You are here
Home > ଅଧିକ ଖବର > ମିଡିଆ ସହ ବି ରାଜନୀତି: ଡିଭାଇଡ୍ ଆଣ୍ଡ ରୁଲ୍ ଫର୍ମୁଲାରେ ବିଜେଡି ମୁଖପାତ୍ର

ମିଡିଆ ସହ ବି ରାଜନୀତି: ଡିଭାଇଡ୍ ଆଣ୍ଡ ରୁଲ୍ ଫର୍ମୁଲାରେ ବିଜେଡି ମୁଖପାତ୍ର

ବିନୟ ବରାଳ

ବିଜୁ ଜନତା ଦଳର ପାୱାର କରିଡରର ବଡ ନାଁ ହେଉଛନ୍ତି ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ସିପାହୀ ପ୍ରତାପ ଦଳର ମୁଖ୍ୟ ମୁଖପାତ୍ର। ବିରୋଧୀଙ୍କ ଯେଉଁ ପରି ବି ପ୍ରଶ୍ନ ବାଣ ହେଉ, ବିଜେଡି ପାଇଁ ତୁଣ୍ଡ ଦ୍ୱାରା ଢାଲ ସାଜନ୍ତି ପ୍ରତାପ। କେନ୍ଦ୍ରାପଡା ଜିଲ୍ଲା ଆଳି ରାଜ ପରିବାର ଟିକାୟତ ପ୍ରତାପ ଦେବଙ୍କ ମିଡିଆ ଓ ସୋସିଆଲ ମିଡିଆରେ ପ୍ରତାପଙ୍କ କ୍ରେଜ ଅଧିକ। ତେବେ ରାଜା ହୋଇ ନପାରିଲେ ହେଲେ କଣ ହେବ, ଭୋଟରଙ୍କୁ କିପରି ଭାଗ କରି ଶାସନ କରାଯାଏ ସେସବୁ ଆଳି ଟିକାୟତ ପ୍ରତାପ କେଶରୀ ଦେବଙ୍କୁ ଭଲ ଭାବରେ ଜଣା। ସେଥିପାଇଁ ଓଡିଶାରେ ଗଣମାଧ୍ୟମକୁ ଦି-ଭାଗ କରି ଦୁର୍ବଳ କରି ବିଜେଡି ସରକାରକୁ ସମାଲୋଚନାରୁ ବର୍ତ୍ତାଉଛନ୍ତି ପ୍ରତାପ।

            ବର୍ଷେ ତଳେ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ହାଟସ୍ଆପ ଗ୍ରୁପ କରିଥିଲେ। ଏହାର ନାଁ ଦିଆଯାଇଥିଲା ବିଜେଡି ରିପୋର୍ଟର ଲିଙ୍କ। ଯେଉଁଥିରେ କେବଳ ବିଜେଡି କାର୍ଯ୍ୟକ୍ରମ ସଂପର୍କିତ ଖବର ମିଳିବ। ବିଜେଡି କାର୍ଯ୍ୟାଳୟ ଲେଟର ହେଡରେ ଏହି ଖବର ବିଜୟ ନାୟକଙ୍କ ହସ୍ତାକ୍ଷରରେ ଆସେ। ରିପୋର୍ଟରଙ୍କ ଠାରୁ ଆରମ୍ଭ କରି ମିଡିଆ ମୁଖ୍ୟମାନେ ସେହି ହାଟସ୍ଆପ ଗ୍ରୁପରେ ମେମ୍ବର ଅଛନ୍ତି। ଫଳରେ ଏହି ଗ୍ରୁପରେ ମେମ୍ବର ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧି ବିଜେଡି ଖବର ଏକା ସମୟରେ ପାଆନ୍ତି। ହେଲେ ପ୍ରତାପ ଦେବଙ୍କ ଯୋଗୁ ଏହି ଗ୍ରୁପରେ ବିଭ୍ରାଟ ସୃଷ୍ଟି ହୋଇଛି। କାରଣ ଏବେ ଏହି ଗ୍ରୁପକୁ ବିଳମ୍ବରେ ଖବର ଆସୁଛି। କାରଣ ବିଜେଡି ସମ୍ପର୍କିତ ଖବର ପ୍ରଥମେ ପ୍ରତାପ ବାବୁଙ୍କ ଖାସ ଲୋକଙ୍କୁ ଜଣା ଯାଉଛି। କିଛି ନିର୍ଦ୍ଦିଷ୍ଟ ମିଡିଆ ବନ୍ଧୁଙ୍କୁ ପ୍ରତାପ ଦେବ ବିଜେଡି କାର୍ଯ୍ୟାଳୟ ଲେଟର ହେଡରେ ଖବର ପ୍ରଥମେ ପଠାଇ ଦେଉଛନ୍ତି।

