You are here
Home > ଲାଟେଷ୍ଟ > ଓଡ଼ିଶାର ଆଖି ସନ୍ତୋଷ ଟ୍ରଫି : ବାଟ ଦେଖାଇବେ ସୁବ୍ରତ

ଓଡ଼ିଶାର ଆଖି ସନ୍ତୋଷ ଟ୍ରଫି : ବାଟ ଦେଖାଇବେ ସୁବ୍ରତ

ଭୁବନେଶ୍ୱର: ଭାରତର ସର୍ବପୁରାତନ ଫୁଟବଲ ଟୁର୍ଣ୍ଣାମେଣ୍ଟ ସନ୍ତୋଷ ଟ୍ରଫି । ଓଡ଼ିଶା ପାଇଁ ଅପହଞ୍ଚ ପାଲଟିଛି । ହାତଗଣତି ୨ରୁ ୩ ଥର ସନ୍ତୋଷ ଟ୍ରଫି କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଯାଇପାରିଛି ଓଡ଼ିଶା । କିନ୍ତୁ ସେମିଫାଇନାଲ ଖେଳି ପାରିନାହିଁ । ଫଳରେ ଏଭଳି ଦୁଃସ୍ୱପ୍ନରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଅଣ୍ଟା ଭିଡିଛି ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା(ଫାଓ) । କିପରି ଆଗାମୀ ସନ୍ତୋଷ ଟ୍ରଫିରେ ଜମାଣିଆ ପ୍ରଦର୍ଶନ କରିହେବ ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଏଥିପାଇଁ ବଙ୍ଗଳାର ପ୍ରସିଦ୍ଧ ଫୁଟବଲ ପ୍ରଶିକ୍ଷକ ସୁବ୍ରତ ଭଟ୍ଟାଚାର୍ଯ୍ୟଙ୍କୁ ଓଡ଼ିଶା ସିନିୟର ପୁରୁଷ ଫୁଟବଲ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଛି । କୋଚ୍ ସୁବ୍ରତ ଓଡ଼ିଶା ଫୁଟବଲରେ ଆଖିଦୃଶିଆ ପରିବର୍ତ୍ତନ ଆଣିବେ ପାରିବେ ବୋଲି ଭରସା ରଖିଛି ଫାଓ । ଜାତୀୟ ସିନିୟର ଫୁଟବଲ ଚାମ୍ପିଅନସିପ ସନ୍ତୋଷ ଟ୍ରଫି ଲାଗି ସୁବ୍ରତ ଓଡ଼ିଶା ଦଳକୁ ପ୍ରସ୍ତୁତ କରିବେ । ତାଙ୍କ ଅନୁଯାୟୀ ଓଡ଼ିଶା ଦଳରେ ଆମୁଳଚୂଳ ପରିବର୍ତ୍ତନ ହେବାର ଆଭାସ ମିଳିଛି ।
ସୁବ୍ରତ ହେଉଛନ୍ତି ଏଏଫସି ‘ଏ’ ଲାଇସେନ୍ସ ଫୁଟବଲ କୋଚ୍ । ଉଚ୍ଚସ୍ତରର ଫୁଟବଲ ପ୍ରଶିକ୍ଷଣରେ ଦେଶରେ ତାଙ୍କର ବେଶ ସୁନାମ ରହିଛି । ସେ ଦେଶର ପ୍ରମୁଖ ଫୁଟବଲ ଦଳ କୋଲକାତାର ମହମ୍ମଡାନ ସ୍ପୋର୍ଟିଂ, ଗୋଆ ଭାସ୍କୋ ସ୍ପୋର୍ଟସ କ୍ଲବ, କୋଲକାତାର ସଦର୍ଣ୍ଣ ସମିତି, ଆସାମର ଅଏଲ ଇଣ୍ଡିଆ, ମୁମ୍ବାଇ ଓଏନଜିସି, ମେଘାଳୟର ଏ.