You are here
Home > ଅଧିକ ଖବର > ରାଇସିନା ହିଲ୍ ପଲଟିକ୍ସ: ଶାହା କରିବେନି ନବୀନଙ୍କୁ ଟାର୍ଗେଟ

ରାଇସିନା ହିଲ୍ ପଲଟିକ୍ସ: ଶାହା କରିବେନି ନବୀନଙ୍କୁ ଟାର୍ଗେଟ

ଶକ୍ତି ପ୍ରକାଶ ନନ୍ଦ :-

ବଦଳିଛି ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଷ୍ଟ୍ରାଟେଜୀ। ଆଉ ବଦଳିଛି ତାଙ୍କ ଓଡିଶା ଗସ୍ତ ସୂଚୀ।ଜୁନ ୨୨ରେ ନୁହେଁ ଜୁଲାଇ ୪ରେ ସେ ଓଡିଶା ଆସିବେ। ହେଲେ ନବୀନଙ୍କୁ ସେପରି ଟାର୍ଗେଟ କରିବେ ନାହିଁ। ବରଂ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କ ସମର୍ଥନ ଗୋଟାଇବାକୁ ଉଦ୍ୟମ କରିବେ। ଏହା ଶାହା ସାହେବଙ୍କ ଗସ୍ତ ସୂଚୀ ପରିବର୍ତ୍ତନ ପଛର ରହସ୍ୟ ବୋଲି ଚର୍ଚ୍ଚା ହେଉଛି।
ଭୁବନେଶ୍ୱର: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାକୁ ନେଇ ନାନା କଳ୍ପନାଜଳ୍ପନା। ସବୁବେଳେ ରାଜନୈତିକ ପଣ୍ଡିତମାନଙ୍କୁ ଚକମା ଦେଇ ଆସୁଥିବା ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟକୁ ନେଇ ସମସ୍ତେ ସନ୍ଦିହାନ।ଗୁଡସ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ(ଜିଏସଟି) ଲାଗୁ କରି ନିଜକୁ ଦେଶର ଗ୍ରହଣୀୟ ନେତା ବୋଲି ଦେଖାଇବାକୁ ମୋଦି ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ସେଥିରେ ଷ୍ଟାମ୍ପ ମାରିବ ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଗୋଟି ଚଳାଉଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନିଜ ପକ୍ଷକୁ ଆଣିବାରେ ସକ୍ଷମ ହେଲେଣି।କେବଳ୍ର ଜେଡିୟୁ ନୁହେଁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ତାମିଲୁନାଡୁର ଶାସକ ଦଳ ଏଆଇଡିଏମକେର ସମର୍ଥନ ଗୋଟାଇବାରେ ମୋଦିଙ୍କୁ ବିଶେଷ କିଛି ଅସୁବିଧା ହେବନାହିଁ। ଏହାରି ଭିତରେ ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ ଲାଗି ସୋନିଆ ଗାନ୍ଧିଙ୍କୁ ଭେଟିଲେଣି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭେଙ୍କୟା ନାଇଡୁ।ତେବେ ଓଡିଶା ସରକାରଙ୍କ ସମର୍ଥନ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିବା ସହ ନିଜ ରଣନୀତି ପରିବର୍ତ୍ତନ କରିଛି।
