You are here
Home > ବଡ଼ଖବର > ମହାନଦୀ ପ୍ରସଙ୍ଗରେ ନବୀନଙ୍କୁ ପାଲଟା ଆକ୍ରମଣ : ସମସ୍ୟା ସମାଧାନ ଲାଗି ନୁହେଁ,  ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି ମୁଖ୍ୟମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ

ମହାନଦୀ ପ୍ରସଙ୍ଗରେ ନବୀନଙ୍କୁ ପାଲଟା ଆକ୍ରମଣ : ସମସ୍ୟା ସମାଧାନ ଲାଗି ନୁହେଁ,  ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି ମୁଖ୍ୟମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  : ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରି ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ  ମହାନଦୀ  ଜଳ ସମସ୍ୟାର ସମାଧାନ ନା ରାଜ୍ୟର ସାଧାରଣ ଜନତାଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ଚେଷ୍ଟା କରୁଛନ୍ତି ତା’ର ଉତର ମୁଖ୍ୟମନ୍ତ୍ରୀ  ନିଜେ ହିଁ ଦେଇପାରିବେ ବୋଲି ଏହି ଟ୍ୱିଟରେ କହିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ମହାନଦୀ ଓଡ଼ିଶାର ଜୀବନ ରେଖା। ମହାନଦୀର ପାଣି ପିଢି ପରେ ପିଢି ଅବାରିତ ଭାବରେ ଓଡ଼ିଶାରେ ପ୍ରବାହିତ ହେଉ ଏହା ସୁନିଶ୍ଚିତ କରିବାକୁ ହିଁ ପଡ଼ିବ। ଲୋକ ଭୋଟ ଦେଇଛନ୍ତି ଜନ ସମସ୍ୟାର ସମାଧାନ କରିବା ପାଇଁ  । ରାଜନୈତିକ ଦଳ ଭାବେ ବିଜେଡ଼ି ଆନ୍ଦୋଳନ କରିବା ଅଧିକାର ଉପରେ ସେ ପ୍ରଶ୍ନ ଉଠାଇବାକୁ ଚାହୁଁନାହାନ୍ତି ବୋଲି ସେ କହିଛନ୍ତି । ମାତ୍ର ଟ୍ରିବ୍ୟୁନାଲ ଓ ଆଇନଗତ ପଦକ୍ଷେପ ସହ ଏହି ପ୍ରକ୍ରିୟା ଲମ୍ବା ସମୟ ଚାଲିବାର ଆଶଙ୍କା ଦୃଷ୍ଟିରୁ ଚୁଡ଼ାନ୍ତ ରାୟ ପୂର୍ବରୁ ଆପୋଷ କଥା ବାର୍ତାର ରାସ୍ତା ଖୋଲା ନରଖିଲେ ଓଡ଼ିଶା ଚାଷୀଭାଇଙ୍କର ଲାଭ କ୍ଷତି ନେଇ ରାଜ୍ୟ ସରକାରଙ୍କୁ ଗୁରୁତ୍ୱର ସହ ବିଚାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି  ।

ହୀରାକୁଦ ତଳମୁଣ୍ଡରେ ଖରାଦିନେ ପାଣି ସଂରକ୍ଷଣ ବ୍ୟବସ୍ଥା ତିଆରି କରାଯାଇଥିଲେ ମଧ୍ୟ ଓଡ଼ିଶାର ଅନେକ ଜିଲ୍ଲାରେ ଜଳସେଚନ ଓ ପାନୀୟଜଳ ସମସ୍ୟା ଆଜି ଦିନରେ ନଥାନ୍ତା ବୋଲି ସେ କହିଛନ୍ତି। ସରକାରୀ ତଥ୍ୟ  ଅନୁସାରେ ବିନା ବ୍ୟବହାରରେ ମହାନଦୀର ଅଧେରୁ ଅଧିକ ଜଳ ସମୁଦ୍ରକୁ ବହିଯାଉଛି ବୋଲି ସେ ତାଙ୍କ ଟ୍ୱଟ୍ ରେ ଉଲ୍ଲେଖ କରିଛନ୍ତି । ବିଳମ୍ବରେ ହେଲେ ବି ରାଜ୍ୟସରକାର କିଛି ନୂଆ ପ୍ରକଳ୍ପ ନିର୍ମାଣ କରି ଜଳ ସଂରକ୍ଷଣ କଥା ଘୋଷଣା କରିଛନ୍ତି।  ତୁରନ୍ତ ଏହି ପ୍ରକଳ୍ପ କ୍ରିୟାନ୍ୱିତ କରାଗଲେ ଓଡ଼ିଶାର ପାଣି ସମସ୍ୟା ସମାଧାନ କରିବାରେ ସହାୟକ ହେବ। ମାତ୍ର ରାଜ୍ୟ ସରକାର ମହାନଦୀର ଜଳ ସଂରକ୍ଷଣ ପାଇଁ ଯୋଜନା ଓ କ୍ରିୟାନୟନ ବହୁ ବିଳମ୍ବିତ ହୋଇଛି ଏହା ମାନିବାକୁ ପଡ଼ିବ ବୋଲି ସେ ତାଙ୍କ ଟ୍ୱିଟ୍ ରେ କହିଛନ୍ତି।

ଓଡ଼ିଶାର ପ୍ରାୟ ୯୦ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଦେବା ପାଇଁ ଗତ ୪ଟି ନିର୍ବାଚନର କିଏ ପ୍ରତିଶ୍ରୁତି ଦେଇଥିଲା ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଥରେ ନିଜକୁ ପ୍ରଶ୍ନ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ ରେ କହିଛନ୍ତି। ମହାନଦୀ ସମେତ ରାଜ୍ୟର ଅନ୍ୟାନ୍ୟ ନଦୀ ଅବବାହିକା ଗୁଡ଼ିକରେ କାହିଁକି ଜଳସେଚନ ସୁବିଧା ନଗଣ୍ୟ ସ୍ଥିତିରେ ଅଛି ସେଥିପାଇଁ ରାଜ୍ୟ ସରକାରଙ୍କୁ ଉତରଦାୟୀ ରହିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ONA

Leave a Reply

Top