You are here
Home > ଏକ୍ସକ୍ଲୁସିଭ୍ > ସରକାରୀ ବାବୁଙ୍କୁ ସ୍ପା-ସେଣ୍ଟରରୁ ସେକ୍ସ କଲ୍⬌ ତଳିଆ କର୍ମଚାରୀଙ୍କୁ ସାବଧାନ

ସରକାରୀ ବାବୁଙ୍କୁ ସ୍ପା-ସେଣ୍ଟରରୁ ସେକ୍ସ କଲ୍⬌ ତଳିଆ କର୍ମଚାରୀଙ୍କୁ ସାବଧାନ

ଭୁବନେଶ୍ୱର : କ୍ରିଂ! କ୍ରିଂ! କିଛି ଦିନ ତଳେ ରାଜ୍ୟ ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ଜଣେ ବଡ ଅଫିସରଙ୍କ ନିକଟକୁ ହଠାତ ଆସିଲା ଏକ ଅଜଣା ଫୋନ୍ କଲ୍ । ବାବୁ ମୋବାଇଲ୍ ଫୋନ୍ ଉଠାଇଲେ । ସେପଟୁ ଶୁଭିଲା ସାର୍, ଆପଣ ଆଜି ସନ୍ଧ୍ୟାରେ ଆସନ୍ତୁ । ଆପଣଙ୍କ ଚାହିଦା ମୁତାବକ ସୁନ୍ଦରୀ ଯୁବତୀ ଆସିଛନ୍ତି । ପ୍ରାଇସ ବି ବେଶୀ ନୁହେଁ । ଏକଥା ଶୁଣିବା ପରେ ହଠାତ କିଛି ବୁଝିପାରିଲେନି ବଡ ଅଫିସର ଜଣଙ୍କ । ତାଙ୍କ କାନମୁଣ୍ଡା ଝାଇଁଝାଇଁ ହୋଇଗଲା । ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଥିବା ଏକ ସ୍ପା ସେଣ୍ଟରରୁ ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ବଡ ଅଫିସରଙ୍କ ନିକଟକୁ ଏହି ଫୋନ ଆସିଥିଲା । ଭୁଲ କଲ୍ ଭାବି ବାବୁ ଜଣକ ଫୋନ୍ କାଟି ଦେଲେ । ହେଲେ ବନ୍ଦ ହେଲାନି ଫୋନ କଲ । ବାରମ୍ବାର ସେଇ ସ୍ପା ସେଣ୍ଟରରୁ ତାଙ୍କ ନିକଟକୁ  ଆସିଲା ଫୋନ । ବିରକ୍ତ ହୋଇ ସରକାରୀ ବାବୁ ଗାଳିଗୁଲଜ କଲେ । ତଥାପି ସ୍ପା ସେଣ୍ଟରରୁ ତାଙ୍କ ନିକଟକୁ ଫୋନ୍ କଲ୍ ଆସିବା ବନ୍ଦ ହେଲାନି । ଘରଣୀଙ୍କ ଆଗରେ ଏମିତି କଲକୁ ନେଇ ଅଡୁଆରେ ପଡିଲେ ଅଫିସର ଜଣକ । ମିଥ୍ୟା କଲ୍ ବୋଲି ଯେତେ ସଫେଇ ଦେଲେ ବି ଧର୍ମପତ୍ନୀ ବୁଝିବା ମୁଡରେ ନଥିଲେ ।  ବାଧ୍ୟ ହୋଇ ମୋବାଇଲ୍ ଫୋନ ସୁଇଚ ଅଫ୍ କଲେ ସେଇ ସରକାରୀ ବାବୁ ଜଣକ । ହେଲେ ପର ଦିନ ମୋବାଇଲ ଫୋନ ଅନ କରିବା ପରେ ସେଇ ଏକା ଅବସ୍ଥା । ଆଉ ଥରେ ସେଇ ନିର୍ଦ୍ଦିଷ୍ଟ ସ୍ପା ସେଣ୍ଟରୁ ପୁଣି ଫୋନ୍ କଲ୍ ଆସିଲା। ସାର, ଆସନ୍ତୁ ଆପଣଙ୍କ କହିବା ମୁତାବକ ଯୁବତୀ ଆସିଛନ୍ତି । ଘରଣୀଙ୍କ ସନ୍ଦେହକୁ ଆସି ଯାଇଥିବା ବାବୁଙ୍କର ରାଗ ପଞ୍ଚମକୁ ଚଢିଗଲା । ଠିକଣା ପଚାରି ଫୋନ୍ କଲ୍ ଆସିଥିବା ସ୍ପା ନିକଟରେ ପହଞ୍ଚିଲେ ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ବଡ ସାର୍ । ସ୍ପା ସେଣ୍ଟରରେ ପହଞ୍ଚୁ ପହଞ୍ଚୁ ବାବୁଙ୍କୁ ପାଛୋଟି ନେବାକୁ ଆସିଲେ ସୁନ୍ଦରୀ ତରୁଣୀ । ସେଇ ତରୁଣୀଙ୍କର ବୟସ ବାବୁଙ୍କ ଝିଅ ଠାରୁ ବି କମ୍ ହେବ । ଏସବୁ ଦେଖି ରାଗି ପାଚି ଲାଲ ପଡିଗଲେ ମହାଶୟ । ସେଠାରେ ନିଜକୁ ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ବଡ ହାକିମ ବୋଲି ପରିଚୟ ଦେଲେ । କିଏ ତାଙ୍କ ଫୋନ୍ ନମ୍ବରରେ ବୁକିଂ କଲା ବୋଲି ପଚାରିବାରୁ ଯାହା ଉତ୍ତର ମିଳିଲା ତାହା ସାରଙ୍କୁ ତାଜୁବ କରିଦେଲା। ଅଧିକ ଖୋଳତାଡ ପରେ ସିସିଟିଭି ଫୁଟେଜରୁ ଜଣା ପଡିଲା ଏହି କାରନାମା ପଛରେ ଅଛନ୍ତି ତାଙ୍କ ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗରେ ଜଣେ ଅଧସ୍ତନ କର୍ମଚାରୀ । ବଡ ବାବୁଙ୍କ ନାଁ ଓ ମୋବାଇଲ୍ ଫୋନ ନମ୍ବର ଦେଇ ତରୁଣୀ ବୁକିଂ କରିଛନ୍ତି ସେହି ଅଧସ୍ତନ କର୍ମଚାରୀ ଜଣକ । ମିଳିଥିବା ଖବର ଅନୁସାରେ ସ୍ପା ସେଣ୍ଟର ସିସିଟିଭିରୁ ନିଜ ଜୁନିଅର ଅଫିସରଙ୍କ ଚେହେରା ଦେଖିବା ପରେ ବଡ ସାର୍ କ୍ୟାପିଟାଲ ଥାନାକୁ ଗଲେ । ହେଲେ ତାଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରାଥମିକ ତଦନ୍ତ କରି ଚୁପ୍ ବସିଛି । କିଛି କାର୍ଯ୍ୟାନୁଷ୍ଠାନ ନେଉନି । ଏପଟେ ନିଜ ବିଭାଗର ଅଧସ୍ତନ ଅଫିସରଙ୍କ ଏପରି କାରନାମା ନେଇ ଅପମାନିତ ମହାଶୟ ଏ ବାବଦରେ ନା କାହାକୁ କହିପାରୁଛନ୍ତି ନା ସହି ପାରୁଛନ୍ତି । କେବଳ ପାଟି ବନ୍ଦ କରି ରହିବା ସାର ହୋଇଛି ।

