You are here
Home > ବଡ଼ଖବର > ଡାକ୍ତରଖାନାରୁ ରୋଗୀଙ୍କୁ ବାହାର କରିବା ଘଟଣା ନେଇ ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ

ଡାକ୍ତରଖାନାରୁ ରୋଗୀଙ୍କୁ ବାହାର କରିବା ଘଟଣା ନେଇ ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ

ଭୁବନେଶ୍ୱର: ଟଙ୍କା ପାଇଁ ସରକାରୀ ମେଡିକାଲ କଲେଜରୁ ରୋଗୀଙ୍କୁ ବିଦା କରି ଦିଆଯାଇଛି । ଏଭଳି ଘଟଣା ଘଟିଛି କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ । ଶେଷରେ ଚିକିତ୍ସା ପାଇଁ ରୋଗୀ ଓ ତାଙ୍କ ପରିବାରକୁ ରାସ୍ତା କଡ଼ରେ ଭିକ ମାଗିବାକୁ ହୋଇଛି । ଏହି ଖବର ଆସିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ସେ ଟ୍ୱିଟ କରି ବିଜେଡି ସରକାରଙ୍କ ପାଇଁ ଏହି ଘଟଣା ଲଜ୍ଜାରେ ମୁଣ୍ଡ ତଳକୁ ହୋଇଯାଇଛି ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ବଡଜଯୋଡ଼ି ଗାଁର ନବ ଶାନ୍ତା ଦୁର୍ଘଟଣାର ଶୀକାର ହୋଇଥିଲେ । ତାଙ୍କ ମୁଣ୍ଡ ଫାଟିଥିଲା ଓ ଗୋଡ଼ ଭାଙ୍ଗିଯାଇଥିଲା । ସେ କୋରାପୁଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେଠାରେ ଭଲ ନ ହେବାରୁ ଗତ ୨୭ ତାରିଖରେ ଏସସିବି ଆସିଥିଲେ । ସେଠି ଆସୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ମୁଣ୍ଡରେ ଆଘାତ ଥିବାରୁ ତାଙ୍କୁ ନିରୋସର୍ଜରୀରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ ଦିନ ଚିକିତ୍ସା ପରେ ପରିବାର ଲୋକଙ୍କ ପାଖରେ ଯାହା ପଇସା ଥିଲେ ଔଷଧ କିଣା ଓ ଖାଇବାରେ ସରିଯାଇଥିଲା । ପରେ ରୋଗୀ ପାଇଁ ଔଷଧ କିଣିପାରିଲେନି । ଡାକ୍ତର ବିରକ୍ତ ହୋଇ ଟଙ୍କା ନାହିଁ ତ ଏଠି କାହିଁକି ଆସିଛ ବୋଲି କହିଲେ । ୩୧ ତାରିଖ ଦିନ ଡାକ୍ତର ତାଙ୍କୁ ଡିସ୍ଚାର୍ଜ କରି ୱାର୍ଡରୁ ବିଦା କରିଦେଲେ । ରୋଗୀ ମୁଣ୍ଡରେ ଆଘାତ ଲାଗିବାରୁ ସେ ବାଉଳି ଚାଉଳି ହେଉଛନ୍ତି ଏବଂ ଗୋଡ଼ ଭାଙ୍ଗି ଯାଇଥିବାରୁ ଚାଲିପାରୁ ନାହାଁନ୍ତି । ଘରକୁ ଫେରିବାକୁ ମଧ୍ୟ ପଇସା ନାହିଁ । ଏଣୁ ପଇସା ସଂଗ୍ରହ ପାଇଁ ପରିବାର ଲୋକେ ରୋଗୀକୁ ଧରି ବାଦାମବାଡ଼ି ଫୁଟ ଓଭରବ୍ରିଜ ତଳେ ୩ ଦିନ ବସିରହି ଭିକ ମାଗିଛନ୍ତି । ଏହି ଖବର ସେଠାରେ ଲୋକଙ୍କ ମନରେ ପ୍ରତିକ୍ରୀୟା ସୃଷ୍ଟି ହୋଇଥିଲା । ଗଣମାଧ୍ୟମ ପହଞ୍ôଚ ଖବର ସଂଗ୍ରହ କରିବା ପରେ କଥା ପ୍ରଘଟ ହୋଇଥିଲା । ଲୋକଙ୍କ ସହାୟତାରେ ତାଙ୍କୁ ପୁଣି ଏସ୍ସିବିରେ ଭର୍ତ୍ତି କରାଯାଇଥିଲା ।
ରାସ୍ତାକଡ଼ରେ ପରିବାରଙ୍କ ସହ ରୋଗୀ ପଡ଼ି ଭିକ ମାଗୁଥିବାର ଫଟୋ ଆସିବା ପରେ ଏହାକୁ ନେଇ ପ୍ରତିକ୍ରୀୟା ପ୍ରକାଶ ପାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି । ଟ୍ୱିଟ କରି ସେ କହିଛନ୍ତି ଆମେ ଯେତେବେଳେ ରାଜ୍ୟର ସ୍ୱାର୍ଥ ଅବସ୍ଥା ନେଇ ଉଦବେଗ ପ୍ରକାଶ କରୁଛୁ ଏବଂ ଓଡ଼ିଶାର ସ୍ଥିତି ଭଲ ଅଛି ବୋଲି କହୁଛୁ ସେହି ସମୟରେ ଏସସିବି ମେଡିକାଲ କଲେଜ ଏକ ସରକାରୀ ହସ୍ପିଟାଲରୁ ଟଙ୍କା ପାଇଁ ରୋଗୀକୁ ଫିଙ୍ଗି ଦିଆଯାଉଛି । ରୋଗୀର ପରିବାର ହସ୍ପିଟାଲ ବାହାରକୁ ଆସି ଚିକିତ୍ସା ପାଇଁ ଭିକମାଗିବାକୁ ବାଧ୍ୟ ହୋଇଛି । ଏହି ଘଟଣା ବିଜେଡି ସରକାରଙ୍କ ଲଜ୍ଜାରେ ନଇଁଯିବା ଉଚିତ ।

ONA

Leave a Reply

Top