You are here
Home > ଏକ୍ସକ୍ଲୁସିଭ୍ > ଶ୍ରୀକାନ୍ତଙ୍କ ଡାର୍ଟ ପଲିଟିକ୍ସ !

ଶ୍ରୀକାନ୍ତଙ୍କ ଡାର୍ଟ ପଲିଟିକ୍ସ !

ଭୁବନେଶ୍ୱର : ଜନତା ଦଳ ହେଉକି କଂଗ୍ରେସ । ନିଜ ପାର୍ଟିର ନେତାଙ୍କ ବିରୋଧରେ ଚକ୍ରାନ୍ତ ଲାଗି ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଶ୍ରୀକାନ୍ତ ଜେନା । ଏକଦା ଜନତା ଦଳରେ ଥିବା ବେଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନ କରାଇଦେବା ଅବା କଂଗ୍ରେସରେ ଥାଇ ଜେବି ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ବିରୋଧ କରିବା କଥା କାହାକୁ ଅଛପା ନୁହେଁ । ଶ୍ରୀକାନ୍ତଙ୍କ ଚକ୍ରାନ୍ତରେ ଏବେ ଆଉ ଏକ ଫର୍ଦ୍ଦ ଯୋଡିଛି । ରାହୁଲଙ୍କ ଆଗରେ ହଁ ମାରି ଏବେ ପିସିସି ସଭାପତି ନିରଞ୍ଜନଙ୍କୁ ଘେରିବାକୁ କାଳେ ଶ୍ରୀକାନ୍ତ ଚକ୍ରାନ୍ତ ଆରମ୍ଭ କରିଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଛି କଂଗ୍ରେସ ରାଜନୀତି ।
ଦଳୀୟ ରାଜନୀତିର ପାଣି ଗୋଳିଆ କରି ସେଥିରୁ ଫାଇଦା ନେବାରେ ମାହିର ଶ୍ରୀକାନ୍ତ ଜେନା । ସେ ଯେତେବେଳେ ଯେଉଁ ଦଳରେ ଥାଆନ୍ତି ସେଇ ଦଳର ଆଭ୍ୟନ୍ତରୀଣ ରାଜନୀତିକୁ ଗୋଳିଆ କରନ୍ତି । ଆଉ କିଛି ଛାମୁଆ ନେତାଙ୍କୁ ଏପଟସେପଟ କରି ନିଜେ ଫାଇଦା ମାରନ୍ତି । ଶ୍ରୀକାନ୍ତ ଜନତା ଦଳରେ ଥିବା ବେଳେ କୁଆଡେ ଏମିତି କରୁଥିଲେ । ଏମିତିକି ବିଜୁ ବାବୁଙ୍କୁ ପ୍ରଧାନମନ୍ତ୍ରୀ ନକରାଇ ଦେବା ପଛରେ କୁଆଡେ ତାଙ୍କର ଚକ୍ରାନ୍ତ ଥିଲା । ଖାଲି ଜନତା ଦଳରେ ନୁହେଁ କଂଗ୍ରେସକୁ ଆସିବା ପରେ ବି ତାଙ୍କର ପୁରୁଣା ରୋଗ କୁଆଡେ ଛାଡିନି । ସେଥିଲାଗି କଂଗ୍ରେସରେ ଥାଇ ବି ସେ ଦଳ ବିରୋଧରେ ଚକ୍ରାନ୍ତ କରୁଛନ୍ତି ବୋଲି କୁହାଯାଉଛି । ଆଉ ନିଜ ଚକ୍ରାନ୍ତ ଲାଗି କୁଆଡେ ଶ୍ରୀକାନ୍ତ ଜେନା ଏବେ ଅଡୁଆରେ ପଡିଛନ୍ତି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ଏବର କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା । ରାଜ୍ୟ କଂଗ୍ରେସ ରାଜନୀତିରେ ପଟ୍ଟନାୟକ ପରିବାରର କଠୋର ବିରୋଧୀ ଭାବେ ବେଶ ଜଣାଶୁଣା । ୨୦୧୪ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଡେରା ପକାଇ ନିରଞ୍ଜନଙ୍କୁ ପିସିସି ଚୌକିରୁ ହଟାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ଆଉ ପ୍ରସାଦଙ୍କୁ ଗାଦିରେ ବସାଇବାରେ ତାଙ୍କ ଥିଲା ଭୂମିକା । ହେଲେ ନିକଟରେ ଓଡିଶା ପିସିସିର ପୁନର୍ଗଠନ ହେଲା । ନୂଆ ପିସିସି ମୁଖିଆ ହେଲେ ନିରଞ୍ଜନ ପଟ୍ଟନାୟକ । