You are here
Home > ଅଧିକ ଖବର > ରାମନାଥ କୋଭିନ୍ଦ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ : ମାୟା-ଲାଲୁ-ନୀତିଶ କ୍ଲିନ୍ ବୋଲ୍ଡ

ରାମନାଥ କୋଭିନ୍ଦ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ : ମାୟା-ଲାଲୁ-ନୀତିଶ କ୍ଲିନ୍ ବୋଲ୍ଡ

ଶକ୍ତି ପ୍ରକାଶ ନନ୍ଦ

        ପ୍ରତିକ୍ଷାର ଅନ୍ତ ହେଲା । ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ବିଜେପି । ସୋମବାର ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିହାରର ରାଜ୍ୟପାଳ ରାମନାଥ କୋଭିନ୍ଦଙ୍କ ନାମ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର ନେଇ ସୋମବାର ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡର ମହତ୍ୱପୂର୍ଣ୍ଣ ବୈଠକରେ ରାମନାଥ କୋଭିନ୍ଦଙ୍କ ନାମରେ ମୋହର ଲାଗିଛି ।
  ସୂଚନା ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ଜୁନ ୨୮ । ସେମିତିରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଆମୋରିକା ଗସ୍ତରେ ଯାଉଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ହେବ । ଏହା ମଧ୍ୟରେ ବିଜେପି ସମସ୍ତ ବିରୋଧୀ ନେତାଙ୍କ ସହ ଆଲୋଚନା କରିସାରିଛି  । ବିଜେପିର ପ୍ରୟାସ ଥିଲା ଯେ ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେଉ । ମାତ୍ର ପ୍ରାର୍ଥୀଙ୍କ ନାମ ନଦେବା କାରଣରୁ ବିରୋଧୀ ଦଳ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇନଥିଲେ । ସେଥିପାଇଁ ଅମିତ ଶାହା ନାମ ଘୋଷଣା କରିବା ପୂର୍ବରୁ ବିଜେପି ପକ୍ଷରୁ ବିରୋଧୀ ଦଳମାନଙ୍କୁ ରାମନାଥଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା ।
  ଦଳିତ ଚେହେରା ରାମନାଥ କୋଭିନ୍ଦ ୧୯୪୫ ଅକ୍ଟୋବର ୧ରେ ଉତ୍ତର ପ୍ରଦେଶର କାନପୁର ସ୍ଥିତ ଡେରାପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଏବେ ବିହାରର ରାଜ୍ୟପାଳ ଅଛନ୍ତି  । ପେଶାରେ ସେ ଓକିଲ ଏବଂ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେ ୧୯୯୮ରୁ ୨୦୦୨ ମଧ୍ୟରେ ବିଜେପିର ଦଳିତ ମୋର୍ଚ୍ଚାର ସଭାପତି ଓ ସର୍ବଭାରତୀୟ କୋଲି ସମାଜର ସଭାପତି ଥିଲେ । ବିଜେପିର ମୁଖପାତ୍ର ଭାବେ ସେ କାମ ମଧ୍ୟ କରିଛନ୍ତି  । ୨୦୧୫ ଅଗଷ୍ଟ ୮ ତାରିଖରେ  ତାଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା  । ଏହାପୂର୍ବରୁ  ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଛନ୍ତି  । ୭୧ ବର୍ଷିୟ ରାମନାଥ ଦ୍ୱିତୀୟ ଦଳିତ ନେତା ଭାବେ ରାଇସିନା ହିଲରେ ପ୍ରବେଶ କରିପାରନ୍ତି । ଏହାର ପୂର୍ବରୁ କେଆର ନାରାୟଣ ପ୍ରଥମ ଦଳିତ ବ୍ୟକ୍ତି ଯେକି ଭାରତର ରାଷ୍ଟ୍ରପତି ହୋଇଥିଲେ । ସେହିପରି ଭିଭି ଗିରିଙ୍କ ପରେ ରାମନାଥ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ଯେକି ରାଷ୍ଟ୍ରପତି ହେବା ପୂର୍ବରୁ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
୧୯୭୭ ମସିହାରେ ରାମନାଥ ବିଜେପିରେ ଯୋଗ ଦେବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ ।

ବରିଷ୍ଠ ଆଇନ୍ ଜୀବୀ ରାମନାଥ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।
  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋଭିନ୍ଦ ଉତ୍ତର ପ୍ରଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି । ଯାହାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନରେ  ଯଥେଷ୍ଟ ପ୍ରଭାବ ପକାଇବ । ଉତ୍ତର ପ୍ରଦେଶର ମୂଳବାସିନ୍ଦା ଏବଂ ବିହାରର ରାଜ୍ୟପାଳ ହୋଇଥିବାରୁ ରାମନାଥ କୋଭିନ୍ଦଙ୍କ ପ୍ରାର୍ଥୀତ୍ୱ ଯୋଗୁ ବିଜେପି ଉଭୟ ପ୍ରଦେଶର ୧୨୦ଟି ଲୋକସଭା ଆସନ ଉପରେ ଯଥେଷ୍ଟ ପ୍ରଭାବ ପଡିବ । ରାମନାଥ ଦଳିତ ସମାଜକୁ ପ୍ରତିନିଧିତ୍ୱ କରୁଥିବାରୁ ବିଜେପିର ଦଳିତ କାର୍ଡ ମାୟାବତୀଙ୍କ ଉପରେ ଭାରି ପଡିବ । ୨୦୧୪ ନିର୍ବାଚନରେ ଗୋଟିଏବି ଆସନ ଜିଣିପାରି ନଥିବା ମାୟାବତୀ, ବିଜେପିର ରାମନାଥ କାର୍ଡ ୨୦୧୯ରେ ମାୟାବତୀଙ୍କ ଉପରେ ପୁଣି ଭାରି ପଡିବାର ସମ୍ଭାବନା ରହିିଛି । ସେହିପରି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ଆରଜେଡି ଓ ଜେଡିୟୁ କହିଆସୁଥିଲେ  । ତେବେ ବିହାରର ରାଜ୍ୟପାଳ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଆର୍ଜେଡି ସୁପ୍ରିମୋ ଲାଲୁ ଯାଦବ ଓ ଜେଡିୟୁ ମୁଖ୍ୟ ନୀତିଶ କୁମାର ରାମନାଥଙ୍କୁ ବିରୋଧ କରିବା ସମ୍ଭବ ନୁହେଁ । ରାମନାଥଙ୍କୁ ଢ଼ାଲ କରି ମୋଦିଙ୍କ ଦଳିତ କାର୍ଡ ପ୍ରୟୋଗରେ ବହୁଜନସମାଜ ପାର୍ଟି(ବିଏସପି), ଆର୍ଜେଡି ଓ ଜେଡିୟୁ କ୍ଲିନ୍ ବୋଲ୍ଡ ହୋଇଛିି । ଉଚ୍ଚଶିକ୍ଷିତ ରାମନାଥ କୋବିନ୍ଦ ଭାରତର ଚତୁର୍ଦ୍ଦଶ ପୂର୍ଣ୍ଣକାଳୀନ ରାଷ୍ଟ୍ରପତି ହେବେ  ।

 

ONA

Leave a Reply

Top