You are here
Home > ବଡ଼ଖବର > ବିଜେପି-ବିଜେଡିର ଆର୍ ପାର୍ ଲଢ଼େଇ

ବିଜେପି-ବିଜେଡିର ଆର୍ ପାର୍ ଲଢ଼େଇ

  • ଭ୍ରଷ୍ଟାଚାରୀ ନବୀନ ସରକାରଙ୍କୁ ଗାଦିଚ୍ୟୁତ କର
    ଅଢ଼େଇ ବର୍ଷ ସଂଗ୍ରାମ କର
    ପଞ୍ଚାୟତ ନିର୍ବାଚନରେ ଟ୍ରେଲର ଦେଖାଅ

ଭୁବନେଶ୍ୱର: ସବୁ ଆଶଙ୍କାର ଅନ୍ତ ଘଟିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଟାର୍ଗେଟରେ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।୧୭ ବର୍ଷ ଶାସନର ନବୀନଙ୍କୁ ହିସାବ ମାଗିଲେ ଅମିତ ଶାହା।ବିକାଶ ପାଇଁ ୧୭ ବର୍ଷର ଶାସନ ଏକ ଲମ୍ବା ସମୟ।ଏଭଳି ସମୟରେ ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ରାଜସ୍ଥାନ, ଝାଡ଼ଖଣ୍ଡ ଭଳି ପ୍ରଦେଶ ବିକାଶର ଶିଖରକୁ ପହଞ୍ଚି ପାରିଛନ୍ତି।ହେଲେ ଓଡ଼ିଶା ୧୭ ବର୍ଷ ତଳେ ଯେଉଁଠି  ଥିଲା ଆଜି ମଧ୍ୟ ସେଇଠି ବୋଲି ଅମିତ ତାଙ୍କ ଭାଷଣରେ କହିଛନ୍ତି।୨୦୧୫ ଜାନୁଆରୀ ୬ର ମହାସଂଗ୍ରାମ ସମାବେଶ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଆଜିର ଜନଜାଗରଣ ସମାବେଶ।୨୦୧୫ରେ ନବୀନଙ୍କ ସହଯୋଗର ହାତ ମାଗିଥିଲେ ଅମିତ। କିନ୍ତୁ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ହେଉଥିବା ବିଜେପିର ଜନଜାଗରଣ ସମାବେଶରେ ଅମିତ ଖୁବ୍ ବର୍ଷିଛନ୍ତି ନବୀନଙ୍କ ଉପରେ।
    ୧୭ ବର୍ଷ ହେଲା ଶାସନରେ ଥିବା ନବୀନ ପଟ୍ଟନାୟକ କ’ଣ ପାଇଁ ଲୋକଙ୍କୁ ପାନୀୟ ଜଳର ସୁବିଧା ଉପଲବ୍ଧ କରାଇ ପାରିନାହାନ୍ତି। କାହିଁକି ରାଜ୍ୟର ୪୧% ଲୋକଙ୍କ ଘରେ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ଏଭଳି ସରକାରର କ୍ଷମତାର ରହିବାର ଅଧିକାର ନାହିଁ ବୋଲି ଅମିତ ନବୀନଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି। ଯଦି ଗତ ୧୭ବର୍ଷ ଧରି ଓଡ଼ିଶାରେ ଶାସନ ଠିକ୍ ଭାବରେ ଚାଲିଥାନ୍ତା, ତେବେ ଓଡ଼ିଆ ଯୁବକମାନଙ୍କୁ ରୋଜଗାର ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିନଥାନ୍ତା। ଓଡ଼ିଶାର ଗରିବ ଆଦିବାସୀ ଆଜି ଅବହେଳିତ। କୃଷି ଅନୁଦାନ ବାଟମାରଣା ହେଉଛି, ଚାଷୀର ଜମିକୁ ପାଣି ମାଡୁନାହିଁ, ସ୍ୱାସ୍ଥ୍ୟସେବା ବିଗିଡ଼ି ଯାଇଛି। ନହେଲେ କଳାହାଣ୍ଡିର ଦାନ ମାଝୀ ନିଜ ପତ୍ନୀର ମୃତ ଦେହକୁ କାନ୍ଧେଇ ନେବାକୁ ପଡ଼ିନଥାନ୍ତା। ଏଥିପାଇଁ ସମୟ ଆସିଛି ଭ୍ରଷ୍ଟାଚାରୀ ନବୀନ ସରକାରକୁ ଉପାଡ଼ି ଫିଙ୍ଗିବାକୁ। ଓଡ଼ିଶାର ବିକାଶ ଦରକାର, ଏଭଳି ସରକାରକୁ ଗାଦିଚ୍ୟୁତ କର ବୋଲି ବିଜେପି କର୍ମୀଙ୍କୁ ଆହ୍ୱନା ଦେଇଛନ୍ତି ଅମିତ ଶାହା।
    ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବଦାନ କ’ଣ ବୋଲି ବାରମ୍ବାର ପ୍ରଶ୍ନ କରୁଥିବା ନବୀନ ପଟ୍ଟନାୟକଙ୍କୁ ଅମିତ ଚଢ଼ା ଗଳାରେ ଜବାବ ଦେଇଛନ୍ତି। ଯାହା ୭୦ବର୍ଷରେ କୌଣସି କେନ୍ଦ୍ର ସରକାର କରିନଥିଲେ ତାହା ନରେନ୍ଦ୍ର ମୋଦିଙ୍କ ସରକାର ଅଢ଼େଇ ବର୍ଷରେ କରି ଦେଖାଇଛି ବୋଲି ଅମିତ ଶାହା କହିଛନ୍ତି। ୨୦୧୩ରେ ଉପା ସରକାର ଓଡ଼ିଶାକୁ ୨୩ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଦେଇଥିଲା। କିନ୍ତୁ ୨୦୧୬ ମସିହାରେ ଓଡ଼ିଶାକୁ ମୋଦି ସରକାର ୬୩ ହଜାର କୋଟି ଟଙ୍କା ଦେଇଛନ୍ତି ବୋଲି ଅମିତ ଶାହା ତାଙ୍କ ହିସାବ ପେଡ଼ିରୁ ତଥ୍ୟ ବାହର କରି ନବୀନଙ୍କୁ ବୁଝାଇଛନ୍ତି। ସେହିପରି ରେଳବାଇ, ଜାତୀୟ ରାଜପଥ, ନଦୀ ସଂଯୋଗୀକରଣ, ଗାଁରେ ବିଦ୍ୟୁତ୍ ସଂଯୋଗୀକରଣ ପରି ଜନକଲ୍ୟାଣ ଯୋଜନା ଦ୍ୱାରା ଓଡ଼ିଶା ଲାଭାନ୍ୱିତ ହୋଇଛି ବୋଲି ଅମିତ କହିଛନ୍ତି। ଯଦି ନବୀନ ପଟ୍ଟନାୟକ ତାଙ୍କ ହିସାବରେ ଦ୍ୱିମତ ହେଉଛନ୍ତି ତାହେଲେ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖନ୍ତୁ ବୋଲି ଅମିତ ଚ୍ୟାଲେଞ୍ଚ କରିଛନ୍ତି।

  • ବିଜେଡି-ବିଜେପିର ସଲସୁତରାରେ ତାଲା
    ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସାର୍ଟିଫିକେଟ୍ ରଦ୍ଦ
    ମେଣ୍ଟ ପାଇଁ ନବୀନଙ୍କ ଉପରେ ଚାପ

 କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଥିବା ୯୨ଟି ଜନ କଲ୍ୟାଣକାରୀ ଯୋଜନା ଓଡ଼ିଶା ଲୋକଙ୍କ ପାଖରେ ପହଞ୍ଚୁ ନାହିଁ। ତେଣୁ ଓଡ଼ିଶାରେ ବିଜେପି ନେତୃତ୍ୱାଧିନ ଏକ ସମ୍ବେଦନଶୀ ସରକାର ଆସିବା ଦରକାର। ଏଥିପାଇଁ ଅଢ଼େଇ ବର୍ଷ ସଂଘର୍ଷ କରିବା ପାଇଁ ନିଜ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଉ ଏହି ଲଢ଼େଇର ଟ୍ରେଲର ପଞ୍ଚାୟତ ନିର୍ବାଚନରେ ଦେଖାଇ ଦେବା ପାଇଁ କର୍ମୀଙ୍କୁ କହିଛନ୍ତି। ତେବେ ନିଜ ଭାଷଣ ମଧ୍ୟରେ ଅମିତ ଶାହା ସ୍ପଷ୍ଟ କରି ଦେଇଛନ୍ତି ଯେ ବିଜେଡି-ବିଜେପି ମଧ୍ୟରେ ଆଉ ସଲାସୁତୁରା ନାହିଁ। ଓଡ଼ିଶା ଆସି ନବୀନ ପଟ୍ଟନାୟକଙ୍କର ପିଠି ଥାପୁଡ଼ାଉଥିବା ବିଭିନ୍ନ କେନ୍ଦ୍ରମନ୍ତ୍ରୀମାନଙ୍କର ସାର୍ଟିଫିକେଟକୁ ରଦ୍ଦ କରିଦେଇଛନ୍ତି ଅମିତ ଶାହା। ତେବେ ନବୀନଙ୍କ ଉପରେ ବର୍ଷିବା ପୂର୍ବରୁ ନରେନ୍ଦ୍ର ମୋଦି ଓ ରାଜନାଥ ସିଂହଙ୍କ ସହ ନିଶ୍ଚିତ  ଆଲୋଚନା କରି ଅମିତ ଓଡ଼ିଶା ଆସିଥିବେ। କିନ୍ତୁ  ଆତ୍ମବିଶ୍ୱାସ ନଥିବା କର୍ମୀମାନଙ୍କୁ ଲଢ଼େଇ କରିବାକୁ ପରାମର୍ଶ ଦେଇଥିବା ଅମିତ ଭଲ ଭାବରେ ଜାଣିଛନ୍ତି ଯେ ଏବେବି ଓଡ଼ିଶାରେ ବିଜେପିର ସଂଗଠନ ସେତେଟା ସୁଦୃଢ଼ ନୁହେଁ। କିନ୍ତୁ ଓଡ଼ିଶା ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ଅମିତ ନବୀନ ପଟ୍ଟନାୟକଙ୍କୁ ମାନସିକ ଚାପରେ ରଖିବାକୁ ସଫଳ ହୋଇଛନ୍ତି। ଆଉ ୨୦୧୯ରେ ବିଜେପି ସାଙ୍ଗରେ ମେଣ୍ଟ କରିବାକୁ ନବୀନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଅ ବୋଲି ଅମିତ ଇସାରା ଦେଇଛନ୍ତି। କାରଣ ଅମିତ ଭଲ ଭାବରେ ଜାଣନ୍ତି ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶ-ବିହାରର ଫଳାଫଳ ୨୦୧୪ ନିର୍ବାଚନ ତୁଳନାରେ କମ ରହିବ। ଆଉ ୟୁପି-ବିହାରର କ୍ଷତି ଭରଣା ଓଡିଶା ଭଳି ପ୍ରଦେଶରୁ ମିଳି ପାରିବ ବୋଲି ଅମିତ ଶାହା ବୁଝିଛନ୍ତି। ତେଣୁ ଏବେଠାରୁ ନବୀନ ପଟ୍ଟନାୟକଙ୍କୁ ଚାପରେ ରଖିବା ଭଲ ବୋଲି ଅମିତ ଶାହା ଜାଣିଛନ୍ତି।
 

ONA

Leave a Reply

Top