You are here
Home > ବଡ଼ଖବର > ଶୃଂଖଳିତ ହେଲା ଶ୍ରୀମନ୍ଦିରରେ ନୀତି, ଆସନ୍ତାକାଲି ବାହାରିବ ମହାପ୍ରସାଦ!

ଶୃଂଖଳିତ ହେଲା ଶ୍ରୀମନ୍ଦିରରେ ନୀତି, ଆସନ୍ତାକାଲି ବାହାରିବ ମହାପ୍ରସାଦ!

ଭୁବନେଶ୍ବର : ବହୁ ବାଦ ବିବାଦ ପରେ ଶ୍ରୀମନ୍ଦିରରେ ନୀତି ଶୃଂଖଳିତ ହୋଇଛି । ଆସନ୍ତାକାଲି ମହାପ୍ରସାଦ ବାହାରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏନେଇ ଆଜି ସଂଧ୍ୟାରେ ସୁଆର ମହାସୁଆର ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ । ଶ୍ରୀଜୀଉଙ୍କ ନୀତିକାନ୍ତି କିପରି ଶୃଂଖଳିତ ହେବ, ସେ ନେଇ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଏବଂ ସମସ୍ତ ସେବାୟତ ମିଳିତ ଭାବେ ଉଦ୍ୟମ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସେବାୟତ ଏହାକୁ ସ୍ବାଗତ କରିଛନ୍ତି ।
ଶ୍ରୀମନ୍ଦିର ବିବାଦ ନ୍ୟାୟର ମନ୍ଦିରରେ । ଗର୍ଭଗୃହ ଭିତରେ ପ୍ରବେଶ ନିର୍ଦ୍ଦେଶକୁ ବାହାନା କରି ପ୍ରଥମେ ନୀତି ବିଭ୍ରାଟ । ପୁଣି ନିର୍ଦ୍ଦେଶର ସଂଶୋଧନ କରିବା ଲାଗି ହାଇକୋର୍ଟ ଯାଇଥିଲେ ମହାସୁଆର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ । ତେବେ ଶ୍ରୀମନ୍ଦିରର ନୀତିକାନ୍ତି ନେଇ କିଛି ନିର୍ଦେଶ ଦେଇନଥିବା କୋର୍ଟ ସ୍ପଷ୍ଟ କରିଛନ୍ତି । ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନର ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ ରାଜ୍ୟ ସରକାରଙ୍କୁ ଯେଉଁ ସୁପାରିସ କରିଥିଲେ ତାକୁ ହିଁ କାର୍ଯ୍ୟକାରି କରିବାଲାଗି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ସମସ୍ୟା ସମାଧାନ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଏବଂ ସମସ୍ତ ସେବାୟତ ମିଳିତ ଭାବେ ଉଦ୍ୟମ କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ନିର୍ଦ୍ଦେଶ ମୂତାବକ ଗତ ୧୬ ତାରିଖରେ ଜଗମୋହନ ଖୋଲିଦିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଜରିଆରେ ଜଣାଇଛି । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି ସୁଆର ମହାସୁଆର ନିଯୋଗ ।
ନୀତି ବିଭ୍ରାଟ ପ୍ରସଙ୍ଗରେ ମଧ୍ୟ କୋର୍ଟଙ୍କୁ ଅବଗତ କରିଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରସାଦ ବନ୍ଦ ରହିଥିବା କଥା କୁହାଯାଇଛି । ଏହା ସରକାରଙ୍କ ଦାୟିତ୍ବ କହି ଏଥିରେ ହସ୍ତକ୍ଷେପ କରିବାକୁ କୋର୍ଟ ମନାକରିଦେଇଛନ୍ତି । ୪ଦିନର ଅଚାଳବସ୍ଥାପରେ ପରେ କାଲି ମହାପ୍ରସାଦ ମିଳିବା ସମ୍ଭାବନା ସୃଷ୍ଟି ହୋଇଛି । ଗତକାଲି ଭଳି ଆଜି ମଧ୍ୟ ମହାପ୍ରସାଦ ପ୍ରସ୍ତୁତି ହୋଇନାହିଁ । କେବଳ ବିଧି ରକ୍ଷା ଲାଗି ଗୋପାଳବଲ୍ଲଭ ଏବଂ ସକାଳ ଧୂପରେ କୋଠଭୋଗ ପ୍ରସ୍ତୁତ ହେବା ପରେ ସିଂହଦ୍ବାର ନିକଟରେ ଭକ୍ତଙ୍କୁ ପ୍ରସାଦ ମିଳିଛି । ତେବେ ଏଥିରେ ଭକ୍ତ ନିରାଶ ହୋଇଛନ୍ତି ।
କେବଳ ନୀତି ବିଭ୍ରାଟ ନୁହେଁ , ଜଗନ୍ନାଥ ସେନା ଅନ୍ୟ ୩ଟି ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ସବୁ ସେବାୟତଙ୍କୁ ଗର୍ଭଗୃହ ପ୍ରବେଶ ଅନୁମତି, ସାହାଣ ମେଲା ଦର୍ଶନକୁ କାର୍ଯ୍ୟକାରୀ କରିବା ଏବଂ ଶ୍ରୀମନ୍ଦିର ମରାମତି ବେଳେ ମୂଲ୍ୟବାନ ଧାତୁ, ମୁର୍ତ୍ତି ଏବଂ ପଥର ସବୁ ପୂର୍ବଭଳି ସ୍ଥାପନ ପାଇଁ ଏ ଏସ୍ ଆଇ କୁ ନିର୍ଦ୍ଦେଶ ଦେବାଲାଗି ହାଇକୋର୍ଟକୁ ଆବେଦନ କରିଛନ୍ତି ।
ବହୁ ବାଦ ବିବାଦ ପରେ ଶ୍ରୀମନ୍ଦିର ନୀତିରେ ଶୃଂଖଳା ଆସିଛି । ଏପଟେ ଜଗମୋହନରୁ ମହାବାହୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ହଜାର ହଜାର ଜଗନ୍ନାଥପ୍ରେମୀ ଅପେକ୍ଷା କରିଛନ୍ତି କେବେ କାଳିଆଠାକୁର ଛପନ ପଉଟି ଖାଇବେ ଆଉ ସୋମାନେ ଆନନ୍ଦବଜାରରେ ମହାପ୍ରସାଦ ପାଇବେ ।

ONA

Leave a Reply

Top