You are here
Home > ଇଣ୍ଡିଆ > ତୁତିକୋରିନ୍‌ରେ ପୁଣି ହିଂସା ,ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ

ତୁତିକୋରିନ୍‌ରେ ପୁଣି ହିଂସା ,ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ

ତାମିଲନାଡୁ : ତୁତିକୋରିନ୍‌ରେ ଆଜି ପୁଣି ହିଂସା । ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଆହତ ହୋଇଛନ୍ତି । ବେଦାନ୍ତର କପର୍ କମ୍ପାନୀ ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଯାଇ ଗତକାଲି ପୋଲିସ ଗୁଳି କରିଥିଲା । ଏଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଥିଲେ । ଆହତଙ୍କ ଚିକିତ୍ସା ଚାଲିଥିବା ହସପିଟାଲ ଆଗରେ ଆଜି ପୁଣି ଉତ୍ତେଜନା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସାରା ସହରରେ ସୁରକ୍ଷା ବନ୍ଦୋବସ୍ତ କଡାକଡି କରାଯାଇଛି ।

ତାମିଲନାଡୁ ତୁତିକୁରିନ୍ ରେ ହିଂସା ଥମିନି । ସାରା ସହରରେ କଟକଣା ଲାଗିଛି । ଏପଟେ ଆନ୍ଦୋଳନକାରୀ-ପୋଲିସ ପୁଣି ମୁହାଁମୁହିଁ ହୋଇଛନ୍ତି । ଗତକାଲି ହଜାର ହଜାର ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଆଖିବୁଜା ଗୁଳି ଚଳାଇଥିଲା ପୋଲିସ । ପ୍ରଥମେ ଲାଠି ଚାର୍ଜ କରିଥିଲା । ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ କରିଥିଲେ । ଗାଡି ଓଲଟାଇ ନିଆଁ ଲଗାଇ ଦେଇଥିଲେ । ଆଉ ଏହାପରେ ପୋଲିସ ନେଇଥିଲା ଚରମ ପଦକ୍ଷେପ । ପେଲିସ ଗୁଳିରେ ଟଳି ପଡିଥିଲେ ୧୧ଜଣ, ଆଉ ୫୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ପୋଲିସ ଗୁଳିରେ ଗୁରୁତର ଆନ୍ଦୋଳନକାରୀଙ୍କ ଭିତରୁ ଡାକ୍ତରଖାନାରେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି ।

ତୁତିକୁରିନ୍‌ ଘଟଣା ନେଇ ତାମିଲ ରାଜନୀତି ତେଜିଛି । ଡାକ୍ତରଖାନାରେ ଆହତଙ୍କୁ ଭେଟିଛନ୍ତି ବିଭିନ୍ନ ଦଳର ରାଜନେତା । ଏଆଇଡିଏମ୍‌କେ ସରକାରକୁ ଟାର୍ଗେଟ କରିଛନ୍ତି ଡିଏମ୍‌କେ ନେତା ଷ୍ଟାଲିନ । ପୋଲିସର ସ୍ନାଇପରମାନେ ଗାଡି ଉପରେ ଠିଆ ହୋଇ ଲୋକଙ୍କୁ ଗୁଳି କରିଥିଲେ ତାହା ଭିଜୁଆଲରୁ ଜଣା ପଡୁଛି । ପୁଣି ଶୁଣାଯାଉଛି, ଜଣେ କେହି ମରିବା ଦରକାର, ତାର ଠିକ ପରେ ପରେ ଗୁଳି ଫୁଟୁଛି । ଏପରି ଗୁଳି ଚଳାଇବାକୁ କିଏ ନିର୍ଦେଦଶ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଏବଂ ମାନବାଧିକାର କର୍ମୀ ।

ଗତକାଲିର ଘଟଣାକୁ ନେଇ ଆଜି ମଧ୍ୟ ଆନ୍ଦୋଳନ ହୋଇଛି । ଉତ୍ୟକ୍ତ ଲୋକ ଦୁଇଟି ପୋଲିସ ଜିପକୁ ଜାଳି ଦେଇଛନ୍ତି । ଆଜି ବି ପୁଣି ଥରେ ପୋଲିସ ଗୁଳି ଚଳାଇଛି । ଏପଟେ ମଙ୍ଗଳବାର ଗୁଳିକାଣ୍ଡର ନ୍ୟାୟିକ ତଦନ୍ତ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ତାମିଲନାଡୁ ସରକାର ଘୋଷଣା କରିଛନ୍ତି । ପୋଲିସ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହର ଅନ୍ତିମ ସଂସ୍କାର ନକରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସଂରକ୍ଷିତ କରି ରଖିବାକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବେଦାନ୍ତ ଷ୍ଟେରଲାଇଟ୍‌ କପର ଇଣ୍ଡଷ୍ଟ୍ରିଆଲ୍ ୟୁନିଟର ସଂପ୍ରସାରଣ ଉପରେ ରହିତାଦେଶ ଲଗାଇ ଅନ୍ତରୀଣ ନିର୍ଦେଦଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ତୁତିକୁରିନ ଘଟଣାର ତାତି ପହଞ୍ଚିଛି ଚେନ୍ନାଇରେ । ସେଠାରେ ମଧ୍ୟ ରାସ୍ତାରୋକ ଏବଂ ବିକ୍ଷୋଭ ଆରମ୍ଭ ହୋଇଛି ।

 

ONA

Leave a Reply

Top