You are here
Home > ଲାଟେଷ୍ଟ > ବଢ଼ି ଚାଲିଛି ତେଲ ଦର :  ଡିଜେଲରେ ଟପ୍‌ରେ ଭୁବନେଶ୍ବର, ମୁମ୍ବାଇରେ ପେଟ୍ରୋଲ ଦାମ ସର୍ବାଧିକ

ବଢ଼ି ଚାଲିଛି ତେଲ ଦର :  ଡିଜେଲରେ ଟପ୍‌ରେ ଭୁବନେଶ୍ବର, ମୁମ୍ବାଇରେ ପେଟ୍ରୋଲ ଦାମ ସର୍ବାଧିକ

ଭୁବନେଶ୍ୱର : ନିଇତି ବଢ଼ି ଚାଲିଛି ତେଲ ଦର । ଲଗାତାର ୧୨ ଦିନ ହେଲା ବଢିବାରେ ଲାଗିଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ । ଆଜି ପେଟ୍ରୋଲ୍ ଦାମରେ ଲିଟର ପିଛା ସର୍ବାଧିକ ୩୬ ପଇସା ବଢ଼ିଥିବା ବେଳେ ଡିଜେଲ୍ ବଢିଛି ସର୍ବାଧିକ ୨୪ ପଇସା । ପେଟ୍ରୋଲ ପାଇଁ ମୁମ୍ବାଇ ଟପରେ ଥିବା ବେଳେ ଡିଜେଲରେ ଟପ୍‌ରେ ଅଛି ଭୁବନେଶ୍ବର ।

ଦେଶ ସାରା ହୋ-ହ୍ଲାଲା । ସମସ୍ତେ ତ୍ରାହି ତ୍ରାହି ଡାକିଲେଣି । ହେଲେ ସରକାର କେବଳ କଥା କହୁଛନ୍ତି,  କାମ ଘର ଶୂନ । କମିବା ନାଁ ଧରୁନି ପେଟ୍ରୋଲ୍ ଓ ଡିଜେଲ୍ ଦାମ । ଲଗାତାର ୧୨ ଦିନ ହେଲା ତେଲ ଦର ବଢୁଛି ଯେ ବଢୁଛି । ଆଜି ପେଟ୍ରୋଲ୍ ଦାମ୍ ଲିଟର ପିଛା ସର୍ବାଧିକ ୩୬ ପଇସା ବଢ଼ିଥିବା ବେଳେ ଡିଜେଲ୍ ବଢ଼ିଛି ୨୪ ପଇସା । ଆଉ ପେଟ୍ରୋଲରେ ମୁମ୍ବାଇ ତ ଡିଜେଲରେ ଭୁବନେଶ୍ବର ଟପ୍ । ଭୁବନେଶ୍ବରରେ ପେଟ୍ରୋଲ୍ ଦାମ ଆଜି ଲିଟର ପିଛା ୭୬ ଟଙ୍କା ୬୪ ପଇସା ଥିବା ବେଳେ ଡିଜେଲ୍ ରହିଛି ୭୩ ଟଙ୍କା ୭୦ ପଇସା । ସେହିଭଳି ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ୮୫ ଟଙ୍କା ୬୫ ଏବଂ ଡିଜେଲ୍ ୭୩ ଟଙ୍କା ୨୦ ପଇସା ରହିଛି ।

ତେଲ ଦାମକୁ ନେଇ ସାରା ଦେଶ ତ୍ରାହି ତ୍ରାହି ଡାକୁଥିବା ବେଳେ ସରକାର ଖାଲି ଭାଷଣ ମାରି ଚାଲିଛନ୍ତି । ଅନ୍ତର୍ଜାତୀୟ ମାର୍କେଟରେ ଅଶୋଦିତ ତୈଳ କଥା କହି ସରକାର ଚିନ୍ତିତ, ସମାଧାନର ବାଟ ଖୋଜୁଛନ୍ତି ବୋଲି କହୁଛନ୍ତି ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି ତେଲ ଦାମକୁ ଦେଶର ବିକାଶ ସହ ଯୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଏବଂ ରବିଶଙ୍କର ପ୍ରସାଦ । କିନ୍ତୁ ଦୈନିକ ଖାଉଟିଙ୍କ ଉପରେ ମାଡ଼ ପରେ ମାଡ଼ ବସୁଛି । ୧୨ ଦିନରେ ପେଟ୍ରୋଲ୍ ଦାମ ଲିଟର ପିଛା ୧୧ ଟଙ୍କା ୨ ପଇସା ବଢ଼ିଥିବା ବେଳେ ଡିଜେଲ୍ ବଢ଼ିଲାଣି ୭ ଟଙ୍କା ୨୭ ପଇସା । ଯାହା ପରୋକ୍ଷରେ ଅନ୍ୟ ସାମଗ୍ରୀର ଦାମବୃଦ୍ଧି ସୂଚନା ଦେଲାଣି ।

ଏବେ ଅଶୋଧିତ ତୈଳ ଦାମ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ୍ ପିଛା ରହିଛି ୭୭.୧୨ ଆମେରିକୀୟ ଡଲାର୍ ଯାହାକି ଗତକାଲି ଠାରୁ ୧.୭୧ ଡଲାର୍ କମ୍ । କିନ୍ତୁ ଭାରତରେ ବଢ଼ିଛି । ୨୦୧୩ରେ ଯେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୮ରୁ ୧୧୫ ଡଲାର୍ ମଦ୍ୟରେ ଥିଲା ସେତେବେଳେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ଥିଲା ୭୬ ଟଙ୍କା । କିନ୍ତୁ ଆଜି ଅଶୋଧିତ ତୈଳ ଦର ୭୭.୧୨ ଡଲାର୍ ଥିବା ବେଳେ ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୭୭ ଟଙ୍କା ୮୩ ପଇସା ଏବଂ ଡିଜେଲ୍ ଦାମ୍ ୬୮ ଟଙ୍କା ୭୫ ପଇସା ରହିଛି ।

ONA

Leave a Reply

Top