You are here
Home > ବଡ଼ଖବର > ୩ ମାସରେ ବିସ୍ତୁତ ନଦୀ ନୀତି ପ୍ରସ୍ତୁତ କରିବାକୁ ଜଳସମ୍ପଦ ବିକାଶ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

୩ ମାସରେ ବିସ୍ତୁତ ନଦୀ ନୀତି ପ୍ରସ୍ତୁତ କରିବାକୁ ଜଳସମ୍ପଦ ବିକାଶ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର  : ୫ ବର୍ଷରେ ରାଜ୍ୟରେ ଜଳସମ୍ପଦର ବିକାଶ ପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ୩ ମାସ ମଧ୍ୟରେ ଏକ ବିସ୍ତୁତ ନଦୀ ନୀତି ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗତକାଲି ଝାରସୁଗୁଡ଼ାଠାରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଶେଷ କରି ଜଳସମ୍ପଦ, ପାନୀୟ ଜଳ ଓ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ଏହା ସହିତ, ଆସନ୍ତା ୩ ମାସ ମଧ୍ୟରେ ଏକ ବିସ୍ତୁତ ନଦୀ ନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାନଦୀର କେତେକ ସ୍ଥାନରେ ବ୍ୟାରେଜ ନିର୍ମାଣ କରାଯାଇ ନଦୀ ଜଳର ସଂରକ୍ଷଣ କରାଯିବ ଏବଂ କୃଷି ଓ ପାନୀୟ ଜଳ ଆଦି କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ । ଜନସାଧାରଣ ବିସ୍ଥାପିତ ନ ହେବାର ସମ୍ଭାବନା ଥିବା ସ୍ଥାନରେ ହିଁ ଏହି ବ୍ୟାରେଜ ଗୁଡ଼ିକୁ ନିର୍ମାଣ କରାଯିବ ।

ବରଗଡ଼ ଓ ଶାସନ ମୁଖ୍ୟ କେନାଲକୁ କଂକ୍ରିଟ ଲାଇନିଂ କରାଯିବ । ଏଥିପାଇଁ ୪୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହି କାର୍ଯ୍ୟ ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଆଗାମୀ ୩ମାସ ମଧ୍ୟରେ ଗଙ୍ଗାଧର ମେହେର ମେଗାଲିଫ୍ଟ କେନାଲ ସିଷ୍ଟମର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସେହିପରି ଜିଲ୍ଲା ଖଣିଜ ପାଣ୍ଠିର ବିନିଯୋଗରେ ପାନୀୟ ଜଳ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । ଖଣିଜ ପାଣ୍ଠି ଜିଲ୍ଲା ଗୁଡ଼ିକରେ ଅଧିକ ସଂଖ୍ୟକ ମେଗା ପାଇପ ଜଳଯୋଗାଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଲୋକଶକ୍ତିକୁ ଆକଳନ କରିବା ପାଇଁ ସେ ପଂଚାୟତିରାଜ ଓ ଜଳସମ୍ପଦ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୀକ୍ଷାରେ ଉନ୍ନୟନ କମିଶନର ଶ୍ରୀ ଆର୍. ବାଲକ୍ରିଷ୍ଣନ, ଜଳସଂପଦ ବିକାଶ ବିଭାଗ ପ୍ରମୁଖ ସଚିବ ଶ୍ରୀ ପଦୀପ କୁମାର ଜେନା ଓ ୪ଟି ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ ।

ONA

Leave a Reply

Top