You are here
Home > ଏକ୍ସକ୍ଲୁସିଭ୍ > ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନାଟକ

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନାଟକ

ଭୁବନେଶ୍ୱର : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ହେଉଛି ବିଜୁ ଜନତା ଦଳର ରାଜନୈତିକ ସ୍ଲୋଗାନ । ଏହାକୁ ନେଇ ବିଧାନସଭା ଅନେକ ଥର ଅଚଳ ହୋଇଛି । ଏଥିପାଇଁ ୧୨ ଜୁନ ୨୦୧୩ରେ ଦିଲ୍ଲୀର ରାମଲୀଳା ମଇଦାନରେ ବିଜେଡି କରିଥିଲା ସ୍ୱାଭିମାନ ରାଲି । ଏହା ଆଗରୁ ସ୍ୱାଧୀନତା ସଂଗ୍ରାମା, ବୁଦ୍ଧିଜୀବୀ, ସିନେ ତାରକାଙ୍କୁ ମତାଇ ୧ କୋଟି ଲୋକଙ୍କର ଦସ୍ତଖତ ସଂଗ୍ରହ କରିଥିଲା ବିଜେଡି । ହେଲେ ସେ ସବୁ ନାଟକ ଥିଲା ବୋଲିି ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀଙ୍କ କଥାରୁ ଜଣାପଡୁଛି । ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଗତ ୧୨ ତାରିଖରେ ଗୃହରେ ଉଷା ଦେବୀ ସ୍ୱୀକାର କରିଛନ୍ତି କେନ୍ଦ୍ରୀୟ ମାନଦଣ୍ଡରେ ଓଡ଼ିଶା ଫିଟ୍ ହେଉନି । କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକାଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ମନ୍ତ୍ରୀ ଉଷା ଦେବୀଙ୍କ ସ୍ୱୀକାରୋକ୍ତି ୨୦୧୩ ମେ’ରୁ କେନ୍ଦ୍ର ଯୋଜନା କମିଶନ ଓଡିଶାକୁ ରେଡ୍ ସିଗ୍ନାଲ୍ ଦେଇଛନ୍ତି । ଜାତୀୟ ଉନ୍ନୟନ ପରିଷଦର ମାନଦଣ୍ଡ ଅନୁସାରେ ଓଡିଶା ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇବାକୁ ଅଯୋଗ୍ୟ । ଯଦି ୧୯୭୯ରୁ ଦାବି ହେଉଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାକୁ ୨୦୧୩ ମେ’ରେ ଯୋଜନା କମିଶନ ମନା କରି ଦେଇଥିଲେ, ତେବେ ୨୦୧୪ ଜୁନରେ ଦିଲ୍ଲୀରେ କଣ ପାଇଁ ସ୍ୱାଭିମାନ ରାଲି କରୁଥିଲା ବିଜେଡି । ଦିଲ୍ଲୀ ମହାସମାବେଶ ଡ୍ରାମା ନଥିଲା କି? ଏକଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଜଣା ଥିଲା କି? ପରାମର୍ଶଦାତା ମୁଖ୍ୟମନ୍ତ୍ରୀଙ୍କୁ ବିଭ୍ରାନ୍ତ କରୁଥିଲେ କି? ତେଣୁ ଚନ୍ଦ୍ରବାବୁ ନାଇଡୁଙ୍କ ମୁଖା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଖୋଲି ଦେବା ପରି ନବୀନଙ୍କ ମୁଖା ଖୋଲି ଦେଇଛନ୍ତି ଉଷା ଦେବୀ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରହେଳିକା ନୁହେଁ ତ?
ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଆଡ଼ରୁଷା ଦେଇ ଏନଡିଏରୁ ଓହରିଗଲା ଟିଡିପି । କେନ୍ଦ୍ର ସରକାରରୁ ଇସ୍ତଫା ଦେଲେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିର ୨ସାଂସଦ । ହେଲେ ଚନ୍ଦ୍ର ବାବୁଙ୍କର ସ୍ୱତନ୍ତ୍ର ପାହ୍ୟା ଦାବିରେ ଆଦୈ ବାସ୍ତବିକତା ନଥିଲା, କେବଳ ଥିଲା ରାଜନୈତିକ ଉଦ୍ଦେଶ୍ୟ । କାରଣ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ଯଥେଷ୍ଟ ପୂର୍ବରୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତାର ମାପଦଣ୍ଡ ନିର୍ଦ୍ଧାରଣ କରି ସାରିଥିଲା । ସେହି ମାପଦଣ୍ଡ ଆଧାରରେ ୧୧ଟି ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ମିଳିଛି । ଫଳରେ ଆସାମ, ନାଗାଲାଣ୍ଡ, ଜାମ୍ମୁ ଓ କାଶ୍ମୀର, ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ମିଜୋରାମ, ଉତ୍ତରାଖଣ୍ଡ, ତ୍ରିପୁରା, ହିମାଚଳ ପ୍ରଦେଶ ଏବଂ ସିକିମକୁ ମିଳିଛି ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା । ଫଳରେ ଏହି ରାଜ୍ୟ ଗୁଡିକୁ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାରଙ୍କର ଅନୁଦାନ ଭାଗ ୯୦% ମିଳିଥାଏ । କିନ୍ତୁ ଅନ୍ୟ ରାଜ୍ୟ ଗୁଡିକ କ୍ଷେତ୍ରରେ ଏହା ୬୦% ମଧ୍ୟରେ ସୀମିତ ଥାଏ । ଠିକ୍ ସେହିପରି ବିଭିନ୍ନ କର ବ୍ୟବସ୍ଥାରେ ମଧ୍ୟ ସ୍ୱତନ୍ତ୍ର ପାହ୍ୟା ରାଜ୍ୟଗୁଡିକ ଲାଗି କୋହଳ କରାଯାଇଥାଏ । ତେବେ ସ୍ୱତନ୍ତ୍ର ପାହ୍ୟା ପାଇଁ ରାଜ୍ୟ ୫ଟି ସର୍ତ୍ତ ପୂରଣ କରୁଥିବା ଦରକାର । ସେଗୁଡିକ ହେଲା-୧- ପାହାଡିଆ ଓ ଦୁର୍ଗମ ଅଞ୍ଚଳ, ୨- କମ ଜନସଂଖ୍ୟା ବା ଆଦିବାସୀ ଲୋକଙ୍କ ସଂଖ୍ୟା ଅଧିକ, ୩-ପଡୋଶୀ ଦେଶକୁ ସଂଲଗ୍ନ ହୋଇଥିବ, ୪-ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବ ଓ ୫-ରାଜ୍ୟର ଆର୍ଥିକ ଅବସ୍ଥା ଦେବାଳିଆ ହୋଇଥିବ । ଏସବୁକୁ ବିଚାର କଲେ ବିଜେଡି ସରକାର ସ୍ୱତନ୍ତ୍ର ପାହ୍ୟା ଦାବିକୁ ଛାଡି, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ବଦଳରେ ସ୍ୱତନ୍ତ୍ର ପ୍ୟାକେଜ ପାଇଁ ମୋଦିଙ୍କ ଆଗରେ ପ୍ରସ୍ତାବ ଦେବା କଥା ।

ONA

Leave a Reply

Top