  ଶୁଣିବାକୁ ମିଳୁଛି ବିଜେଡିର ସମର୍ଥନ ପାଇବା ଲାଗି ଅମିତ ଶାହା ତାଙ୍କର ଓଡିଶା ଗସ୍ତରେ ପରିବର୍ତ୍ତନ ଆଣିଛନ୍ତି।“ମୋ ବୁଥ୍ ସବୁଠୁ ମଜଭୁତ”କାର୍ୟ୍ୟକ୍ରମରେ ସାମିଲ ହେବା ଲାଗି ଜୁନ ୨୨ରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ୩ଦିନିଆ ଓଡିଶା ଗସ୍ତରେ ଆସିଥାନ୍ତେ। କିନ୍ତୁ ଗସ୍ତସୂଚୀ ପରିବର୍ତ୍ତନ କରାଯାଇଥିବାରୁ ଆଗାମୀ ଜୁଲାଇ ୪ରେ ତିନି ଦିନିଆ ଓଡିଶା ଆସିବେ ଶାହା। ଜୁନ ମାସ ଶାହାଙ୍କ ଗସ୍ତ କାର୍ୟ୍ୟକ୍ରମରେ ବିଜେପି ସଂଗଠନ ସୁଦୃଢ ଖସଡା ଗୁରୁତ୍ୱ ବହନ କରୁଥିଲା। କିନ୍ତୁ ଜୁଲାଇ ୪ ତାରିଖ ଓଡିଶା ଗସ୍ତରେ ଆସି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଲାଗି ବିଜେଡି ସମର୍ଥନ ଗୋଟାଇବା ପାଇଁ ଅମିତ ଶାହା ପ୍ରାଥମିକତା ଦେବେ ବୋଲି ଶୁଣିବାକୁ ମିଳୁଛି। ଆଉ ନରେନ୍ଦ୍ର ମୋଦି, ନବୀନଙ୍କ ସର୍ପୋଟ୍ ପାଇବା ଲାଗି ପୂର୍ବରୁ ଜେଟଲୀ ଓ ଗଡକରୀଙ୍କୁ କାମରେ ମଧ୍ୟ ଲଗାଇଥିଲେ ବୋଲି କୁହାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ଏବଂ ନବୀନ ନିବାସରେ ଲଞ୍ଚ୍ କରିବା ମୋଦିଙ୍କ ଗେମ୍ ପ୍ଲାନର ଅଂଶବିଶେଷ ଥିଲା। ସେହିପରି ଆରଏସଏସର ଅତି ବିଶ୍ୱସ୍ତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସୂଚାଉଛି ଯେ, ବିଜେପି-ବିଜେଡିର ସମ୍ପର୍କ ଆଜି ବି ଅତୁଟ। ଆଉ ୧୯୯୭ରୁ ୨୦୦୯ ପର୍ୟ୍ୟନ୍ତ ଓଡ଼ିଶାରେ ଚାଲିଥିବା କଂଗ୍ରେସ ବିରୋଧୀ ମହାମଞ୍ଚର ପୁନଃମଞ୍ଚସ୍ଥ ହେବାକୁ ଯାଉଛି। ସେହିପରି ଗତ ଦୁଇ ମାସର ହାଲଚାଲ  ସୂଚାଉଛି ଉଚ୍ଚସ୍ତରରେ ବିଜେପି-ବିଜେଡି ମଧ୍ୟରେ ଦୂରତ୍ୱ କମିଛି। କେନ୍ଦ୍ର ରାଜସ୍ୱ ସଚିବ ହସମୁଖ ଆଧିଆ ଜିଏସ୍ଟି ଓ ବିମୁଦ୍ରୀକରଣ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବା ଏହା ସ୍ପଷ୍ଟ କରୁଛି ଯେ ମୋଦି, ନବୀନ ବିରୋଧୀ ନୁହନ୍ତି।ବିମୁଦ୍ରୀକରଣର ମାଷ୍ଟରମାଇଣ୍ଡ ଗୁଜରାଟ କ୍ୟାଡର ଆଇଏଏସ୍ ହସମୁଖ ଆଧିଆ ମୋଦିଙ୍କ ଆଖିକାନ। ଆଧିଆଙ୍କ ନବୀନଙ୍କୁ ସାର୍ଟିଫିକେଟ୍ ପ୍ରଦାନ ଇଙ୍ଗିତ ଦେଇଛି ଯେ, ନବୀନଙ୍କ ସହ କେନ୍ଦ୍ର ସରକାରଙ୍କ ଭିତିରି ସମ୍ପର୍କ ବହୁତ ଭଲ। ସେହିପରି  ମୋଦିଙ୍କର ଆଖିକାନ ପିଏମ୍ଓର ଅତିରିକ୍ତ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ମେ’ ମାସରେ ଓଡ଼ିଶା ଗସ୍ତ ବିଜେଡି-ବିଜେପି