ଶୁଣିବାକୁ ମିଳିଛି, ବଡ ସାର୍ଙ୍କୁ ଫସାଇବାକୁ ଅଧସ୍ତନ ଅଫିସରମାନେ ଏମତି ଯୋଜନା କରିଛନ୍ତି । କାହିଁକି ନା ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗରେ ହୋଇଥିବା ବହୁଚର୍ଚ୍ଚିତ ସରକାରୀ ଜାଲ ବିଜ୍ଞପ୍ତି ଘଟଣାକୁ ସେଇ ବଡ ସାର ଜଣଙ୍କ କୁଆଡେ ପଦାକୁ ଆଣିଥିଲେ। ଯାହାକୁ ନେଇ ଅଡୁଆରେ ପଡିଛନ୍ତି ସରକାର, ଆଉ ଜେଲରେ ଅଛନ୍ତି ୪୨୦ ଡାକ୍ତର ମୋତିଲାଲ ଗୌଡ। ମନ୍ତ୍ରୀ ଓ ଶାସକ ଦଳର ବିଧାୟକମାନେ ବି ଛନ୍ଦି ହୋଇଛନ୍ତି ସେହି ମାମଲାରେ । ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ତେଣୁ ବାହାରେ ଥିବା ଅଭିଯୁକ୍ତମାନେ ଏବେ ବଡ ସାରଙ୍କୁ ପାନେ ଦେବାକୁ ଯୋଜନାରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏମାନଙ୍କ ସହ ହାତ ମିଳାଇଛନ୍ତି ସେହି ବିଭାଗର ରହି ଜାଲିଆତି ଟଙ୍କାରୁ ଭାଗ ନେଇଥିବା କେତେଜଣ ତଳିଆ ଅଫିସର । ସେକ୍ସ ରାକେଟରେ ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ଜଣେ ଉପରିସ୍ଥ ଅଧିକାରୀଙ୍କୁ ଛନ୍ଦିବା ପାଇଁ ସେଇ ବିଭାଗର ଅଧସ୍ତନ କର୍ମଚାରୀଙ୍କ ସୁଚିନ୍ତିତ ଷଡଯନ୍ତ୍ର ପଦାକୁ ଆସିବା ପରେ ସଚିବାଳୟରେ ଅନେକ ଅଧିକାରୀ ଓ ନିଦେ୍ର୍ଦଶାଳୟରେ ଅନେକ ବିଭାଗର ନିର୍ଦ୍ଦେଶକ ଏବେ ଚିନ୍ତାରେ ପଡିଛନ୍ତି । ଏ କଥାକୁ ନେଇ ସବୁଠି ଏବେ ଚାଲିଛି ଟୁପୁରୁଟାପୁରୁ ସେକ୍ସ କଲ୍ ସାବଧାନ ! ତଳିଆ ଅଫିସରଙ୍କୁ ସାବଧାନ!

ONA

Leave a Reply

Top