You are here
Home > ଲାଟେଷ୍ଟ > ଫେବୃଆରୀ ୧୩ରୁ ପଞ୍ଚାୟତ ନିର୍ବାଚନ

ଫେବୃଆରୀ ୧୩ରୁ ପଞ୍ଚାୟତ ନିର୍ବାଚନ

♦ହେବ ୫ଟି ପର୍ଯ୍ୟାୟରେ
♦ଲାଗୁ ହେଲା ନିର୍ବାଚନ ଆଚରଣ ବିଦ୍ଧି
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୧୩ରୁ ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବ । ଫେବୃଆରୀ ୧୩, ୧୫, ୧୭, ୧୯ ଓ ୨୧ ତାରିଖରେ ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ଆଜିଠାରୁ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହୋଇଛି । ଜାନୁଆରୀ ୧୨ରୁ ୧୭ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ୧୮ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୨୧ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ସେହିଦିନ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ । ସକାଳ ୭ଟାରୁ ୧୨ ଟା ମଧ୍ୟରେ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ନ ଗୋଟାଏରୁ ଭୋଟ ଗଣତି କରାଯିବ । ଏସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ରବିନାରାୟଣ ସେନାପତି ସୂଚନା ଦେଇଛନ୍ତି । ରାଜ୍ୟର ୮୫୩ ଜିଲ୍ଲା ପରିଷଦ ଓ ୬,୮୦୪ ପଞ୍ଚାୟତର ୯୨ ହଜାର ୪୫ଟି ୱାର୍ଡରେ ନିର୍ବାଚନ ହେବ । ଏଥର ୫୯୪ଟି ନୂଆ ପଞ୍ଚାୟତ ସାମିଲ ହୋଇଛି । କାର୍ଯ୍ୟକାଳ ସରି ନଥିବାରୁ ୬ଟି ପଞ୍ଚାୟତ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ, ଯାଜପୁର ଜିଲ୍ଲାର ଦଶରଥପୁର, ଝାରସୁଗୁଡାର କୋଲାବିରା ଓ ଲଇକେରା, ସମ୍ବଲପୁରର ରେଙ୍ଗାଲି ଓ କଳାହାଣ୍ଡିର ଭବାନିପାଟଣାରେ ନିର୍ବାଚନ ହେବ ନାହିଁ । ସେହିପରି କାର୍ଯ୍ୟକାଳ ସରି ନଥିବାରୁ ଜଗତସିଂପୁର ଜିଲ୍ଲାର ଢ଼େଙ୍କିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ହେବ ନାହିଁ । ଏଠାରେ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । ରାଜ୍ୟ ପଞ୍ଚାୟତିରାଜ ସଚିବ ଡି.କେ.ସିଂହଙ୍କ ସୂଚନା ଅନୁସାରେ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କମିଶନ ନିର୍ବାଚନ ତାରିଖ ଘୋଷଣା କରିସାରିଥିବାରୁ ଆଚରଣ ବିଧି ଲାଗୁ ହୋଇଛି । ନବଗଠିତ ପଞ୍ଚାୟତଗୁଡ଼ିକ ସହ ସମସ୍ତ ପଞ୍ଚାୟତରେ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି । ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ସହ ସମସ୍ତ ବିଭାଗ, ପୋଲିସ ପ୍ରଶାସନ, ଜିଲ୍ଲାପାଳ, ଏସପି ଓ ବ୍ଲକ ଅଧିକାରୀମାନଙ୍କୁ ଅବଗତ କରାଯାଇଛି । ନିର୍ବାଚନକୁ ଶୃଙ୍ଖଳିତ କରିବାକୁ ବିଭାଗ ସମସ୍ତ ପଦକ୍ଷେପ ନେବ । ଅପରପକ୍ଷରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ପରିମାଣକୁ ସଂଶୋଧନ କରାଯାଇଛି । ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନିମନ୍ତେ ସର୍ବାଧିକ ଖର୍ଚ୍ଚ ୨ ଲକ୍ଷକୁ ବୃଦ୍ଧି କରାଯାଇଥିବାବେଳେ ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ ଖର୍ଚ୍ଚ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ONA

Leave a Reply

Top