You are here
Home > ପଲିଟିକ୍ସ > ଘୋଷିତ ସହାୟକ ମୂଲ୍ୟରୁ ଚାଷୀ ଉପକୃତ ହେବାନେଇ ସନ୍ଦେହ ରହିଛି: ନିରଞ୍ଜନ

ଘୋଷିତ ସହାୟକ ମୂଲ୍ୟରୁ ଚାଷୀ ଉପକୃତ ହେବାନେଇ ସନ୍ଦେହ ରହିଛି: ନିରଞ୍ଜନ

ଭୁବନେଶ୍ୱର : କେନ୍ଦ୍ର ସରକାର ପ୍ରାୟ ଏକମାସରୁ ଅଧିକ ବିଳମ୍ବରେ କୃଷି ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି) ଘୋଷଣା କଲେ । ବିଭିନ୍ନ ଉତ୍ପାଦ ପାଇଁ ଏମଏସ୍ପି ଘୋଷଣା କରାଯାଇଥିଲେ ମଧ୍ୟ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଭଳି ସରକାରୀ ସଂସ୍ଥା କେବଳ ଧାନ ଓ ଗହମ ସଂଗ୍ରହ କରିଥାନ୍ତି । ବାକିତକ ଚାଷୀ ଖୋଲା ବଜାରରେ ବିକ୍ରି କରନ୍ତି । ତେଣୁ ସରକାରୀ ସ୍ତରରେ ଧାର୍ଯ୍ୟ ଦର କେବଳ ଧାନ ଓ ଗହମ ପାଇଁ ଚାଷୀଙ୍କୁ ମିଳିବା କଥା । କିନ୍ତୁ ତାହା ମିଳିବା ନେଇ ସନ୍ଦେହ ରହିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଶ୍ରୀ ପଟ୍ଟନାୟକ ଏକ ବିବୃତିରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନ କୁଇଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି) ୨୦୦ ଟଙ୍କା ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ ଯେ ଚାଷୀଙ୍କୁ ସେମାନଙ୍କର ଫସଲ ଉତ୍ପାଦନ ନିମନ୍ତେ ହେଉଥିବା ଖର୍ଚ୍ଚର ଦେଢଗୁଣା ପ୍ରଦାନ କରାଯିବ । ତେବେ ଚଳିତ ବର୍ଷ ୨୦୦ ଟଙ୍କା ବର୍ଦ୍ଧିତ ଏମଏସ୍ପି ପ୍ରଦାନ ପରେ ମଧ୍ୟ ଚାଷୀ ତାହାର ଉତ୍ପାଦନ ଖର୍ଚ୍ଚ ତୁଳନାରେ ଧାନ କୁଇଂଟାଲ ପିଛା ପାଖାପାଖି ୬୦୦ ଟଙ୍କା କ୍ଷତି ସହିବ । ତାହାସହିତ ଦେଶରେ ଉତ୍ପାଦିତ ସମସ୍ତ ଖାଦ୍ୟଶସ୍ୟ ସରକାରୀ ସ୍ତରରେ ମହଜୁଦ ରଖିବାକୁ ଗୋଦାମ ଘର ନାହିଁ । ତେଣୁ କେନ୍ଦ୍ର ସରକାର ଯେତିକି ବି ସହାୟକ ମୂଲ୍ୟ ଘୋଷଣା କରିଛନ୍ତି ସେଥିରୁ ସମସ୍ତ ଚାଷୀ ଉପକୃତ ହୋଇପାରିବେ ନାହିଁ ।
ଏକ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୧୦-୧୧ରୁ ୨୦୧୪-୧୫ ପର୍ଯ୍ୟନ୍ତ ଦେଶରେ ବାର୍ଷିକ ହାରାହାରି ଧାନ ଉତ୍ପାଦନ ପରିମାଣ ୧୪୬ ନିୟୁତ ଟନ୍ ରହିଥିଲା । ୨୦୧୫-୧୬ରେ ଦେଶରେ ପ୍ରାୟ ୧୪୭ ନିୟୁତ ଟନ୍ ଧାନ ଉତ୍ପାଦିତ ହୋଇଥିବାବେଳେ ସେହିବର୍ଷ କେନ୍ଦ୍ର ସରକାର ଧାନ କୁଇଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି) ୫୦ ଟଙ୍କା ବୃଦ୍ଧି କରିଥିଲେ । ଏହାକୁ ଆଧାର କରି ୨୦୧୫-୧୬ରେ ସରକାରୀ ସଂସ୍ଥାଗୁଡିକ ପ୍ରାୟ ୪୩ ନିୟୁତ ଟନ୍ ଧାନ ସଂଗ୍ରହ କରିଥିଲେ । ଏହା ମୋଟ ଉତ୍ପାଦନର ପ୍ରାୟ ୨୯ ପ୍ରତିଶତ ଥିଲା । ସେହିଭଳି ୨୦୧୬-୧୭ରେ ଧାନ ଉତ୍ପାଦନ ୧୫୨.