You are here
Home > ବଡ଼ଖବର > ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଦେହାନ୍ତ

ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର:ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ମହାପାତ୍ର)ଙ୍କ ଦେହାନ୍ତ ହୋଇଛି  । ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପରଲୋକ ହୋଇଯାଇଛି। ରାତି ୧୦ଟା ୨୫ମିନିଟ ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ଥିଲେ। ଏହି ଖବର ଓଡ଼ିଶାରେ ପହଞ୍ଚିବା କ୍ଷଣି ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।  ଲୁଲୁ ମହାପାତ୍ରଙ୍କୁ ଗତ ସେପ୍ଟେମ୍ବର ୨୧ରେ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ଗୁରୁଗାଓଁ ନିଆଯାଇଥିଲା। ସେବେଠାରୁ ଶ୍ରୀ ମହାପାତ୍ର ଚିକିତ୍ସାଧୀନ ଥିଲେ। ହେଲେ ଆଜି ସଂଧ୍ୟା ୭ଟା ପରଠାରୁ ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା। ଡାକ୍ତରୀ ଦଳର ଶତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା। ଲୁଲୁଙ୍କ ନିକଟରେ ତାଙ୍କ ପତ୍ନୀ ନମିତା ମହାପାତ୍ର, ଏକମାତ୍ର ଝିଅ ଉପାସନା ମହାପାତ୍ର ଓ ଅନ୍ୟ ପରିବାରବର୍ଗ ଉପସ୍ଥିତ ଅଛନ୍ତି।

ବ୍ରହ୍ମଗିରିର ପୂର୍ବତନ ବିଧାୟକ ଥିଲେ ଲୁଲୁ ବିଦ୍ୟାଧରମହାପାତ୍ର  । ୧୯୯୫ରୁ ୨୦୦୪ ଯାଏ ଲଗାତର ୩ ଥର ବିଧାୟକ ଥିଲେ ଲୁଲୁ  । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ପଟ୍ଟନାୟକଙ୍କର ପ୍ରୋତ୍ସାହନରେ ରାଜନୀତିକୁ ଆସିଥିଲେ ଲୁଲୁ  । ପ୍ରଥମେ ଛାତ୍ର କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଲୁଲୁ ପରେ ଯୁବ କଂଗ୍ରେସ ସଭାପତି ଏଂବ ୨୦୦୯ରେ ପିସିସିର କାଯ୍ୟକାରୀ ସଭାପତି ହୋଇଥିଲେ  । ଜାନକୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଲୁଲୁଙ୍କୁ ସୁପର ସିଏମ ଭାବେ ବିବେଚନା କରାଯାଉଥିଲା  । ତେବେ ଓଡିଶା ରାଜନୈତିକ ଇତିହାସରେ ଲୁଲୁଙ୍କ ସହ ଯେତିକି ଛାତ୍ର ଓ ଯୁବକ ଯୋଡି ହୋଇ ରହିଥିଲେ ତାହା ଓଡିଶାର କୈଣସି ନେତାଙ୍କ ପାଖରେ ଏଭଳି ଦେଖାଯାଏନି  ।
୧୪ ଫେବୃୟାରୀ ୧୯୬୪ରେ ଲୁଲୁ ମହାପାତ୍ରଙ୍କ ଜନ୍ମ ହୋଇଥିଲା ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ  ।  ପୁରୀ ବ୍ରହ୍ମଗିରି ଅଂଚଳର ଗଡରୋଡଙ୍ଗ ହେଉଛି ତାଙ୍କ ପୈତୃକ ଗ୍ରାମ  । ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କର ସେ ଥିଲେ ଅଣନାତି  । ତାଙ୍କ ବାପା ଥିଲେ ଜଣେ କଲେଜ ଅଧ୍ୟକ୍ଷ ଥିଲେ  ।

ONA

Leave a Reply

Top