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖରେ ବସି ନିରଞ୍ଜନଙ୍କୁ ପିସିସି ସଭାପତି ଭାବେ ସମର୍ଥନ କଲେ ଶ୍ରୀକାନ୍ତ । ଆଉ ନିଜେ ଇସ୍ତାହାର କମିଟି ଅଧ୍ୟକ୍ଷ ହେବା ଲାଗି ହଁ ବି ମାରିଲେ । ହେଲେ ଦିନ କେଇଟା ନଯାଉଣୁ ଶ୍ରୀକାନ୍ତଙ୍କ ପୁରୁଣା ରୋଗ ବାହାରିଲା ବୋଲି ଚର୍ଚ୍ଚା ଚାଲିଲାଣି ।
ରାହୁଲଙ୍କ ଆଗରେ ସିନା ହଁ ମାରିଲେ ହେଲେ ନିରଞ୍ଜନଙ୍କୁ କିପରି ବଦନାମ କରି ଆଗାମୀ ନିର୍ବାଚନ ଆଗରୁ ରୋକିବାକୁ ହେବ ସେଥିଲାଗି ଶ୍ରୀକାନ୍ତ ଗୋଟି ଚଳାଇବା ଆରମ୍ଭ କରିଛନ୍ତି । ନିଜର ପୁରୁଣା ଫଣ୍ଡା ଅନୁସାରେ ଦଳ ଭିତରେ କର୍ମୀ ଓ ନେତାଙ୍କୁ ଏପଟସେପଟ କରିବାକୁ ଜାତିଆଣ କାର୍ଡ ଖେଳିବା ଆରମ୍ଭ କରିଛନ୍ତି । କଥାରେ ଅଛି ମୂଳରୁ …ପୁଅ ନାଁ ଗୋପାଳିଆ ନ୍ୟାୟରେ ପିସିସି ଟିମ ଗଢା ନ ହେଉଣୁ ୧୯’ ନିର୍ବାଚନର ଢେର ଆଗରୁ କିଏ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ହେବେ ସେନେଇ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତ ରାଜ୍ୟର ସବୁ ଏଆଇସିସି ଓ ପିସିସି ସଭ୍ୟଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ, ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଜଣେ ମୁଖ୍ୟମନ୍ତ୍ରୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ଓବିସି/ଏସଇବିସି, ଏସସି କିମ୍ବା ଏସଟି ବର୍ଗରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ହେବେ । ଏନେଇ ଶ୍ରୀକାନ୍ତ ପ୍ରସ୍ତାବ ରଖି ପରୋକ୍ଷରେ ନିରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି । କାହିଁକିନା ନିରଞ୍ଜନ ଓବିସି/ଏସଇବିସି, ଏସସି କିମ୍ବା ଏସଟି ବର୍ଗରୁ ପ୍ରତିନିଧିତ୍ୱ କରୁନାହାନ୍ତି । ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରା ନ ଯିବାକୁ ସେ ଇଙ୍ଗିତ ଦେଇଛନ୍ତି । କେବଳ ସେତିକି ନୁହେଁ ନିରଞ୍ଜନଙ୍କୁ ପରୋକ୍ଷରେ ଟାର୍ଗେଟ କରିବାକୁ ଯାଇ ବେଆଇନ ଖନନ କରିଥିବା ସବୁ ଲିଜ୍ଧାରୀଙ୍କ ଖଣିକୁ ରାଜ୍ୟ ସରକାର ହାତକୁ ନେବା ଭଳି ପ୍ରସ୍ତାବ ଦେଇଛନ୍ତି । ଏହାଛଡା ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବାର ମାସେ ଭିତରେ ମଣ୍ଡଳ କମିସନଙ୍କ ସୁପାରିଶ ଲାଗୁ କରାଯିବ ବୋଲି ପ୍ରସ୍ତାବ ରଖି ମତାମତ ଲୋଡିଛନ୍ତି ଶ୍ରୀକାନ୍ତ ।
ପିସିସି ପୁନର୍ଗଠନ ପରେ ରାଜ୍ୟରେ କଂଗ୍ରେସ କଅଁଳୁ ଥିବା ବେଳେ ଶ୍ରୀକାନ୍ତଙ୍କ ଏହି ଚିଠି ତାଙ୍କ ପାଇଁ ବୁମେରାଂ ହେବାକୁ ଯାଉଛି । ଶ୍ରୀକାନ୍ତଙ୍କ ଏସବୁ ପ୍ରସ୍ତାବକୁ ନେଇ କେବଳ ଓଡିଶାରେ ନୁହେଁ ଏଆଇସିସିରେ ବି ଚର୍ଚ୍ଚା ଆରମ୍ଭ ହୋଇଛି । ଖୋଦ ରାହୁଲଙ୍କ କାନରେ ଏକଥା ପଡିବା ପରେ ସେ କୁଆଡେ ଶ୍ରୀକାନ୍ତ ଉପରେ ଭୀଷଣ ବିରକ୍ତ ହୋଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ସମର୍ଥନ କରିବା ଦ ଦୂରର କଥା ଏଆଇସିସିର ବରିଷ୍ଠ ନେତାମାନେ ଏହି ପ୍ରସଙ୍ଗରେ ଶ୍ରୀକାନ୍ତଙ୍କୁ କଟୁ ସାମାଲୋଚନା କରିଛନ୍ତି । ସେହିପରି ଶ୍ରୀକାନ୍ତ ହୀନ ରାଜନୀତି କରୁଥିବା ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ ପିସିସି ପକ୍ଷରୁ ଅବଗତ କରାଯାଇଛି । ଆଉ ଏହାକୁ ନେଇ ପ୍ରଭାରୀ ମଧ୍ୟ ଖପ୍ପା । ଏ ବାବଦରେ ସେ ଶ୍ରୀକାନ୍ତଙ୍କୁ ନାଲିଆଖି ଦେଖାଇଛନ୍ତି । ନିଜକୁ ନ ସଜାଡିଲେ ଆଗକୁ ପରିଣାମ ଭୋଗିବାକୁ ପଡିବ ବୋଲି ଚେତେଇ ଦେଇଥିବା କୁହାଯାଉଛି । ଏବେ ଉଭୟ ପିସିସି ଓ ଏଆଇସିସିରୁ ଏକଘରକିଆ ହୋଇଯାଇଛନ୍ତି ଶ୍ରୀକାନ୍ତ ଜେନା । କଂଗ୍ରେସ ସଂଗଠନ ଏକାଠି ହେବାବେଳକୁ ଶ୍ରୀକାନ୍ତଙ୍କ ଘରଭଙ୍ଗା ନୀତିକୁ ନେଇ ରାଜ୍ୟର ଛାମୁଆ ନେତାଏ ବି କ୍ଷୁବ୍ଧ ହୋଇଛନ୍ତି । ଆଗାମୀ ଦିନରେ ଶ୍ରୀକାନ୍ତଙ୍କୁ ବଦନାମ କରି ପାନେ ଦେବାକୁ କିଛି କଂଗ୍ରେସିଆ ସୁଯୋଗ ଖୋଜୁଥିବା ଚର୍ଚ୍ଚା ଚାଲିଛି । ସେଥିଲାଗି ଚିଠି ରାଜନୀତିରୁ କିପରି ମୁକୁଳିବେ ସେ ନେଇ ନୂଆ ବାହାନା ଖୋଜୁଛନ୍ତି ଶ୍ରୀକାନ୍ତ । ନିଜର ଖାସ୍ ଅନୁଗତଙ୍କ ମାଧ୍ୟମରେ ନିରଞ୍ଜନଙ୍କୁ ମନେଇବା ଲାଗି ସେ ପ୍ରୟାସ କରୁଥିବା କୁହାଯାଉଛି ।

ONA

Leave a Reply

Top