୪ ନିୟୁତ ଟନ୍କୁ ବୃଦ୍ଧି ପାଇଥିଲା । ସେହିବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୬୦ ଟଙ୍କା ବୃଦ୍ଧି କରାଯାଇଥିଲା ଏବଂ ସରକାରୀ ସ୍ତରରେ ମୋଟ ପ୍ରାୟ ୪୬ ନିୟୁତ ଟନ୍ ଧାନ (୩୦.୧୮%) ସଂଗ୍ରହ କରାଯାଇଥିଲା । ୨୦୧୭-୧୮ ବର୍ଷରେ ୧୫୬.୧୨ ନିୟୁତ ଟନ୍ ଧାନ ଉତ୍ପାଦିତ ହୋଇଥିବା ଜଣାଯାଇଛି । ସେହିବର୍ଷ ଧାନ କୁଇଂଟାଲ ପିଛା ଏମଏସ୍ପି ୮୦ ଟଙ୍କା ବୃଦ୍ଧି କରାଯାଇଥିବାବେଳେ ସରକାରୀ ସଂସ୍ଥାଗୁଡିକ ୫୨ ନିୟୁତ ଟନ୍ ଧାନ ସଂଗ୍ରହ କରିଥିଲେ । ଏହା ମୋଟ ଉତ୍ପାଦନର ପ୍ରାୟ ୩୩.୩ ପ୍ରତିଶତ ଥିଲା । ସେହିଦୃଷ୍ଟିରୁ ଚଳିତବର୍ଷ ବିଚାରକୁ ନେଲେ ପ୍ରାୟ ୩୫ ପ୍ରତିଶତ କୃଷକ ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରିବାର ସୁଯୋଗ ପାଇବେ । ମୁଖ୍ୟକଥା ହେଉଛି, କେନ୍ଦ୍ର ସରକାର ପ୍ରତିବର୍ଷ ଯେତିକି ଏମଏସ୍ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଘୋଷଣା କରନ୍ତି, ସେହି ମୂଲ୍ୟରେ ସମୁଦାୟ ଉତ୍ପାଦିତ ଧାନ, ଗହମ ଆଦି ଉତ୍ପାଦ ଖରିଦ କରିବାକୁ ପାଣ୍ଠିର ଅଭାବ ଦେଖାଦିଏ ଏବଂ ସେସବୁ ଗଚ୍ଛିତ ରଖିବାକୁ ଗୋଦାମର ଘୋର ଅଭାବ ରହିଛି । ଏହି କାରଣରୁ ବିପୁଳ ପରିମାଣର କୃଷି ଉତ୍ପାଦକୁ ଚାଷୀ ଯଥେଷ୍ଟ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି ।
ଏକ ହିସାବ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ଖରିଫ ଋତୁରେ ଯେତିକି ଧାନ ଉତ୍ପାଦିତ ହୋଇଥିଲା ତାହାର ପ୍ରାୟ ଏକ ତୃତୀୟାଂଶକୁ ସରକାରୀ ସଂସ୍ଥା ଖରିଦ କରିଥିଲେ । କିନ୍ତୁ ବିପୁଳ ପରିମାଣର ଡାଲି, ତୈଳବୀଜ, ଆଳୁ, ପିଆଜ, ପନିପରିବା ଆଦିକୁ ବଜାର ଓ ଘରୋଇ ବ୍ୟବସାୟୀଙ୍କ ଦୟାରେ ଛାଡି ଦିଆଯାଇଥିଲା । ଏହାଦ୍ୱାରା ସେମାନେ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଥିଲେ । ପ୍ରତିବର୍ଷ ଏହିଭଳି ଘଟିଚାଲିଥିବାବେଳେ ସରକାର କେବଳ ନୀରବଦ୍ରଷ୍ଟା ସାଜୁଛନ୍ତି । ତେଣୁ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ ସହିତ ଆବଶ୍ୟକ ସଂଖ୍ୟାରେ ଗୋଦାମଘର, ଶୀତଳଭଣ୍ଡାର ଆଦି ନିର୍ମାଣ କରିବାକୁ ପିସିସି ସଭାପତି ଦାବି କରିଛନ୍ତି ।

ONA

Leave a Reply

Top