You are here
Home > ଏଣ୍ଟରଟେନମେଣ୍ଟ > ଓଲିଉଡର ମା’ ଆଉ ନାହାନ୍ତି

ଓଲିଉଡର ମା’ ଆଉ ନାହାନ୍ତି

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଅନୀତା ଦାସ ଆଉ ଗହଣରେ ନାହାନ୍ତି। ସେ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ସମୟରେ ନିଜର କଟକର ମିଶନ୍‌ ରୋଡସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ୧୯୫୭ରେ ଜନ୍ମିତା ଅନୀତା ଦାସ ପ୍ରଥମେ ‘ଯାଯାବର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

୧ ଅକ୍ଟୋବର ୧୯୫୧ ମସିହାରେ ତତ୍‌କାଳୀନ କଟକ ଜିଲ୍ଲା ଏବଂ ଏବେକାର ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ରେ ଜନ୍ମଗ୍ରହଣ କରିଥିଲେ ଅନିତା ଦାସ। ଶୈଳାବାଳା ମହିଳା ମହାବିଦ୍ୟାଳୟରୁ ସ୍ନାତକ ପାସ୍ କରିବା ପରେ କଟକ କଳାବିକାଶ କେନ୍ଦ୍ରରେ ସେ ବିଧିବଦ୍ଧ ଅଭିନୟ ତାଲିମ ନେଇଥିଲେ ।  ସିନେ ତାରକା ତଥା ଵିଧାୟକ ଆକାଶ ଦାସ ନାୟକଙ୍କ ସେ ହେଉଛନ୍ତି ପିୟୁସୀ ।

‘ଯାଯାବର’ ମାଧ୍ୟମରେ ଓଡ଼ିଆ ଫିଲ୍ମ ଦୁନିଆରେ ଅଭିନୟ ଆରମ୍ଭ କରିଥିଲେ ଅନିତା। ଏହାପରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା।  ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅନୀତା ଅଭିନୟ କରିଛନ୍ତି । ୧୯୭୫ ମସିହା ‘ଯାଯାବର’ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅନୀତା । ଏହା ପରେ କୃଷ୍ଣ ସୁଦାମା (୧୯୭୬), ବନ୍ଧୁ ମହାନ୍ତି, ମଥୁରା ବିଜୟ, ଅଲିଭା ଦାଗ, ରାମ ବଳରାମ, ଲକ୍ଷ୍ମୀ ପ୍ରତିମା, ସଉତୁଣୀ, ତପସ୍ୟା, ଆରତୀ, ସ୍ୱପ୍ନ ସାଗର, ଘଢ଼ି ଜାଣିଲେ ଘର ସୁନ୍ଦର, ଭୀଷ୍ମ ପ୍ରତିଜ୍ଞା, ପୁଅ ମୋର କଳାଠାକୁର, ବାହୁଡ଼ିବେ ମୋ ଜଗା ବଳିଆ ଓ ତୋ ବିନା ମୋ କାହାଣୀ ଅଧା ଭଳି ଶହେରୁ ଉର୍ଦ୍ଧ୍ୱ ସିନେମାରେ ସେ ଅଭିନୟ କରିଛନ୍ତି । କେବଳ ଓଡିଆ ନୁହେଁ ତେଲୁଗୁ ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ନିଖୁଣ ଅଭିନୟ ପାଇଁ ବେଶ ପରିଚିତ ଥିଲେ । ତାଙ୍କର ଶେଷ ଓଡ଼ିଆ ଚଳଚ୍ଚିତ୍ର ଥିଲା ଅଭୟ।

୨୦୧୮ରେ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ (କାବୁଲା ବାରବୁଲା) ଅନୀତା ଦାସ ପୁରସ୍କୃତ ହୋଇଥିଲେ ।

ତାଙ୍କ ଅଭିନୀତ ଲୋକପ୍ରିୟ ସିନେମା ମଧ୍ୟରେ ରହିଛି ସମର ସଲିମ୍‌ ସାଇମନ୍‌, ଅକ୍ଷୀ ତୃତୀୟା, ତପସ୍ୟା, ମା ଓ ମମତା, ସ୍ୱପ୍ନସାଗର, ପୁଅ ମୋର କଳାଠାକୁର, ପାପପୁଣ୍ୟ,ବାହୁଡିବେ ମୋ’ ଜଗାବଳିଆ,ଫୁଲ ଚନ୍ଦନ, କି ହେବ ଶୁଆ ପୋଷିଲେ , ଅଣ୍ଟି ଛୁରୀ ତଣ୍ଟି କାଟେ ଏବଂ କାବୁଲା ବାରବୁଲା ଆଦି। ସେ ଓଡ଼ିଶାର ଅଧିକାଂଶ ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ।

ଅନୀତା ଦାସ ନିର୍ଦ୍ଦେଶକ ଗୋବିନ୍ଦ ତେଜ, ଶରତ ପୂଜାରୀ, ଶିଶିର ମିଶ୍ର, ପ୍ରଶାନ୍ତ ନନ୍ଦ, ମହମ୍ମଦ୍‌ ମହସୀନ୍‌, ଡି ବିଜୟ ଭାସ୍କର, ରାଜୁ ମିଶ୍ର ,ରବି କିନ୍ନାଗୀ, ହର ପଟ୍ଟନାୟକ, ବସନ୍ତ ସାହୁ , ସୁଧାଂଶୁ ମୋହନ ସାହୁ, ଅଶୋକ ପତି, ସଂଜୟ ନାୟକଏବଂ ରମେଶ ରାଉତ ପ୍ରମୁଖଙ୍କ କାମ କରିଥିଲେ। ସେ ଏମିତି ଜଣେ ଅଭିନେତ୍ରୀ ଯିଏ କି ଉତ୍ତମ ମହାନ୍ତି, ସିଦ୍ଧାନ୍ତ,ଶ୍ରୀତମ୍‌ ଦାସ, ଅନୁଭବ,ଅରିନ୍ଦମ୍‌ ଏବଂ ଆକାଶଙ୍କ ଭଳି ଦୁଇ ପିଢ଼ିର ନାୟକଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ।  ଅନୀତା ଦାସ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ହିନ୍ଦୀ ସିନେମା ‘ଭିଗି ପଲକେଁ’ ଏବଂ ‘ଅସୀମା’ରେ ମଧ୍ୟ ଅଭିନୟ କରିଥିଲେ।

 

 

 

ONA

Leave a Reply

Top