            ଯେମିତି ୧୮ଜୁନ୍, ୨୦୧୭ର କଥା। ସେହିଦିନ ଚୋର ଉପାଖ୍ୟାନର ପ୍ରବକ୍ତା ସାଂସଦ ତଥାଗତ ସତପଥୀ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର କରିବା ଲାଗି ଉଭୟଙ୍କୁ ନବୀନଙ୍କ ପାଖକୁ ନେଇ କରି ଗଲେ ପ୍ରତାପ। ହେଲେ ସେହି ଖବର ଦେଲେ ଗୋଟାଏ ଟିଭି ଚ୍ୟାନେଲକୁ। ତାହା ପୁଣି ବିଜେଡିରେ ରହି ବିଜେଡିକୁ ସମାଲୋଚନା କରୁଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କର ଘରୋଇ ଟିଭି ଚ୍ୟାନେଲକୁ । ସେହିପରି ୧୯ ଜୁନ, ୨୦୧୭ । ବିଜେଡିରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ନବୀନ ନିବାସରୁ ଡକରା ଆସିଲା। ତାହା ସହ କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସଙ୍କୁ ବି ସେହି ଦିନ ନବୀନ ନିବାସରୁ ଡାକରା ଆସିଥିଲା। ସୁଲୋଚନା ଯାଇଥିଲେ ପ୍ରତାପଙ୍କ ବ୍ୟକ୍ତିଗତ ଗାଡିରେ। ସେହି ଦୁଇଟି ଖବର ପୁଣି ଥରେ ପ୍ରଥମେ ଦିଆଗଲା କେବଳ ବୈଜୟନ୍ତଙ୍କ ଟିଭି ଚ୍ୟାନେଲକୁ।

କେବଳ ଏତିକି ନୁହେଁ। ସବୁବେଳେ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଉଥିବା କଂଗ୍ରେସର ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଇଷ୍ଟର୍ଣ୍ଣ ମିଡିଆକୁ ପ୍ରଥମେ ଖବର ପ୍ରତାପ ବାବୁ ଖବର ଦେଉଥିବାର ଶୁଣିବାକୁ ମିଳୁଛି। ହେଲେ ପ୍ରତାପଙ୍କ ଏପରି ଆଚରଣ ଯୋଗୁ ବିଜେଡି ରିପୋର୍ଟର ଲିଙ୍କ ହାଟସ୍ଅପ ଗ୍ରୁପ୍ ମ୍ୟାନେଜ କରୁଥିବା ବିଜୟ ନାୟକଙ୍କୁ ନିନ୍ଦା ଓ ଅପବାଦ ସହିବାକୁ ପଡୁଛି।କାରଣ ମିଡିଆରେ ଚର୍ଚ୍ଚା ଯେ ବିଜୟ ନାୟକ ସେହି ଖବର ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଆଗକୁ ଦେଉଛନ୍ତି। କାରଣ ପ୍ରତାପ ଦେବ ଯେଉଁମାନଙ୍କୁ ବି ଖବରର ଫଟୋକପି ଇ-ମେଲ କିମ୍ବା ହ୍ୱାଟସଆପ୍ କରୁଛନ୍ତି, ତଳେ ରହୁଛି ବିଜୟ ନାୟକଙ୍କ ଦସ୍ତଖତ। ପ୍ରତାପଙ୍କ ପାଇଁ ଅନେକ ରିପୋର୍ଟରଙ୍କୁ କ୍ଷମା ମାଗି ମାଗି ଥକି ଗଲେଣି ବିଜୟ। ଯେତେ ରାଗିଲେ ବି ନବୀନଙ୍କ ଗେହ୍ଲା ପୁଅଙ୍କ ବିରୋଧରେ ସ୍ୱର ଉଠାଇବାକୁ ବିଜୟଙ୍କ ସାହସ ନାହିଁ। ସେ ଜାଣିଛନ୍ତି ୨୦୧୯ ନିର୍ବାଚନ ପାଇଁ ପ୍ରତାପଙ୍କ ଆଶୀର୍ବାଦ ଏକାନ୍ତ ଆବଶ୍ୟକ।ନିଜ ନିର୍ବାଚନମଣ୍ଡଳୀ ଯାଜପୁର ଜିଲ୍ଲା ବରିରୁ ନହେଲେ ବି କାଳେ ଉତ୍ତର ଭୁବନେଶ୍ୱରରୁ ବିଜେଡି ଟିକେଟ ମିଳିପାରେ। ଏଥିପାଇଁ ପ୍ରତାପଙ୍କ ଉପରେ ରାଗିଲେ ବି ପାନ ଚୋବାଇ ହସୁଛନ୍ତି ବିଜୟ।

