You are here
Home > ବଡ଼ଖବର > ଆଜି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ୯.୩୦ରେ ପହଣ୍ଡି, ୪ଟାରେ ରଥ ଟଣା

ଆଜି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ୯.୩୦ରେ ପହଣ୍ଡି, ୪ଟାରେ ରଥ ଟଣା

ପୁରୀ : ଆଜି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ୧୪ଦିନ ଅନବସରରେ ରହିବା ପରେ ଚତୁର୍ଦ୍ଧାମୂର୍ତ୍ତି ଆସନ୍ତାକାଲି ଶୁକ୍ଳ ଦ୍ୱିତୀୟା ତିଥିରେ ରଥାରୂଢ଼ ହୋଇ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ । ଏଥିପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇ ରହିଛି । ଆସନ୍ତାକାଲି ପୂର୍ବାହ୍ନ ୯.୩୦ରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ଣ ୪ଟାରେ ରଥ ଟଣାଯିବ । ରଥଯାତ୍ରା ଉପଲକ୍ଷେ ପୁରୀ ସହର ଉତ୍ସବ ମୁଖର ହୋଇଉଠିଛି । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ୱୟ ଯୋଗୁ ଆଜି ବହୁ ସଂଖ୍ୟକ ଯାତ୍ରୀ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି । ରଥଖଳାରୁ ତିନିରଥକୁ ପୁଲିସ ଓ ଭକ୍ତମାନେ ଟାଣି ନେଇ ସିଂହଦ୍ୱାର ସମ୍ମୁଖରେ ଲଗାଇଥିଲେ । ତିନିଜଣ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାରେ ପହଞ୍ଚିବା ପରେ ଗୋଟିକ ପରେ ଗୋଟିଏ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଁଞ୍ଚିଛି । ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ଏସ୍ପି ଡା. ସାର୍ଥକ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜରଥ ଓ ଅତିରିକ୍ତ ଜିଲ୍ଲାପାଳ ବିଭୂତିଭୂଷଣ ଦାସଙ୍କ ନେତୃତ୍ୱରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି । ଆସନ୍ତାକାଲି ଶ୍ରୀଜିଉମାନଙ୍କୁ ରତ୍ନସିଂହାସନରୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯିବ । ଘୋଷଯାତ୍ରା ଉପଲକ୍ଷେ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳି ଅନୁଯାୟୀ ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳାଆଳିତ ହେବ । ଏହାପରେ ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇ ସକାଳ ୯ଟା ମଧ୍ୟରେ ଖେଚୁଡ଼ି ଭୋଗ ଶେଷ ହେବ । ସ୍ରୋତୀୟ ବ୍ରାହ୍ମଣମାନେ ସକାଳ ୯ଟାରେ ତିନିରଥ ପ୍ରତିଷ୍ଠା କରିବେ । ସକାଳ ୯ଟା ୩୦ମି.ରେ ମହାପ୍ରଭୁଙ୍କ ପହଣ୍ଡିବିଜେ ନୀତି ଆରମ୍ଭ କରାଯିବ । ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି ଶେଷ ହୋଇ ରଥ ଉପରକୁ ମଦନମୋହନ ବିଜେ କରିବେ । ଚିତା ଲଗାଯାଇ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜା ଶ୍ରୀନଅରରୁ ଯାଇ ତିନିରଥରେ ଛେରାପହଁରା ଶେଷକରିବେ । ଚାଳମାଳ ଫିଟାଯାଇ ଘୋଡ଼ା ସାରଥୀ ଲାଗିବା ପରେ ଅପରାହ୍ନ ୪ଟାରେ ରଥଟଣା ଯିବ ବୋଲି ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ତିନିରଥ ଗୁଣ୍ଡିଚାମନ୍ଦିର ସମ୍ମୁଖରେ ଲାଗିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ସଂପନ୍ନ ହେବ । ପ୍ରତ୍ୟୁଷରୁ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସକ, ପରିଚାଳନା କମିଟିର ସଦସ୍ୟମାନେ ନିଯୋଗମାନଙ୍କର ସଭାପତି, ସଂପାଦକ ଉପସ୍ଥିତ ରହି ଶ୍ରୀଜିଉଙ୍କ ନୀତି ତ୍ୱରାନ୍ୱିତ କରିବେ । କୌଣସି ଦର୍ଶନାର୍ଥୀ କିମ୍ବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ ଏବଂ ନାଟମଣ୍ଡପ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ପ୍ରାତଃ ୪ଟା ପୂର୍ବରୁ ରଥରେ ଚାରମାଳ ବନ୍ଧା ଓ ଫୁଲସଜା ଶେଷ ହେବ । ଆସନ୍ତାକାଲି ମହାପ୍ରଭୁ ପହଣ୍ଡି ହେବା ସମୟରେ ସାତପାହାଚ ଉପରେ ଶ୍ରୀଜିଉଙ୍କ ମସ୍ତକରେ ଟାହିଆମାନ ବନ୍ଧାଯିବ । ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରତ୍ୟେକ ଭୋଗରେ କେବଳ କୋଠଭୋଗ ତୋଳାଯିବ । ଭୋଗମଣ୍ଡପ ପରେ ତତକ୍ଷଣାତ ଭୋଗମଣ୍ଡପ ଗୃହକୁ ପରିଷ୍କାର କରାଯିବ । ଶ୍ରୀମନ୍ଦିର ଭିତରେ ଠାକୁରମାନଙ୍କ ପହଣ୍ଡି ଦର୍ଶନ କରିବା ପାଇଁ ଯାତ୍ରୀମାନେ ଟିକେଟ କରି ମନ୍ଦିର ଭିତରକୁ ଯାଇପାରିବେ । ଅନଧିକୃତ ବ୍ୟକ୍ତିମାନେ ରଥ ଚଢିବା କିମ୍ବା ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିବା ନିଷେଧ କରାଯାଇଛି । ରଥଉପରେ କୌଣସି ଅନଧିକୃତ ବ୍ୟକ୍ତି କିମ୍ବା ଯାତ୍ରୀ ଚଢିପାରିବେ ନାହିଁ । ସେଥିପାଇଁ ଦଇତାପତି ବାଡ଼ଗ୍ରାହୀ ସେବକ, ସରକାରୀ ପୁଲିସ ଓ ଶ୍ରୀମନ୍ଦିର ପୁଲିସମାନେ ତୀକ୍ଷ୍ଣଦୃଷ୍ଟି ରଖିବେ । ଶ୍ରୀଜିଉଙ୍କ ସ୍ପଷ୍ଟ ଦର୍ଶନ ନିମନ୍ତେ ଠାକୁରମାନଙ୍କ ସେବାପୂଜା ନଥିବା ସମୟରେ କୌଣସି ସେବକ ଶ୍ରୀବିଗ୍ରହମାନଙ୍କର ଉଭୟ ଭୂଜ ମଧ୍ୟରେ ବା ସମ୍ମୁଖରେ ଛିଡ଼ା ହୋଇପାରିବେ ନାହିଁ କି ବସିପାରିବେ ନାହିଁ । ଶ୍ରୀବିଗ୍ରହଙ୍କ ଭୂଜ ଉପରେ ଭରାଦେଇ ଛିଡ଼ା ହେବାକୁ ନିଷେଧ କରାଯାଇଛି । ପହଣ୍ଡି ପୂର୍ବରୁ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପକୁ ଶୋଧ କରାଯିବ । ଜଗମୋହନ କିମ୍ବା ନାଟମଣ୍ଡପରେ କୌଣସି ମାନ୍ୟଗଣ୍ୟ ବ୍ୟକ୍ତି କିମ୍ବା ଦର୍ଶନାର୍ଥୀ ରହିପାରିବେ ନାହିଁ । ଦଇତାପତିମାନେ ଶ୍ରୀଅଙ୍ଗ ରକ୍ଷକ ସେବକ ହୋଇଥିବାରୁ ମହାପ୍ରଭୁଙ୍କ ଟାହିଆ ସୁରକ୍ଷା ଦାୟିତ୍ୱ ବହନ କରିଛନ୍ତି । ଶ୍ରୀଜିଉମାନେ ରଥାରୂଢ ହେବାପରେ ଟାହିଆଗୁଡ଼ିକ ଖୋଲାଯିବ । ପହଣ୍ଡି ସମୟରେ ତିନିଠାକୁରଙ୍କ କର୍ଡନ ବାହାରେ ବେଦପାଠୀମାନେ ବେଦପାଠ କରିବେ । ମହାପ୍ରଭୁଙ୍କ ପହଣ୍ଡି ପରେ ପରେ ପୂର୍ବରୁ ଛାଉଁଣି ମଠରେ ରଖାଯାଇଥିବା ଚିତାକୁ ପଟୁଆରରେ ଅଣାଯାଇ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି କରାଯିବ । ଠାକୁରମାନେ ରଥାରୂଢ଼ ହୋଇସାରିବା ପରେ ପ୍ରଥମେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥ ଉପରେ ଚଢ଼ି ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେବାୟତଙ୍କ ବିନା ଅନ୍ୟ କେହି ରଥ ଉପରକୁ ଚଢ଼ିପାରିବେ ନାହିଁ । ପୁରୀ ଓ ଭଟ୍ଟିମୁଣ୍ଡା ଘଣ୍ଟୁଆଙ୍କ ମଧ୍ୟରୁ ତାଳଧ୍ୱଜ ରଥରେ ୨୮ଜଣ, ଦେବଦଳନ ରଥରେ ୨୪ଜଣ ଓ ନନ୍ଦିଘୋଷ ରଥରେ ୩୨ଜଣ ରହିବେ ।

ONA

Leave a Reply

Top