ଆର. ହିମା ଓ ମୁମ୍ବାଇ ଏଏଫସିର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ସାରିଛନ୍ତି । ପୁଣି ସେ ବଙ୍ଗଳାର ୧୪ ବର୍ଷରୁ କମ ଦଳ, ଆସାମର ଜୁନିୟର ଦଳ ଏବଂ ନାଗାଲାଣ୍ଡର ସିନିୟର ଫୁଟବଲ ଦଳର ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କୁ ସହାୟତା କରିବା ପାଇଁ କିଛି ସହକାରୀ ପ୍ରଶିକ୍ଷକଙ୍କୁ ଫାଓ ନିଯୁକ୍ତି ଦେଇଛି । ସାଇ ଟ୍ରେନିଂ ସେଣ୍ଟରର ଫୁଟବଲ ପ୍ରଶିକ୍ଷକ ସୁରଜିତ ଘୋଷ, ନାଲକୋର ସୂରଜ ଥାପ୍ପା ଓ ଭାରତୀୟ ଷ୍ଟେଟବ୍ୟାଙ୍କର ସରୋଜ କୁମାର ଦାସ ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିବାବେଳେ ଭାରତୀୟ ରେଳବାଇରେ କାର୍ଯ୍ୟରତ ଅନିନ୍ଦ୍ୟ ଦେବ ଗୋଲରକ୍ଷକ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବେ ।
ଶେଷ ଥର ପାଇଁ ଓଡ଼ିଶା ନବେ ଦଶକରେ ସନ୍ତୋଷ ଟ୍ରଫି କ୍ୱାର୍ଟର ଫାଇନାଲ ଖେଳିଥିଲା । ପ୍ରତିବର୍ଷ ଓଡ଼ିଶାରୁ ଉଭୟ ପୁରୁଷ ଓ ମହିଳା  ବର୍ଗରେ ଏକାଧିକ ତାରକା ଜାତୀୟ ଦଳରେ ସ୍ଥାନ ପାଉଛନ୍ତି । କିନ୍ତୁ ଅନ୍ୟାନ୍ୟ କ୍ରୀଡା ଭଳି ଫୁଟବଲରେ ଓଡ଼ିଶାର ସଫଳତା ବହୁ ଗୁଣା କମ ରହିଛି । ଏଦୃଷ୍ଟିରୁ ରାଜ୍ୟ ଫୁଟବଲ ଇତିହାସରେ ନୂଆ ଅଧ୍ୟାୟ ଯୋଡିବାକୁ ପ୍ରୟାସ ଆରମ୍ଭ କରିଛି ଫାଓ । ସ୍ୱନାମଧନ୍ୟ କୋଚ୍ ସୁବ୍ରତ ଭଟ୍ଟାଚାର୍ଯ୍ୟଙ୍କୁ ଏହି ଦାୟିତ୍ୱ ଦେଇଛି ଫାଓ । ଭାରତୀୟ ଫୁଟବଲ ଦଳରେ ଜଣେ ଦକ୍ଷ ଡିଫେଣ୍ଡର ଭାବେ ୧୯୮୪ ଏସିଆନ୍ କପ୍ ଖେଳିଥିଲେ ସୁବ୍ରତ । ୧୭ବର୍ଷ ଧରି ମୋହନ ବାଗାନ ପକ୍ଷରୁ ଖେଳି ଢେର ଅଭିଜ୍ଞତା ସାଉଁଟିଛନ୍ତି ସୁବ୍ରତ । ଏକାଧିକ ନାମୀଦାମୀ ଫୁଟବଲ କ୍ଲବର ପ୍ରଶିକ୍ଷକ ଭାବେ ତାଙ୍କର ବେଶ ଅଭିଜ୍ଞତା ରହିଛି । ଏତେ ଅଭିଜ୍ଞତାର ଅଧିକାରୀ ସୁବ୍ରତ ଓଡ଼ିଶା ଫୁଟବଲକୁ ଆଗେଇ ନେବାର ଆଶା ରଖିଛନ୍ତି ଓଡିଶା ଫୁଟବଲ ପ୍ରେମୀ ।

ONA

Leave a Reply

Top