ଅନ୍ୟପଟେ ଏହା ସତ ଯେ ନବୀନ ଯେତେ ବୈଜୟନ୍ତଙ୍କ ଉପରେ ବିରକ୍ତ, ପ୍ରତାପ ଓ ବୈଜୟନ୍ତଙ୍କ ସଂପର୍କ ସେତେ ଶକ୍ତ। ଉଭୟଙ୍କର କେନ୍ଦ୍ରାପଡା ମହାମଳିନ ଯୋଗୁ ମିଡିଆ ବନ୍ଧୁଙ୍କ ଭିତରେ ଫାଟ ସୃଷ୍ଟି କରୁଛନ୍ତି ପ୍ରତାପ। ଅବଶ୍ୟ ଅତନୁ ସବ୍ୟସାଚୀ ନାୟକଙ୍କୁ ନେଇ ଟେନସନରେ ଅଛନ୍ତି ଟିକାୟତ ପ୍ରତାପ। ଶୁଣାଯାଉଛି ଆଳିର କଂଗ୍ରେସ ବିଧାୟକ ଦେବେନ୍ଦ୍ରନାଥ ଶର୍ମାଙ୍କୁ ବିଜେଡିରେ ମିଶାଇବାକୁ ଅତନୁ ଉଦ୍ୟମ ଚଳାଇଛନ୍ତି। ଦେବେନ୍ଦ୍ରଙ୍କୁ ବିଜେଡି ଟିକେଟ୍ ଦେଇ ବୈଜୟନ୍ତଙ୍କ ବନ୍ଧୁ ପ୍ରତାପ ଦେବଙ୍କୁ ଆଳିରୁ ଆଉଟ୍ କରିବା ଯୋଜନାରେ ଅତନୁ ଅଛନ୍ତି। ସେଥିପାଇଁ ପ୍ରତାପ ନବୀନଙ୍କ ଆଗରେ ନିଜର ଗୁରୁତ୍ୱ ବଢାଇ ରଖିବାକୁ ମିଡିଆକୁ ମାଧ୍ୟମ କରିଛନ୍ତି। କିନ୍ତୁ ନିଜର ଫାଇଦା ଲାଗି ପ୍ରତାପ ମିଡିଆକୁ ଭାଗ-ଭାଗ କରୁଛନ୍ତି। ପ୍ରତାପ ଭୁଲିବା କଥା ନୁହେଁ, ଦିନେ ମିଡିଆର କଣ୍ଠରୋଧ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ୧୯୭୭ରେ ଗଣମାଧ୍ୟମ ହିଁ ଗାଦିଚ୍ୟୁତ କରିଥିଲା। 

ONA

Leave a Reply

Top