You are here
Home > ବଡ଼ଖବର > ବଂଶଗତ ପରମ୍ପରା ଉଚ୍ଛେଦ ଓ ଅଣହିନ୍ଦୁ ପ୍ରବେଶକୁ ନେଇ ମତ ପାର୍ଥକ୍ୟ

ବଂଶଗତ ପରମ୍ପରା ଉଚ୍ଛେଦ ଓ ଅଣହିନ୍ଦୁ ପ୍ରବେଶକୁ ନେଇ ମତ ପାର୍ଥକ୍ୟ

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ୍ ଉଷ୍ମ ହୋଇଛି । ସୁପ୍ରିମ୍କୋର୍ଟର ନିର୍ଦ୍ଦେଶ ଆସିଲା ପରେ ଏହାକୁ ନେଇ ଚାଲିଛି ମତପାର୍ଥକ୍ୟ । ପୁରୀ ଜିଲ୍ଲା ଜଜ୍ଙ୍କ ସୁପାରିଶ୍କୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବଂଶଗତ ସେବା ପମ୍ପରାକୁ ବନ୍ଦ କରିବା ଏବଂ ଶ୍ରୀମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ କଟକଣା ଉଠାଇବା ପ୍ରସଙ୍ଗକୁ ନେଇ ଏବେ ଜୋର୍ଦାର୍ ହୋଇଛି ରାଜନୀତି । ସେବାୟତମାନେ ଏହି ଦୁଇ କଥାକୁ ବିରୋଧ କରୁଛନ୍ତି । ଅନ୍ୟମାନେ ବି ବିରୋଧ କରିବା ଆରମ୍ଭ କରିଥିଲା ବେଳେ କେହିକେହି ସମର୍ଥନ ବି ମଧ୍ୟ କରୁଛନ୍ତି । ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀବି ଅଣହିନ୍ଦୁ ପ୍ରବେଶକୁ ବିରୋଧ କରୁଛନ୍ତି । କିନ୍ତୁ କଂଗ୍ରେସ ଏହି ପ୍ରବେଶକୁ ସମର୍ଥନ ଦେଇଛି । ଫଳରେ ଏହି ଘଟଣା ସମ୍ପୂର୍ଣ୍ଣ ବିବାଦୀୟ ହୋଇ ପଡ଼ିଛି ।
ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ଘଟଣାରେ ପୁରୀ ଶଙ୍କରାଚାର୍ଯ୍ୟ ଓ ଗଜପତି ଦିବ୍ୟସିଂହଦେବ ସେମାନଙ୍କ ମତ ରଖିଛନ୍ତି । ଶଙ୍କରାଚାର୍ଯ୍ୟ କହିଛନ୍ତି ‘ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସମ୍ପର୍କରେ ଯେଉଁ କଥା କୁହାଯାଉଛି ତାହା ସନାତନ ଶାସ୍ତ୍ରୀୟ ଧର୍ମର ମର୍ଯ୍ୟାଦା ଉଲ୍ଲଂଘନ କରୁଛି । ଏହାକୁ ଗ୍ରହଣ ଯୋଗ୍ୟ ନୁହେଁ ।’ ଗଜପତି କହିଛନ୍ତି ‘ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାର ଏହାର ଏକ ବୈଶିଷ୍ଟ୍ୟଭ ଯେ, ଶାସ୍ତ୍ର ବିଧାନ ଓ ପରମ୍ପରା ଅନୁସାରେ ଶ୍ରୀମନ୍ଦିରର ଦୁଇଟି ମୁଖ୍ୟ ପର୍ବ ସ୍ନାନ ଯାତ୍ରା ଓ ରଥଯାତ୍ରାରେ, ଶ୍ରୀବିଗ୍ରହମାନେ ବିଶ୍ୱର ସମସ୍ତଙ୍କୁ ଦର୍ଶନ ଦେବାକୁ ଶ୍ରୀମନ୍ଦିର ବାହାରକୁ ବିଜେ କରିଥାନ୍ତି । ଅଣ ହିନ୍ଦୁଙ୍କ ବର୍ଷ ବ୍ୟାପୀ ଦର୍ଶନ ନିମନ୍ତେ ସିଂହଦ୍ୱାରର ଗୁମୁଟଠାରେ ପତିତପାବନଙ୍କ ପ୍ରତିଷ୍ଠା ହୋଇଛି । ଶ୍ରୀମନ୍ଦିରର ରୀତିନୀତି ଓ ପ୍ରଚଳିତ ପରମ୍ପରା ସମ୍ପର୍କରେ ପ୍ରଶ୍ନ ଉଠିଲେ ଶାସ୍ତ୍ରୀୟ ବିଧି ନିମନ୍ତେ ଶଙ୍କରାଚାର୍ଯ୍ୟ ଓ ମୁକ୍ତିମଣ୍ଡପ ପଣ୍ଡିତଙ୍କ ଉପଦେଶ ଗ୍ରହଣ କରାଯାଇଥାଏ । ଏହାଛଡ଼ା ଶ୍ରୀମନ୍ଦିର ପରମ୍ପରା ବିଷୟରେ ସେବକମାନଙ୍କର ମତାମତ ନିଆଯିବା ଆବଶ୍ୟକ । ଶ୍ରୀଜଗନ୍ନାଥପ୍ରେମୀ ଓ ଭକ୍ତମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଶାସ୍ତ୍ରୀୟବିଧାନ ଓ ପରମ୍ପରାକୁ ବାଦଦେଇ ଶ୍ରୀମନ୍ଦିରର କୌଣସି ରୀତିନୀତିକୁ ପରିବର୍ତ୍ତନ କରାଯିବା ସମୁଚିନ ନୁହେଁ ବୋଲି ଗଜପତି କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ‘ସୁପ୍ରିମ୍କୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଟିପ୍ପଣୀ ଦେଇଛନ୍ତି । ଶ୍ରୀମନ୍ଦିର ସଂସ୍କାର ଧୀରେ ଧୀରେ ହେବା ଦରକାର । ଶଙ୍କରାଚାର୍ଯ୍ୟ, ଧାର୍ମିକ ଅନୁଷ୍ଠାନ ଓ ଆଧୁନିକ ନୀତି ନିୟମ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟାନ୍ୱୟନ ହେବା ଆବଶ୍ୟକ । କ୍ରିୟାନ୍ୱୟନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ । ସ୍ଥାନୀୟ ସରକାର ଆଲୋଚନା କରି ରାସ୍ତା ବାହାର କରିବା ଦରକାର ।’
ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଭୟ ବଂଶଗତ ପ୍ରଥା ଉଚ୍ଛେଦ ଓ ଅଣହିନ୍ଦୁ ପ୍ରବେଶକୁ ବିରୋଧ କରିଛନ୍ତି । ଶ୍ରୀ ମହେଶ୍ୱର କହିଛନ୍ତି, ‘ଶ୍ରୀମନ୍ଦିର ଓ ଏହାର ପରମ୍ପରା ବହୁ ପୁରାତନ । ଶ୍ରୀମନ୍ଦିରର ନୀତିକାନ୍ତି ଓ ସେବାପୂଜା ଅନ୍ୟ କେଉଁ ମନ୍ଦିରରେ ନାହିଁ । ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିର ତୁଳନୀୟ ନୁହେଁ । ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ପାଇଁ ଅନୁମତି ପାଇଲେ ରଥଯାତ୍ରା ବନ୍ଦ ହୋଇଯିବ । ଅଣହିନ୍ଦୁ ଦର୍ଶନ ପାଇଁ ଯାଇ ପାରୁ ନଥିବାରୁ ତାଙ୍କୁ ଦେଖାଦେବା ପାଇଁ ମହାପ୍ରଭୂ ରଥକୁ ଓହ୍ଲାନ୍ତି । ଅଣ ହିନ୍ଦୁ ପ୍ରବେଶ ଓ ସେବାୟତ ପ୍ରସଙ୍ଗକ ବିବାଦ ସୃଷ୍ଟି କରିବ ।’
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଂଶାନୁଗତ ପରମ୍ପରା ଉଚ୍ଛେଦକୁ ବିରୋଧ କରିଥିଲା ବେଳେ ଅଣ ହିନ୍ଦୁଙ୍କ ପ୍ରବେଶକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ହଜାର ହଜାର ବର୍ଷ ଧରି ଗଡ଼ି ଆସିଥିôବା ପରମ୍ପରାକୁ ହଠାତ୍ ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ୩୦ ହଜାର ସେବାୟତ ନିୟୋଜିତ ଅଛନ୍ତି । ସେମାନଙ୍କୁ ବାଦ୍ ଦେଲେ ଶ୍ରୀଜଗନ୍ନାଥଙ୍କ ସେବା ବାଧାପ୍ରାପ୍ତ ହେବ । ସେବାୟତମାନଙ୍କ ମଧ୍ୟରେ ବିଦ୍ରୋହ ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି । ପୀଡ଼ିଗତ ସେବା ବନ୍ଦ ହେଲେ ଠାକୁର ମଧ୍ୟ ଠିକ୍ ଭାବରେ ସେବା ପାଇପାରିବେ ନାହିଁ । ଭଗବାନଙ୍କୁ ଭାଗଭାଗ କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ । ଅଣ ହିନ୍ଦୁ ପ୍ରବେଶ ସମ୍ପର୍କରେ କହିଛନ୍ତି ଦେଶର ଅନ୍ୟକିଛି ମନ୍ଦିରରେ ପ୍ରବେଶ ଅଧିକାର ରହିଛି । ଏଠାରେ ମଧ୍ୟ ହେବା ସପକ୍ଷରେ ସେ ମତ ରଖିଛନ୍ତି ।
ଆଇନମନ୍ତ୍ରୀ ପ୍ରତାପ ଜେନା ବିବାଦ ପରିପ୍ରେକ୍ଷୀରେ ମତ ରଖି କହିଛନ୍ତି ବର୍ତ୍ତମାନ ସୁପ୍ରିମ୍କୋର୍ଟଙ୍କର ମଧ୍ୟବତ୍ତିକାଳୀନ ପ୍ରସ୍ତାବ ଆସିଛି । ଏହା ଉପରେ ଆହୁରି ତର୍କ ବିତର୍କ ମଧ୍ୟ ରହିଛି । ସୁପ୍ରିମ୍କୋର୍ଟଙ୍କର ଯାହା ଚୂଡାନ୍ତ ନିଷ୍ପତ୍ତି ବା ଆଦେଶ ଆସିବ ତାହା ଉପରେ ଆମେ ତର୍ଜମା କରି ପଦକ୍ଷେପ ନେବୁ । ଦରକାର ପଡ଼ିଲେ ଆଇନରେ ଆବଶ୍ୟକ ସଂଶୋଧନ କରାଯିବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ପଦକ୍ଷେପ ନିଆଯିବା କଥା ଆମେ ନିଶ୍ଚୟ ନେବୁ । ସୁପ୍ରିମ୍କୋର୍ଟଙ୍କର ଯାହା ନିର୍ଦ୍ଦେଶ ରହିବ ତାକୁ କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେ ବିଷୟରେ ପଦକ୍ଷେପ ନିଆଯିବ ।

ONA

Leave a Reply

Top