You are here
Home > ଇଣ୍ଡିଆ > ଭିଡିଓ ‘ତୋରି ସୁରତ’ ଲାଗି କ୍ଷୁବ୍ଧ ସୁଫି ଫାଉଣ୍ଡେସନ, ଗାୟିକା ସୋନା ମହାପାତ୍ରଙ୍କୁ ଧମକ

ଭିଡିଓ ‘ତୋରି ସୁରତ’ ଲାଗି କ୍ଷୁବ୍ଧ ସୁଫି ଫାଉଣ୍ଡେସନ, ଗାୟିକା ସୋନା ମହାପାତ୍ରଙ୍କୁ ଧମକ

ଭୁବନେଶ୍ବର : ଗାୟିକା ସୋନା ମହାପାତ୍ରଙ୍କୁ ଧମକ । ମଦରିୟା ସୁଫି ଫାଉଣ୍ଡେସନ୍ ଧମକ ଦେଇଥିବା ସୋନା ନିଜେ ଅଭିଯୋଗ କରିଛନ୍ତି । ମୁମ୍ବାଇ ପୋଲିସକୁ ସିରିଜ୍ ଟ୍ବିଟ୍ କରି ଜଣାଇଛନ୍ତି । ସୋନାଙ୍କ ନୂଆ ଭିଡିଓ ‘ତୋରି ସୁରତ’ ଲାଗି କ୍ଷୁବ୍ଧ ହୋଇଛି ସୁଫି ଫାଉଣ୍ଡେସନ । ଅଭିଯୋଗ ପରେ ସାନ୍ତାକ୍ରୁଜ୍ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।
ଅମିର ଖୁସ୍ରୁ ଲେଖିଥିବା ଏହି କାଳଜୟୀ ସୁଫି ସଂଗୀତ ବର୍ଷ ବର୍ଷ ଧରି ମନ୍ତ୍ରମୁଗ୍ଧ କରିଛି । ଅନେକ ସୁଫି ଗାୟକ, ଗାୟିକା ଏହାକୁ ଗାଇ ମନ ମୋହିଛନ୍ତି । ହେଲେ ବଲିଉଡ୍ ଗାୟିକା ସୋନା ମହାପାତ୍ରଙ୍କ କଣ୍ଠରେ ଏହି ଗୀତ ରିଲିଜ ହେବା ପରେ ତାଙ୍କୁ ମିଳିଛି ଧମକ । ଟେଲିଭିଜନଠାରୁ ସୋସିଆଲ୍ ମିଡିଆ- ସବୁ ପ୍ଲାଟଫର୍ମରୁ ଏହି ଗୀତକୁ ହଟାଇବା ଲାଗି ଧମକ ଦେଇଛି ମଦରିୟା ସୁଫି ଫାଉଣ୍ଡେସନ୍ । ଏନେଇ ସୋନା ନିଜେ ଟୁଇଟ୍ କରିବା ପରେ ସାମ୍ନାକୁ ଆସିଛି ଘଟଣା ।
ଅଶ୍ଳୀଳ ପୋଷାକ ପିନ୍ଧି ସୋନା ସୁଫି ଗୀତ ଗାଇଥିବା ଅଭିଯୋଗ କରିବା ସହ, ପାଶ୍ଚାତ୍ୟ ସଂଗୀତରେ ସୁଫି ଗୀତ ଗାଇବା ଉପରେ ଆପତ୍ତି ଉଠାଇଛି ମଦରିୟା ସୁଫି ଫାଉଣ୍ଡେସନ୍ । ଏପରି ସଂଗୀତ, ସାଂପ୍ରଦାୟିକ ହିଂସାକୁ ପ୍ରୋତ୍ସାହନ କରିବ ବୋଲି ଅଭିଯୋଗ ବି ହୋଇଛି । ସୋନା ନିୟମିତ ଭାବେ ସୁଫି କଳା ଓ ସଂସ୍କୃତି ଉଲଂଘନ କରୁଥିବା ଅଭିଯୋଗ କରିଛି ସୁଫି ଫାଉଣ୍ଡେସନ୍ । ଆଗରୁ କୋକ୍ ଷ୍ଟୁଡିଓ ପାଇଁ ଗାଇଥିବା ଅନ୍ୟ ଏକ ସୁଫି ସଂଗୀତରେ ସୋନା ଇସଲାମ୍ କୁ ଅପମାନିତ କରିଥିବା ମଧ୍ୟ ସୁଫି ଫାଉଣ୍ଡେସନ୍ ଅଭିଯୋଗ କରିଛି । ସୋନା ଏହା ଟୁଇଟ୍ କରି ଜଣାଇଛନ୍ତି ।
ମଦରିୟା ସୁଫି ଫାଉଣ୍ଡେସନ୍ର ଧମକ ପରେ ସୋନା ନିଜଆଡୁ ମୁମ୍ବାଇ ପୋଲିସକୁ ଟୁଇଟ୍ କରି ଜଣାଇଛନ୍ତି । ଦେଶର ବିଭିନ୍ନ ସ୍ଥାନକୁ ବ୍ୟାଣ୍ଡ ନେଇ ଯିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସୋନା ଆଶଙ୍କା କରିଛନ୍ତି । ତେଣୁ ସୁରକ୍ଷା ଲାଗି ସହାୟତା ଲୋଡିଛନ୍ତି । ସାନ୍ତାକ୍ରୁଜ୍ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।
ସୋନାଙ୍କ ଗୀତକୁ ସମର୍ଥନ କରିଛନ୍ତି ଗୀତିକାର ଜାଭେଦ୍ ଅଖତାର । ମଦରିୟା ସୁଫି ଫାଉଣ୍ଡେସନ୍ ଧମକ ଦେବା ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି । କହିଛନ୍ତି, ଅମିର ଖୁସ୍ରୁ ସାରା ଭାରତର, ସୁଫି ସଙ୍ଗୀତ କାହାର ନିଜସ୍ବ ସମ୍ପତ୍ତି ନୁହେଁ ।
କୁହାଯାଏ ସୁଫି ସଂଗୀତ ଶ୍ରୋତାକୁ ନେଇ ଯାଏ ଅଲଗା ଦୁନିଆକୁ । ସୁଫି ହେଉଛି ମାନବବାଦୀ ସଂଗୀତ । ଇଶ୍ବରଙ୍କ ସହ ସଂପର୍କର ଏକ ଅନନ୍ୟ ଭାଷା । ଏପରି ସ୍ଥିତିରେ ସଂଗୀତକୁ ନେଇ ଶଙ୍କା ଉପୁଜିବା ନିଶ୍ଚୟ ଚିନ୍ତାର ବିଷୟ ।

ONA

Leave a Reply

Top