ସମ୍ପର୍କ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏବେ ରାଷ୍ଟ୍ରପତି ନିର୍ବାଚନ କେନ୍ଦ୍ର ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କୟା ନାଇଡୁ ମଧ୍ୟ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ। ପ୍ରମୋଦ ମହାଜନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଜେଡି-ବିଜେପି ସମ୍ପର୍କକୁ ଆଗେଇ ନେବେ ଅମିତ ଶାହା । ତେଣୁ ଅମିତ ଶାହାଙ୍କ ଜୁଲାଇ ଗସ୍ତ ବିଜେଡି-ବିଜେପିର ସମ୍ପର୍କକୁ ପୁନଃଜୀବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେଥିପାଇଁ ୨୦୧୬ ନଭେମ୍ବର ୨୫ରେ ଜନଜାଗରଣ ସମାବେଶରେ ଆଟାକିଂ ଷ୍ଟାଇଲକୁ ପୁନରାବୃତ୍ତି କରିବା ମୁଡରେ ନାହାନ୍ତି ଅମିତ ଶାହା। ଯାହାର ସୁରାକ ଏଯାଏଁ ପାଇନି ଓଡ଼ିଶା ବିଜେପି । ଯଦିଓ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏହାର ଆଭାସ ପାଇଛନ୍ତି, ହେଲେ ସେମାନେ ଚୁପ୍ । କାରଣ ଏସବୁ ଗୋଟି ଚାଳନା ପଛରେ ରହିଛି ୨୦୧୯ରେ ସାଧାରଣ ନିର୍ବାଚନ। ୨୦୧୯ରେ କେନ୍ଦ୍ରରେ ପୁନର୍ବାର ସରକାରକୁ ଆସିବା ପାଇଁ ନବୀନଙ୍କ ସମର୍ଥନ ବିଜେପିକୁ ଦରକାର ପଡିପାରେ । ସେହିପରି ପଞ୍ଚମଥର ମୁଖ୍ୟମନ୍ତ୍ରୀ ହେବା ଲାଗି ବିଜେଡିକୁ ପଡିପାରେ ବିଜେପିର ସମର୍ଥନ । ଏଥିପାଇଁ ଉଭୟେ ଏବେଠାରୁ ବୁଝାମଣା ସ୍ଥିତିକୁ ଆସିଗଲେଣି । ଯଦିଓ ଜନଜାଗରଣ ସମାବେଶରେ ନବୀନ ସରକାରକୁ ଉପାଡି ଫିଙ୍ଗିବାକୁ ଶାହା ବିଜେପି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ହେଲେ ପଞ୍ଚାୟତ ନିର୍ବାଚନର ଫଳାଫଳ ପରେ ନବୀନ, ଅମିତ ଶାହାଙ୍କ ପୂରା ଫିଲ୍ମ ନଦେଖି ମାନସିକ ସ୍ତରରେ ବିଜେପି ସାଙ୍ଗରେ ବୁଝାମଣା କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି। ଯାହାର ଝଲକ ଶାହାଙ୍କ ଆଗାମୀ ଓଡ଼ିଶା ଗସ୍ତରୁ ଦେଖିବାକୁ ମିଳିବ। ମୋ ବୁଥ ସବୁଠୁ ମଜଭୁତ କାର୍ୟ୍ୟକ୍ରମରେ ଯଦିଓ ଶାହା ଯୋଗ ଦେବେ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବେ ନାହିଁ ବୋଲି ଦିଲ୍ଲୀରେ ଆଲୋଚନା ଚାଲିଛି। ତେବେ ଅମିତ-ନବୀନଙ୍କ ବୁଝାମଣାରେ ବୁଥ୍ ତାର ଗୁରୁତ୍ୱ ହରାଇଥିବା ବେଳେ ରାଇସିନା ହିଲ ରେସର ମହତ୍ୱ ବଢ଼ିଛି।

ONA

Leave a Reply

Top