍କରେ ସୂଚନା ମଗାଯାଇଛି । ଏଥିସହ ଟିଟୋର ଭାଇ ଓ ଅନ୍ୟ ସହଯୋଗୀମାନଙ୍କୁ ଧରିବା ପାଇଁ ଚାରିଆଡ଼େ ଜାଲ ବିଛାଯାଇଛି । ଟିଟୋର ଏହି ସାମ୍ରାଜ୍ୟ ପଛରେ ଯେଉଁ ରାଜନୈତିକ ଓ ପ୍ରଶାସନିକ ବ୍ୟକ୍ତିଙ୍କ ପ୍ରଚ୍ଛନ୍ନ ହାତ ରହିଛି ସେମାନଙ୍କୁ ମଧ୍ୟ ଠାବ କରିବାକୁ ଉଦ୍ୟମ ଚାଲିଛି । ପୂର୍ବରୁ ଟିଟୋର ବିଭିନ୍ନ ବ୍ୟବସାୟରେ ଥିବା ସମ୍ପୃକ୍ତ ବିଷୟ ପଦାକୁ ଆସିସାରିଛି । ଠିକାଦାରୀ, ବାଲିଘାଟ ନିର୍ମାଣ, ଗାଡ଼ି ସୋରୁମ୍, ପେଟ୍ରୋଲ ପମ୍ପ, ଗାର୍ମେଟ୍ ଗୋଦାମଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟବସାୟରେ ତାର ସମ୍ପୃକ୍ତି ଥିବା ଜଣାପଡିଛି । ରାଜ୍ୟ ବାହାରେ ରହିଥିବା ତାର ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ONA

Leave a Reply

Top